ନୂଆଦିଲ୍ଲୀ: ‌ଟିଭି ଦେଖା ଅନୁଭୂତିକୁ ଏକ ନୂଆ ସ୍ତରକୁ ନେବା ଉପରେ କେନ୍ଦ୍ର ସରକାର କାମ କରୁଛନ୍ତି। ଲୋକମାନେ ନିଜ ମୋବାଇଲ୍ ଫୋନ୍‌ରେ ଟିଭି ଦେଖିପାରିବେ। ସେଥିପାଇଁ ‌ଇଣ୍ଟରନେଟ୍ ସଂଯୋଗ ଦରକାର ପଡ଼ିବନି। ଫୋନ୍‌ରେ ସିମ୍ ନଥିଲେ ବି ଟିଭି ଦେଖିହେବ। ସରକାର ଏବେ ଡାଇରେକ୍ଟ-ଟୁ-ମୋବାଇଲ୍ ପ୍ରସାରଣ ଉପରେ କାମ କରୁଛନ୍ତି। ଏ ସମ୍ପର୍କରେ ସୂଚନା ଓ ପ୍ରସାରଣ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ଖୁବ୍‌ଶୀଘ୍ର ଦେଶର ୧୯ଟି ସହରରେ ଡାଇରେକ୍ଟ-ଟୁ-ମୋବାଇଲ୍‌ ପ୍ରସାରଣର ପରୀକ୍ଷଣ ଆରମ୍ଭ କରାଯିବ। ଏହି ନୂଆ ପ୍ରଯୁକ୍ତି ପାଇଁ ୪୭୦-୫୮୨ ମେଗାହର୍ଜ ସ୍ପେକ୍ଟ୍ରମ୍ ସଂରକ୍ଷିତ ରଖାଯାଇଛି। ଯଦି ୨୫-୩୦ ପ୍ରତିଶତ ଲୋକ ଏହି ମାଧ୍ୟମରେ ମୋବାଇଲ୍‌ରେ ଟିଭି ଦେଖିବେ ତେବେ ୫ଜି ନେଟ୍‌ୱର୍କ ଉପରେ ରହୁଥିବା ଚାପ କମ୍ ହେବ ଏବଂ ଦେଶର ଡିଜିଟାଲ୍ ବିପ୍ଳବ ଆହୁରି ତ୍ବରାନ୍ବିତ ହୋଇପାରିବ ବୋଲି ସେ କହିଛନ୍ତି। ଗତବର୍ଷ ଏହି ପ୍ରଯୁକ୍ତିକୁ ବେଙ୍ଗାଲୁରୁ, କର୍ତବ୍ୟ ପଥ ଓ ନୋଏଡ଼ାରେ ପରୀକ୍ଷଣ କରାଯାଇଥିଲା।

Advertisment

ଶ୍ରୀ ଚନ୍ଦ୍ରା କହିଛନ୍ତି ଯେ ଏହି ପ୍ରଯୁକ୍ତି ଦ୍ବାରା ଟିଭି ଦେଖିପାରୁ ନଥିବା ୮-୯ କୋଟି ଲୋକଙ୍କ ପାଖରେ ଟିଭି ପହଞ୍ଚିପାରିବ। ଦେଶରେ ୨୮ କୋଟି ପରିବାର ଥିବା ବେଳେ ସେଥିରୁ ମାତ୍ର ୧୯ କୋଟି ପରିବାର ପାଖରେ ଟିଭି ରହିଛି। ଦେଶରେ କିନ୍ତୁ ୮୦ କୋଟି ସ୍ମାର୍ଟଫୋନ୍ ରହିଛି। ୬୯ ପ୍ରତିଶତ ଲୋକ ସ୍ମାର୍ଟଫୋନ୍‌ରେ ଭିଡିଓ ହିଁ ଦେଖୁଛନ୍ତି। ବହୁ ସଂଖ୍ୟାରେ ଲୋକ ମୋବାଇଲ୍‌ ଜରିଆରେ ଭିଡିଓ ଦେଖୁଥିବାରୁ ମୋବାଇଲ୍ ନେଟ୍‌ୱର୍କ ଉପରେ ଚାପ ପଡ଼ୁଛି। ସେଥିପାଇଁ କିଛି ଲୋକ ଭିଡିଓ ଦେଖିବା ବେଳେ ତାହା ବଫରିଂରେ ଘୂରୁଛି। ଆଇଆଇଟି କାନପୁର ଓ ସଂଖ୍ୟା ଲ୍ୟାବ୍‌ସ ତରଫରୁ ଡାଇରେକ୍ଟ-ଟୁ-ମୋବାଇଲ୍‌ ପ୍ରଯୁକ୍ତି ବିକାଶ କରାଯାଇଛି। ଯୋଗାଯୋଗ ଭିତ୍ତିଭୂମି, ସାର୍ବଜନୀନ ପ୍ରସାରଣ ବ୍ୟବସ୍ଥାକୁ ବ୍ୟବହାର କରି ଏହି ପ୍ରଯୁକ୍ତି ଭିଡିଓ, ଅଡିଓ ଓ ଡାଟାକୁ ମୋବାଇଲ୍ ଓ ଛୋଟ ଡିଭାଇସ୍‌ରେ ପହଞ୍ଚାଇବ।