ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ଜଳ ସଂରକ୍ଷଣ କରାଯିବ

ନୂଆଦିଲ୍ଲୀ : ଭୂତଳ ଜଳ ସ୍ତର ଦ୍ରୁତ ଗତିରେ ହ୍ରାସ ପାଉଥିବାରୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ଜଳ ସଂରକ୍ଷଣ ଦିଗରେ ତ୍ବରିତ ପଦକ୍ଷେପ ଗ୍ରହଣ ପାଇଁ ତତ୍ପରତା ପ୍ରକାଶ ପାଇଛି। ଏଣିକି ଜାତୀୟ ରାଜପଥର ଉଭୟ ପାର୍ଶ୍ବରେ ବର୍ଷା ଜଳକୁ ସଞ୍ଚୟ କରାଯିବ। ଦେଶର ପ୍ରତ୍ୟେକ ଏକ କିଲୋମିଟର ଦୂରତାର ଜାତୀୟ ରାଜପଥରେ ଏହି ବ୍ୟବସ୍ଥା ଲାଗୁ କରାଯିବ। ଠିକାଦାର ଓ ସଡ଼କ ନିର୍ମାଣ ସଂସ୍ଥାମାନେ ଏହାର ବ୍ୟବସ୍ଥା କରିବେ। କେନ୍ଦ୍ର ସଡ଼କ ପରିବହନ ଓ ରାଜପଥ ମନ୍ତ୍ରାଳୟ ପକ୍ଷରୁ ଦେଶର ସମସ୍ତ ମୁଖ୍ୟ ଶାସନ ସଚିବମାନଙ୍କୁ ଏ ନେଇ ପତ୍ର ଲେଖାଯାଇଛି । ପୂର୍ତ୍ତ ନିର୍ମାଣ ବିଭାଗ ଓ ଏନଏଚ୍‌ଏଆଇର ଅଧିକାରୀମାନଙ୍କୁ ମଧ୍ୟ ଏନେଇ ନିର୍ଦ୍ଦେଶ ଦିଆଯାଇଛି। ଜାତୀୟ ରାଜମାର୍ଗର ଡ୍ରେନେଜ୍ ସିଷ୍ଟମରେ ବର୍ଷା ଜଳକୁ ସଞ୍ଚୟ କରାଯିବ। ପ୍ରତି କିଲୋମିଟରରେ ପାଖାପାଖି ୬୦ ଲକ୍ଷ ଲିଟରରୁ ଅଧିକ ବର୍ଷା ଜଳକୁ ସଞ୍ଚୟ କରାଯାଇ ପାରିବ। କେବଳ ଜାତୀୟ ରାଜପଥ ନୁହେଁ ଦେଶର ସମସ୍ତ ଟୋଲ୍‌ ପ୍ଲାଜା, ସଡ଼କ ଯାତ୍ରୀ ସୁବିଧା ସ୍ଥଳର ଭବନଗୁଡ଼ିକରେ ମଧ୍ୟ ଜଳ ସଞ୍ଚୟ କରିବାକୁ ପଡ଼ିବ। ନିର୍ମାଣ କମ୍ପାନିମାନେ ତଥା ଠିକାଦାରମାନେ ଏହାର ପରିଷ୍କାର ଓ ପରିଚ୍ଛନ୍ନତା ପ୍ରତି ଦୃଷ୍ଟି ଦେବେ ବୋଲି ମନ୍ତ୍ରାଳୟ ପକ୍ଷରୁ କୁଆଯାଇଛି। ଉଲ୍ଲେଖଯୋଗ୍ୟ କେନ୍ଦ୍ର ଜଙ୍ଗଲ ଓ ପରିବେଶ ମନ୍ତ୍ରାଳୟ ୨୦୦୯ରେ ବର୍ଷା ଜଳ ସଞ୍ଚୟ ପାଇଁ ନିର୍ଦ୍ଦେଶ ଦେଇଥିଲେ। ୧୦ ବର୍ଷ ବିତିଯିବା ପରେ ମଧ୍ୟ ଏହାକୁ ଲାଗୁ କରାଯାଇ ପାରୁନଥିଲା। ହେଲେ ଦେଶର ଭୂତଳ ଜଳସ୍ତର ଯେଭଳି ମାତ୍ରାରେ ହ୍ରାସ ପାଉଛି ତାହାକୁ ସଜ୍ଞାନରେ ନେଇ ଏହାକୁ ଲାଗୁ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ସମ୍ବନ୍ଧିତ ଖବର