ପୁଣି ‘ମା, ମାଟି, ମାନୁଷ’; ନନ୍ଦୀଗ୍ରାମରୁ ଲଢ଼ିବେ ମମତା ଦିଦି

କୋଲକାତା: ସଂପ୍ରତି କୃଷି ଓ କୃଷକଙ୍କୁ ନେଇ ଦେଶର ରାଜନୀତି ସରଗରମ ରହିଥିବା ବେଳେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ (ଟିଏମ୍‌ସି) ସୁପ୍ରିମୋ ସୁଶ୍ରୀ ମମତା ବାନାର୍ଜୀ ମଧ୍ୟ ଆଜି ଖେଳିଛନ୍ତି କୃଷକ କାର୍ଡ। ପଶ୍ଚିମବଙ୍ଗରେ କୃଷକଙ୍କ ଗାଁ ଭାବେ ଏକ ବିଶେଷ ପରିଚିତି ଓ ସ୍ୱୀକୃତି ଲାଭ କରିଥିବା ନନ୍ଦିଗ୍ରାମ ଆସନରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଗାମୀ ବିଧାନସଭା ନିର୍ବାଚନ ଲଢିବେ ବୋଲି ଆଜି ଘୋଷଣା କରିଛନ୍ତି।

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନକୁ ଆଉ ୩ରୁ ୪ ମାସ ବାକି ଥିବା ବେଳେ ଏବେଠାରୁ ପଶ୍ଚିମବଙ୍ଗରେ ଦେଖିବାକୁ ମିଳିଲାଣି ରାଜନୈତିକ ଉଷ୍ମତା। ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ ମମତାଙ୍କ ତୃଣମୂଳ କଂଗ୍ରେସକୁ କଡ଼ା ଟକ୍କର ଦେବାକୁ ବିଭିନ୍ନ ରାଜନୈତିକ ଦଳ ନିଜର ରଣନୀତି ପ୍ରସ୍ତୁତ କରିବା ଆରମ୍ଭ କରି ଦେଇଛନ୍ତି। ତେବେ, ଏ କ୍ଷେତ୍ରରେ ପାଦେ ଆଗେଇ ଯାଇଛି ବିଜେପି। ଆଗାମୀ ନିର୍ବାଚନରେ ମମତା ଓ ତାଙ୍କ ଟିଏମ୍‌ସିକୁ ଗାଦିଚ୍ୟୁତ କରି ନିଜେ ଗାଦୀ ଦଖଲ କରିବା ଚକ୍କରରେ ରହିଛି ବିଜେପି। ଏଥି ପାଇଁ ଟିଏମସିର ମନ୍ତ୍ରୀ, ବିଧାୟକ, ସାଂସଦ, ନେତା ଓ କର୍ମୀମାନଙ୍କୁ ବିନା ବାଛ ବିଚାରରେ ଏବେ ନିଜ ଦଳରେ ଆଣି ସାମିଲ କରିବାକୁ ଆରମ୍ଭ କରିଛି ବିଜେପି। ତେବେ ସବୁଠାରୁ ବଡ଼କଥା ହେଲା ନିକଟରେ ଟିଏମସ ଛାଡ଼ି ବିଜେପିରେ ମିଶିଥିବା ଟିଏମସିର ପୁରୁଖା ନେତା ଶୁଭେନ୍ଦୁ ଅଧିକାରୀଙ୍କ ଗଡ଼ଭାବେ ପରିଚିତ ଥିଲା ନନ୍ଦିଗ୍ରାମ। ୨୦୧୬ରେ ଟିଏମସି ପ୍ରାର୍ଥୀ ଭାବେ ନନ୍ଦୀଗ୍ରାମ ଆସନରୁ ଜିତିଥିଲେ ଶୁଭେନ୍ଦୁ ଅଧିକାରୀ। ୨୦୧୨ରେ ଏହି ଆସନରୁ ଜତିଥିବା ଖୋଦ୍‌ ମମତା ଏହି ନନ୍ଦୀଗ୍ରାମ ଆସନଟିକୁ ଦେଇଥିଲେ ସେ ସମୟରେ ତାଙ୍କର ଏକାନ୍ତ ଅନୁଗତ ଓ ବିଶ୍ୱସ୍ତ ଥିବା ଶୁଭେନ୍ଦୁ ଅଧିକାରୀଙ୍କୁ। ଏବଂ ନିଜେ ଲଢ଼ିଥଲେ ଭବାନୀପୁର ଆସନରୁ।

Image Courtesy of The Indian Express

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ନନ୍ଦୀଗ୍ରାମରେ ଏକ ପ୍ରସ୍ତାବିତ ଅର୍ଥନୈତିକ ଜୋନ୍‌ ପ୍ରକଳ୍ପରୁ କୃଷକଙ୍କ ଜମିକୁ ସୁରକ୍ଷା ଦେବା ପାଇଁ ମମତା ବାନାର୍ଜୀ ୨୦୦୭ରେ ଆରମ୍ଭ କରିଥିଲେ ଏକ ଆନ୍ଦୋଳନ। ସେ ସମୟରେ ବିରୋଧୀ କୃଷକ ଏବଂ ପୁଲିସ ମଧ୍ୟରେ ନନ୍ଦିଗ୍ରାମରେ ସଂଘଟିତ ହୋଇଥିବା ସଂଘର୍ଷରେ ୧୪ ଜଣଙ୍କର ମୃତ୍ୟୁ ଘଟିଥିଲା। ପରବର୍ତ୍ତୀ ନିର୍ବାଚନରେ ମମତା ବାନାର୍ଜୀ ଏବଂ ତାଙ୍କ ତୃଣମୂଳ କଂଗ୍ରେସ ଏହି ଆନ୍ଦୋଳନକୁ କେନ୍ଦ୍ରକରି ଆରମ୍ଭ କରିଥିଲେ ‘ମା, ମାଟି, ମାନୁଷ’ ଅଭିଯାନ। ଯାହାକୁ ଆଶ୍ରା କରି ମମତା ସେ ସମୟରେ ଶାସକ ଥିବା ବାମପନ୍ଥୀଙ୍କୁ ପରାସ୍ତ କରି ଏକ ବିପୁଳ ବିଜୟ ସହ ଗାଦି ଅକ୍ତିଆର କରିଥିଲେ।

ଆଜି ମମତା କହିଛନ୍ତି, ‘ନନ୍ଦିଗ୍ରାମ ମୋର ପ୍ରିୟ ଆସନ ରହିଥିଲା ଓ ରହିଛି ମଧ୍ୟ। ଏହି ନନ୍ଦୀଗ୍ରାମ ଆସନ ହିଁ ମୋତେ ମୁଖ୍ୟମନ୍ତ୍ରୀ ଚୌକିରେ ବସାଇଥିଲା। ପରେ ଅବଶ୍ୟ ମୁଁ ଭବାନୀପୁର ଆସନରୁ ଲଢ଼ିଥିଲି। କିନ୍ତୁ, ଏଥର ମୁଁ ନନ୍ଦିଗ୍ରାମରୁ ହିଁ ଲଢ଼ିବି। ନନ୍ଦିଗ୍ରାମ ମୋ ବଡ଼ ଭଉଣୀ ହେଲେ ଭବାନୀପୁର ହେଉଛି ସାନ ଭଉଣୀ’ ବୋଲି ସ୍ପଷ୍ଟ କରି ଦେଇଛନ୍ତି ୬୬ ବର୍ଷୀୟା ନେତ୍ରୀ ସୁଶ୍ରୀ ମମତା ବାନାର୍ଜୀ।

ସମ୍ବନ୍ଧିତ ଖବର