ନୂଆଦିଲ୍ଲୀ : ମରାଠା ସଂରକ୍ଷଣ ମାମଲା ଦିଲ୍ଲୀ ଦରବାରରେ ପହଞ୍ଚିଛି । ଆଜି ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି । ଏହି ଅବସରରେ ତାଙ୍କ ସହ ମହାରାଷ୍ଟ୍ରର ଉପମୁଖ୍ୟମନ୍ତ୍ରୀ ଅଜିତ ପାଓ୍ବାର ମଧ୍ୟ ଥିଲେ । ମରାଠା ସଂରକ୍ଷଣ, ଜିଏସଟି କ୍ଷତିପୂରଣ ଓ ତୌତେ ବାତ୍ୟା କ୍ଷୟକ୍ଷତି ସମ୍ପର୍କରେ ସେ ପ୍ରଧାନମନ୍ତ୍ରୀଙ୍କ ସହ ପ୍ରାୟ ୧୦ ମିନିଟ ଧରି ଆଲୋଚନା କରିଥିଲେ ।
ତେବେ ପ୍ରଧାନମନ୍ତ୍ରୀଙ୍କୁ ଭେଟିବା ପରେ ତାଙ୍କୁ ଏସମ୍ପର୍କରେ ସାମ୍ବାଦିକମାନେ ପ୍ରଶ୍ନ କରିବାରୁ ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀଙ୍କ ସହ ସେ ରାଜନୈତିକ କ୍ଷେତ୍ରରେ ଏକାଠି ନଥିଲେ ବି ବ୍ୟକ୍ତିଗତ ସମ୍ପର୍କ ଏବେ ବି ଅତୁଟ ରହିଛି । ସେ ଆହୁରି ମଧ୍ୟ କହିଥିଲେ ଯେ ସେ କେଉଁ ନଓ୍ବାଜ ସରିଫଙ୍କୁ ଭେଟିବାକୁ ଯାଇନଥିଲେ, ଯ଼ଦି ସେ ଭାରତର ପ୍ରଧାନମନ୍ତ୍ରୀଙ୍କୁ ବ୍ୟକ୍ତିଗତଭାବେ ଭେଟିବାକୁ ଯାଇଥିଲେ ସେଥିରେ କ୍ଷତି କଣ ?
ସୂଚନାଯୋଗ୍ୟ ଯେ, ମହାରାଷ୍ଟ୍ର ସରକାରଙ୍କ ମରାଠା ସଂରକ୍ଷଣ ଆଇନକୁ ନିକଟ ଅତୀତରେ ସୁପ୍ରିମ କୋର୍ଟ ରଦ୍ଦ କରିଦେଇଥିଲେ ।