ନୂଆଦିଲ୍ଲୀ: ବିଗତ କିଛି ମାସ ହେଲା ଭାରତୀୟ ବିମାନସେବା କ୍ଷେତ୍ର ଭୁଲ କାରଣରୁ ଚର୍ଚ୍ଚାରେ ରହିଆସିଛି । କେଉଁ ଯାତ୍ରୀ ସାଥୀ ଯାତ୍ରୀଙ୍କ ଉପରେ ପରିସ୍ରା କଲେଣି ତ ଆଉ କିଏ ଏୟାରହୋଷ୍ଟେସଙ୍କ ସହ ବଚସା କଲେଣି, ପୁଣି କେଉଁ ଯାତ୍ରୀ ଅନ୍ୟ ଯାତ୍ରୀଙ୍କ ସହ ମାଡ଼ ହେଲେଣି । ସୋମବାରଦିନ ଏପରି ଆଉ ଏକ ଘଟଣା ଘଟିଛି । ଜଣେ ଯାତ୍ରୀ ଏୟାରହୋଷ୍ଟେସଙ୍କୁ ଗାଳି କରିବା ସହ ଅସଦାଚରଣ କରିଥିବା ଅଭିଯୋଗ ହେଇଛି ।

Advertisment

ଘଟଣାଟି ଘଟିଛି ସ୍ପାଇସଜେଟର ଦିଲ୍ଲୀ-ହାଇଦ୍ରାବାଦ ବିମାନରେ । ମିଳିଥିବା ସୂଚନା ଅନୁଯାୟୀ, ଯାତ୍ରୀ ଜଣକ ମହିଳା କ୍ରୁ ସଦସ୍ୟଙ୍କ ସହ ଅସଦାଚରଣ କରିଥିବା ଅଭିଯୋଗ ହୋଇଛି। ଏହି ଘଟଣା ସହିତ ଜଡିତ ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି । ଏହି ଭିଡିଓରେ ଯାତ୍ରୀ ଜଣକ ମହିଳା କ୍ରୁ ସଦସ୍ୟଙ୍କ ଉପରେ ଚିତ୍କାର କରୁଥିବା ଦେଖିବାକୁ ମିଳିଛି ।  ଏହା ପରେ, ଆଉ କିଛି ଯାତ୍ରୀ ସେଠାକୁ ଆସି ଉକ୍ତ ଯାତ୍ରୀଙ୍କୁ ବୁଝାଉଥିବା ଦେଖାଯାଉଛି ।

ଏୟାରହୋଷ୍ଟେସଙ୍କ ଅଭିଯୋଗ ଅନୁସାରେ ସଂପୃକ୍ତ ଯାତ୍ରୀ ତାଙ୍କ ଅଶାଳୀନ ଭାବେ ସ୍ପର୍ଶ କରିଥିଲେ । କିନ୍ତୁ ଅନ୍ୟ ଯାତ୍ରୀମାନେ କହିଛନ୍ତି ଯେ ଏହା ଦୁର୍ଘଟଣାବଶତଃ ହୋଇଥିଲା । ନିଜେ ଅଭିଯୁକ୍ତ ଯାତ୍ରୀ ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ଏହି ଘଟଣା ପରେ ଏୟାରହୋଷ୍ଟେସଙ୍କ ଅଭିଯୋଗ କ୍ରମେ ବିମାନ ପକ୍ଷରୁ ସଂପୃକ୍ତ ଯାତ୍ରୀ ଓ ତାଙ୍କ ସାଥୀକୁ ବିମାନରୁ ଓହ୍ଲାଇ ଦିଆଯାଇଥିଲା ଓ ସୁରକ୍ଷାକର୍ମୀଙ୍କ ହାତରେ ଦିଆଯାଇଥିଲା । ସଂପୃକ୍ତ ଯାତ୍ରୀ ଲିଖିତ କ୍ଷମା ମାଗିଥିବା ସ୍ପାଇସ ଜେଟ ପକ୍ଷରୁ କୁହାଯାଇଛି ।