ଛାତ୍ର ମୁସଲିମ ବୋଲି ଜାଣି ଆତଙ୍କବାଦୀଙ୍କ ସହ ତୁଳନା କଲେ ପ୍ରଫେସର, ପରେ…

ବେଙ୍ଗାଲୁରୁ: ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀ ସହ ତୁଳନା କରି ଫସିଲେ ପ୍ରଫେସର। ଗତ ସପ୍ତାହରେ କର୍ଣ୍ଣାଟକର ଜଣେ କଲେଜ ପ୍ରଫେସର ମୁସଲମାନ ଛାତ୍ରଙ୍କୁ ଆତଙ୍କବାଦୀଙ୍କ ନାଁ ନେଇ ତୁଳନା କରିଥିଲେ। ତାଙ୍କର ଏହି ଭୁଲ ପାଇଁ ଏବେ ତାଙ୍କୁ ନିଲମ୍ବିତ କରାଯାଇଛି। ଏହା ସହ ଏକ ଭିଡିଓ ମଧ୍ୟ ଭାଇରାଲ ହେଉଛି, ଯେଉଁଥିରେ ଛାତ୍ରଜଣକ ପ୍ରଫେସରଙ୍କୁ ଜବାବ ଦେଉଥିବା ଦେଖିବାକୁ ମିଳିଛି।

ଶୁକ୍ରବାର ଦିନ ଉଡୁପିସ୍ଥିତ ମଣିପାଲ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିରେ ଏହି ଘଟଣା ଘଟିଥିଲା। ପ୍ରଫେସରଜଣକ ଛାତ୍ରଙ୍କୁ ତାଙ୍କ ନାଁ ପଚାରିଥିଲେ ଏବଂ ଛାତ୍ରଜଣକ ନାଁ କହିବା ପରେ ମୁସଲମାନ ବୋଲି ଶୁଣି ତାଙ୍କୁ ପରିହାସ କରିଥିଲେ। ପ୍ରଫେସର କହିଥିଲେ, “ଓ, ତୁମେ କସାବ ପରି!”।

ତେବେ ପ୍ରଫେସରଙ୍କଠାରୁ ଏଭଳି ଶୁଣି ଛାତ୍ରଜଣକ କହିଥିଲେ ଯେ, ମୋତେ ଆତଙ୍କବାଦୀଙ୍କ ସହ ତୁଳନା କରି ମୋ ଧର୍ମକୁ ଅପମାନିତ କରାଯାଇଛି।୨୬/୧୧ରେ ଘଟିଥିବା ଘଟଣା ଖୁସିର ବିଷୟ ନଥିଲା। ଏହି ଦେଶରେ ମୁସଲମାନ ହେବା ଏବଂ ପ୍ରତିଦିନ ଏହି ସବୁ ସାମ୍ନା କରିବା ସହଜ ନୁହେଁ, ସାର୍। ଆପଣ ମୋର ଧର୍ମକୁ ନେଇ ଥଟ୍ଟା କରିପାରିବେ ନାହିଁ, ତାହା ମଧ୍ୟ ଏପରି ଅପମାନଜନକ ଢ଼ଙ୍ଗରେ।”

ଛାତ୍ରଜଣକ ଏଭଳି ରାଗିଯିବାରୁ ପ୍ରଫେସର କହିଥିଲେ ଯେ, ତୁମେ ମୋ ପୁଅ ଭଳି। ଏହା ଶୁଣି ଛାତ୍ରଜଣକ କହିଥିଲେ, “ଆପଣ ଆପଣଙ୍କ ପୁଅ ସହିତ ଏଭଳି କଥାବାର୍ତ୍ତା କରିବେ କି? ଆପଣ ତାଙ୍କୁ ଆତଙ୍କବାଦୀ ନାଁରେ ଡାକିବେ କି?” ଉତ୍ତରରେ ପ୍ରଫେସର ନାଁ କହିବାରୁ ଛାତ୍ରଜଣକ କହିଥିଲେ, “ତା’ହେଲେ ଏତେ ପିଲାଙ୍କ ସାମ୍ନାରେ ଆପଣ ମୋତେ କସାବ ସହ କିଭଳି ତୁଳନା କରିପାରିଲେ? ଆପଣ ଜଣେ ପେସାଦାର ପ୍ରଫେସର, ଆପଣ ଶିକ୍ଷାଦାନ କରୁଛନ୍ତି। କ୍ଷମା ମାଗିଲେ ଆପଣ ଚିନ୍ତାଧାରା ବଦଳିଯିବ ନାହିଁ।

ତେବେ ଏହି ଭିଡିଓ ଭାଇରାଲ ହେବା ପରେ ଏବେ ପ୍ରଫେସରଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର