ନୂଆଦିଲ୍ଲୀ: ପୂର୍ବତନ ରାଷ୍ଟ୍ରପତି ତଥା କଂଗ୍ରେସର ବରିଷ୍ଠ ନେତା ସ୍ୱର୍ଗତ ପ୍ରଣବ ମୁଖାର୍ଜୀଙ୍କ ଝିଅ ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ଆରଜେଡି ସୁପ୍ରିମୋ ଲାଲୁ ଯାଦବଙ୍କ ଭଳି ଦୋଷୀ ସାବ୍ୟସ୍ତ ନେତାଙ୍କୁ ଅଯୋଗ୍ୟ ଘୋଷଣାରୁ ବଞ୍ଚାଇବା ପାଇଁ ୨୦୧୩ରେ ତତ୍କାଳୀନ ୟୁପିଏ ସରକାର ଆଣିଥିବା ଅଧ୍ୟାଦେଶକୁ ଦଳୀୟ ନେତା ରାହୁଲ ଗାନ୍ଧି ଯେଭଳି ଭାବେ ପ୍ରତ୍ୟାଖ୍ୟାନ କରିଥିଲେ, ସେଥିରେ ତାଙ୍କ ବାପା ଅସନ୍ତୁଷ୍ଟ ଥିଲେ।
କଂଗ୍ରେସ ମୁଖପାତ୍ର ଶର୍ମିଷ୍ଠା ମୁଖାର୍ଜୀ ଜାତୀୟସ୍ତରର ପତ୍ରିକା ‘ଇଣ୍ଡିଆ ଟୁଡେ’କୁ ଦେଇଥିବା ଏକ ସ୍ୱତନ୍ତ୍ର ସାକ୍ଷାତକାରରେ ତାଙ୍କ ଆଗାମୀ ପୁସ୍ତକ ‘ପ୍ରଣବ, ମାଇଁ ଫାଦର: ଏ ଡଟର ରିମେମ୍ବର୍ସ’ ସଂପର୍କରେ କହିଥିଲେ, ଯେଉଁଥିରେ ତାଙ୍କ ସ୍ୱର୍ଗତ ପିତାଙ୍କ ବକ୍ତବ୍ୟ ଏବଂ ତାଙ୍କୁ ସେ ବର୍ଣ୍ଣନା କରିଥିବା କିଛି ବ୍ୟକ୍ତିଗତ ଘଟଣା ଓ କାହାଣୀ ଉଲ୍ଲେଖ କରିଛନ୍ତି।
ସେ କହିଛନ୍ତି ଯେ ରାହୁଲ ଗାନ୍ଧିଙ୍କ ବକ୍ତବ୍ୟ ରାଜନୈତିକ ଭାବେ ଅପରିପକ୍ୱ ଥିଲା ବୋଲି ତାଙ୍କ ବାପା କହୁଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ଦଳର ନୈରାଶ୍ୟଜନକ ପ୍ରଦର୍ଶନ ପରେ ରାହୁଲ ଗାନ୍ଧି ସଂସଦରେ ବାରମ୍ବାର ଅନୁପସ୍ଥିତ ରହୁଥିବାରୁ ପ୍ରଣବ ମୁଖାର୍ଜୀ ମଧ୍ୟ ଅସନ୍ତୁଷ୍ଟ ଥିଲେ ବୋଲି ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି।
ସେ କହିଛନ୍ତି ଯେ ତାଙ୍କ ପିତା ଏକ ସାକ୍ଷାତକାରରେ କହିଥିଲେ ଯେ ତାଙ୍କୁ ପ୍ରଧାନମନ୍ତ୍ରୀ କରିବା ପାଇଁ ତାଙ୍କର ସୋନିଆ ଗାନ୍ଧିଙ୍କଠାରୁ କୌଣସି ପ୍ରକାରର ଆଶା ନଥିଲା।
୨୦୦୪ରେ ସୋନିଆ ଗାନ୍ଧି ପ୍ରଧାନମନ୍ତ୍ରୀ ହେବେ ନାହିଁ ବୋଲି ଘୋଷଣା କରିବା ପରେ ପ୍ରଧାନମନ୍ତ୍ରୀ କିଏ ହେବ ତାକୁ ନେଇ ଗଣମାଧ୍ୟମରେ ନାନା ପ୍ରକାରର କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା। ମୋ ବାପା ଏବଂ ମନମୋହନ ସିଂହଙ୍କ ନାମ ଚର୍ଚ୍ଚାରେ ଥିଲା। ମୁଁ ଆଗ୍ରହର ସହ ତାଙ୍କୁ ପଚାରିଲି ସେ ପ୍ରଧାନମନ୍ତ୍ରୀ ହେବେ କି? କିନ୍ତୁ ସେ ନା କହିଲେ ଏବଂ ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବେ ବୋଲି କହିଥିଲେ।
