ନୂଆଦିଲ୍ଲୀ: ସମଗ୍ର ଦେଶରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ତାତିକୁ ସହ୍ୟ କରି ନପାରି ଲୋକେ ଆଡଟୁପାଉଟୁ ହେଉଛନ୍ତି। ଅନେକ ସ୍ଥାନରେ ତ ତାପମାତ୍ର ୫୦ଡିଗ୍ରି ଅତିକ୍ରମ କରି ସାରିଲାଣି।
ପ୍ରବଳ ତାତି ହେତୁ ଅଂଶୁଘାତର ଶିକାର ହୋଇ ଅନେକ ଲୋକଙ୍କ ଜୀବନ ଚାଲି ଯାଉଥିବାର ଖବର ମିଳିଛି। ନିକଟରେ ଗ୍ୱାଲିୟରରେ ଅଂଶୁଘାତର ଶିକାର ହୋଇ ୧୨/୧୫ ବର୍ଷର ଭାଇ-ଭଉଣୀଙ୍କ ମୃତ୍ୟୁ ହୋଇଯାଇଥିବାର ଦୁଃଖଦ ଘଟଣା ସାମ୍ନାକୁ ଆସିଥିଲା।
ଏହି ତାତି ହେତୁ ନୋଏଡାରେ ଏକ ଏୟାର କଣ୍ଡିସନ ବିସ୍ଫୋରଣ ହେତୁ ନିଆଁ ଲାଗିଯାଇଥିଲା। ଏହି କ୍ରମରେ ଗାଜିଆବାଦରେ ବାଲକୋନିରେ ରଖାଯାଇଥିବା ୱାସିଂ ମେସିନରେ ହଠାତ ନିଆଁ ଲାଗି ଜଳି ଯାଇଥିବା କୁହାଯାଉଛି।
ଏହି ଘଟଣା ଗାଜିଆବାଦର ରାଜନଗର ଏକ୍ସଟେନସନ ଅଫିସର ସିଟି ୨ ସୋସାଇଟିରେ ଘଟିଛି। ଏଠାରେ ଏକ କୋଠାର ବାଲକୋନିରେ ୱାସିଂ ମେସିନ ରଖାଯାଇଥିଲା। କେହି କିଛି ବୁଝିବା ପୂର୍ବରୁ ଏଥିରେ ଆପାଛାଏଁ ନିଆଁ ଲାଗିଯାଇଥିଲା। ନିଆଁ ହେତୁ ମେସିନ ଟି ସମ୍ପୂର୍ଣ୍ଣ ଭାବେ ଜଳି ପାଉଁଶ ହୋଇଯାଇଥିଲା। ପଡ଼ିଶାଘର ଲୋକ ପାଣି ଢ଼ାଳି ନିଆଁକୁ ଆୟତ୍ତ କରିବାକୁ ଚେଷ୍ଟା କରିବା ସହିତ ଅଗ୍ନିଶମ ବିଭାଗ କର୍ମଚାରୀଙ୍କୁ ଖବର ଦେଇଥିଲେ।
ସୌଭାଗ୍ୟବଶତଃ ଏହି ଘଟଣାରେ କାହାକୁ କିଛି କ୍ଷତି ପହଞ୍ଚି ନାହିଁ। କୋଠାରେ ରହୁଥିବା ପରିବାର ଲୋକ ଏହି ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଘଟଣାର ଏକ ଭିଡିଓ ବି ସାମ୍ନାକୁ ଆସିଛି।