ଏଇଟା ସାଧାରଣ ସର୍ଦ୍ଦି ନୁହେଁ, ଆମେରିକା ଉପରେ ‘ଆକ୍ରମଣ’ ରାଷ୍ଟ୍ରପତି ଟ୍ରମ୍ପ୍

ୱାସିଂଟନ୍: କରୋନାଭାଇରସ୍ ସଂକ୍ରମିତ ଆମେରିକାରେ ସ୍ବାଭାବିକ ପରିସ୍ଥିତି ଫେରାଇ ଆଣିବାକୁ ଉଦ୍ୟମ ଚଳାଇଥିବା ବେଳେ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍ କହିଛନ୍ତି ଯେ ତାଙ୍କ ଦେଶକୁ ‘ଆକ୍ରମଣ’ କରାଯାଇଥିଲା।

ବୁଧବାର ଦିନ ହ୍ବାଇଟ୍ ହାଉସ୍ ଠାରେ ପ୍ରାତ୍ୟେହିକ କରୋନାଭାଇରସ୍ ସଂକ୍ରାନ୍ତ ସାମ୍ବାଦିକ ସମ୍ମିଳନୀରେ ରାଷ୍ଟ୍ରପତି ଟ୍ରମ୍ପ୍ କହିଲେ, ଆମକୁ ଆକ୍ରମଣ କରାଯାଇଥିଲା। ଏଇଟା ଗୋଟାଏ ଆକ୍ରମଣ। ଏଇଟା ସାଧାରଣ ସର୍ଦ୍ଦି ନୁହେଁ। ୧୯୧୭ ପର ଠାରୁ କେହି ଏ ଭଳି ପରିସ୍ଥିତି ଦେଖି ନାହାନ୍ତି।

Image Source: OneIndia

କରୋନାଭାଇରସ୍ ମହାମାରୀ ଯୋଗୁଁ‌ ଦୁର୍ଦ୍ଦଶା ପ୍ରପୀଡ଼ିତ ଜନତା ଏବଂ ବ୍ୟବସାୟ ପ୍ରତିଷ୍ଠାନଗୁଡ଼ିକୁ ସହାୟକ ହେବାକୁ ଟ୍ରମ୍ପ୍‌ଙ୍କ ପ୍ରଶାସନ ମଲ୍‌ଟି ଟ୍ରିଲିୟନ୍ ଡଲାର୍ ପ୍ୟାକେଜ୍ ଘୋଷଣା କରିଛି। ଏଥିଯୋଗୁଁ ଯୁକ୍ତରାଷ୍ଟ୍ର ଆମେରିକାର ଜାତୀୟ ଋଣ ବୃଦ୍ଧି ପାଉଛି। ଏ ସଂକ୍ରାନ୍ତରେ ସାମ୍ବାଦିକମାନେ ପ୍ରଶ୍ନ ପଚାରିବାରୁ ରାଷ୍ଟ୍ରପତି କହିଲେ, ଆମ ପାଖରେ ବିକଳ୍ପ ନ ଥିଲା। ଥିଲା କି? ମୁଁ ସବୁ କଥା ବିଷୟରେ ସର୍ବଦା ଚିନ୍ତିତ। ଆମକୁ ସମସ୍ୟାର ସମାଧାନ କରିବାକୁ ପଡ଼ିବ। ବିଶ୍ବ ଇତିହାସରେ ଆମର ବୃହତ୍ତମ ଅର୍ଥନୀତି ଥିଲା… ଚୀନ୍‌ ଠାରୁ ଯଥେଷ୍ଟ ଉତ୍ତମ, ଯେକୌଣସି ଦେଶ ଠାରୁ ମଧ୍ୟ ଉତ୍ତମ।

Image Source: Hindustan Times

ଗତ ତିନି ବର୍ଷ ମଧ୍ୟରେ ଆମେ ତାହା କରିଥିଲେ ଏବଂ ତା’ପରେ ଦିନେ ସେମାନେ ଆସି ସେ ଅର୍ଥନୀତିକୁ ବନ୍ଦ କରିବାକୁ କହିଲେ। ଆମେ ଏବେ ପୁଣି ସେ ଅର୍ଥନୀତି ଖୋଲିବା। ଆମେ ପୂର୍ବ ଭଳି ଶକ୍ତିଶାଳୀ ହେବା, କିନ୍ତୁ ଏହାକୁ ଖୋଲିବା ନିମନ୍ତେ କିଛି ଅର୍ଥ ବ୍ୟୟ କରିବାକୁ ପଡ଼ିବ। ଆମେ ଆମର ବିମାନସେବା ସୁରକ୍ଷିତ ରିଖିଛନ୍ତି। ଅସୁମାରି କମ୍ପାନିଗୁଡ଼ିକୁ ନିରାପଦ ରଖିଛନ୍ତି। ଦୁଇ ମାସ ତଳେ ସବୁଠୁ ଭଲ ଚାଲୁଥିବା ବଡ଼ ବଡ଼ କମ୍ପାନି। ଆଜି ହଠାତ୍ ସେମାନେ ବଜାରରୁ ଉଭେଇ ଯାଇଛନ୍ତି।

ସେ କହିଲେ କି, ଏବେ ସମଗ୍ର ଦେଶରେ ନୂଆ କରୋନାଭାଇରସ୍ ପଜିଟିଭ୍ ସଂଖ୍ୟା ହ୍ରାସ ପାଇଛି। ଭୂତାଣୁ ବିରୋଧରେ ଆମର ରଣ କୌଶଳ ଫଳପ୍ରଦ ହେଉଥିବା ଜଣାପଡୁଛି। ଅବିଳମ୍ବେ ଅଧିକରୁ ଅଧିକ ରାଜ୍ୟ ନିରାପଦରେ ଖୋଲିଯିବ ବୋଲି ଆଶା।

 

ସମ୍ବନ୍ଧିତ ଖବର