ଶର୍ମିଷ୍ଠା ମୁଖାର୍ଜୀ କହିଛନ୍ତି ଯେ ତାଙ୍କ ବାପା ତାଙ୍କ ଡାଏରିରେ ଏକ ଘଟଣା ବିଷୟରେ ଉଲ୍ଲେଖ କରିଛନ୍ତି; ଯେତେବେଳେ ରାହୁଲ ଗାନ୍ଧି କଂଗ୍ରେସ କାର୍ଯ୍ୟକାରିଣୀ କମିଟି (ସିଡବ୍ଲ୍ୟୁସି) ବୈଠକରେ, ୨୦୦୯ ସାଧାରଣ ନିର୍ବାଚନ ହେବା ପୂର୍ବରୁ କହିଥିଲେ ଯେ ସେ ମିଳିତ ବା ମେଣ୍ଟ ସରକାର ସପକ୍ଷରେ ନୁହଁନ୍ତି।
ବାବା (ପ୍ରଣବ ମୁଖାର୍ଜୀ) କହିଥିଲେ ଯେ ସେ (ରାହୁଲ ଗାନ୍ଧି) ତାଙ୍କ ଚିନ୍ତାଧାରାକୁ ସୁସଙ୍ଗତ ଭାବରେ ଉପସ୍ଥାପନ କରିବା ଉଚିତ୍। ରାହୁଲ ଗାନ୍ଧି କହିଥିଲେ ଯେ ସେ ତାଙ୍କୁ ସାକ୍ଷାତକରି ଆଲୋଚନା କରିବେ। ତେବେ, ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ୟୁପିଏ ସରକାର ସମୟରେ ଉଭୟ ନେତାଙ୍କ ମଧ୍ୟରେ ବିଶେଷ କଥାବାର୍ତ୍ତା ହୋଇ ନଥିଲା।
ଶର୍ମିଷ୍ଠା ମୁଖାର୍ଜୀ ଏକ ଘଟଣାକୁ ମନେ ପକାଇଛନ୍ତି ଯେଉଁଠାରେ ତାଙ୍କ ପିତା ରାହୁଲ ଗାନ୍ଧିଙ୍କ ପ୍ରଧାନମନ୍ତ୍ରୀ ହେବାର ଅଭିଳାଷକୁ ନେଇ କଟାକ୍ଷ କରିଥିଲେ।
ଦିନେ ସକାଳେ ମୋଗଲ ଗାର୍ଡେନରେ ବୁଲୁଥିବା ବେଳେ ବାବାଙ୍କୁ ଭେଟିବାକୁ ରାହୁଲ ଗାନ୍ଧି ଆସିଥିଲେ। ଚାଲିବା କିମ୍ବା ପୂଜା କରିବା ସମୟରେ ବାଧା ସୃଷ୍ଟି ହେବାକୁ ପସନ୍ଦ କରୁ ନଥିଲେ। ତଥାପି ସେ ତାଙ୍କୁ ଭେଟିଥିଲେ। ପରେ ମୁଁ ଜାଣିବାକୁ ପାଇଲି ଯେ ସେଦିନ ସନ୍ଧ୍ୟାରେ ରାହୁଲ ଗାନ୍ଧି ତାଙ୍କୁ ଭେଟିବାର କାର୍ଯ୍ୟକ୍ରମ ରହଥିଲା।
ଯେତେବେଳେ ମୁଁ ବାବାଙ୍କୁ ଏ ବିଷୟରେ କହିଲି, ସେ ଆଶ୍ଚର୍ଯ୍ୟ ହୋଇ ନଥିଲେ, ବରଂ କଟାକ୍ଷ କରି କହିଥିଲେ ଯଦି ରାହୁଲ ଗାନ୍ଧିଙ୍କ କାର୍ଯ୍ୟାଳୟ ‘ଏଏମ୍’ ଓ ‘ପିଏମ୍’ ମଧ୍ୟରେ ପାର୍ଥକ୍ୟ ବୁଝି ପାରିବ ନାହିଁ, ତେବେ ସେ କିପରି ପ୍ରଧାନମନ୍ତ୍ରୀ ହୋଇପାରିବେ?