୩ ଜଳ ବିବାଦ ମାମଲା: ନ୍ୟାୟ ଅପେକ୍ଷାରେ ଓଡ଼ିଶା

ସର୍ବୋଚ୍ଚ ନ୍ୟାୟାଳୟରେ ପଡ଼ିରହିଛି ପୋଲାଭରମ୍‌, ବଂଶଧାରା ମାମଲା
ମହାନଦୀ ଟ୍ରିବ୍ୟୁନାଲର ୨୨ଟି ଶୁଣାଣି, ବାହାରିପାରିନି ସମାଧାନ ସୂତ୍ର

ନୂଆଦିଲ୍ଲୀ, (ନଇମ ଅଖତାର) : ବିବାଦୀୟ ପୋଲାଭରମ ଇନ୍ଦିରାସାଗର ପ୍ରକଳ୍ପ , ମହାନଦୀ ଜଳବିବାଦ ଓ ବଂଶଧାରା ଜଳବିବାଦ ମାମଲାରେ ନ୍ୟାୟ ଅପେକ୍ଷାରେ ଓଡ଼ିଶା। ଏହି ତିନିଟି ଜଳ ବିବାଦ ଏବେ ସର୍ବୋଚ୍ଚ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲରେ ଚାଲିଛି। କରୋନା ମହାମାରୀ ଯୋଗୁ ସର୍ବୋଚ୍ଚ ନ୍ୟାୟାଳୟ ଓ ଟ୍ରିବ୍ୟୁନାଲଙ୍କ କାର୍ଯ୍ୟ ବାଧାପ୍ରାପ୍ତ ହୋଇଥିବାରୁ ମାମଲାଗୁଡ଼ିକର ଶୁଣାଣିରେ ଆଖିଦୃଶିଆ ଅଗ୍ରଗତି ହୋଇପାରୁନାହିଁ।

ଅପରପକ୍ଷେ ଏହି ସବୁ ଜଳ ବିବାଦ ମାମଲାରେ ଓଡ଼ିଶାକୁ ନ୍ୟାୟ ପ୍ରଦାନ କରିବା ଦାବିରେ ବିଗତ ଦିନମାନଙ୍କରେ ରାଜନୈତିକ ସ୍ତରରେ ଯେଉଁ ଭଳି ଉତ୍ସାହ ପ୍ରର୍ଦଶନ କରାଯାଉଥିଲା, ତାହା କ୍ରମଶଃ କମିଗଲା ଭଳି ଜଣାପଡ଼ୁଛି। ପୋଲାଭରମ ଓ ବଂଶଧାରା ଜଳବିବାଦ ମାମଲାର ଶୁଣାଣି ପାଇଁ ସୁପ୍ରିମକୋର୍ଟ ବର୍ତ୍ତମାନ ସୁଦ୍ଧା କୌଣସି ତାରିଖ ଧାର୍ଯ୍ୟ କରିନଥିବା ବେଳେ ଆସନ୍ତା ଶନିବାର ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ୨୩ତମ ଶୁଣାଣି କରିବେ।

YSRCongress

ଓଡିଶାର ବୃହତର ସ୍ବାର୍ଥକୁ ଅଣଦେଖା କରି ଆନ୍ଧ୍ର ସରକାରଙ୍କ ପୋଲାଭରମ ପ୍ରକଳ୍ପ ନିର୍ମାଣ ନିଷ୍ପତ୍ତି ବିରୋଧରେ ଓଡ଼ିଶା ସରକାର ୨୦୦୭ରେ ସୁପ୍ରିମକୋର୍ଟରେ ଅରିଜିନାଲ ସୁଟ ଦାଖଲ କରିଥିଲେ। ରାଜ୍ୟ ସରକାରଙ୍କ ଦ୍ବାରା ଅରିଜିନାଲ ସୁଟ୍‌ ଦାଖଲ କରାଯିବା ପରେ ପ୍ରକଳ୍ପର ବିବାଦୀୟ ପ୍ରସଙ୍ଗରେ ବିଭିନ୍ନ ସମୟରେ ଏକାଧିକ ମଧ୍ୟବର୍ତ୍ତୀକାଳୀନ ଆବେଦନ ମଧ୍ୟ ଦାଖଲ କରାଯାଇଥିଲା। ମଧ୍ୟବର୍ତ୍ତୀକାଳୀନ ଆବେଦନର ଶୁଣାଣିରେ ଓଡ଼ିଶାକୁ ଆଜି ପର୍ଯ୍ୟନ୍ତ କୌଣସି ଆଶ୍ବସ୍ତି ମିଳି ପାରିନଥିବାବେଳେ ଓଡ଼ିଶା ଦ୍ବାରା ଦାଖଲ ଅରିଜିନାଲ ସୁଟ୍‌ର ବର୍ତ୍ତମାନ ପର୍ଯ୍ୟନ୍ତ ଶୁଣାଣି ଆରମ୍ଭ ହୋଇପାରିନାହିଁ। ସବୁଠାରୁ ବିଡ଼ମ୍ବନାର କଥା ହେଉଛି ଅରିଜିନାଲ ସୁଟ୍‌ର ଶୁଣାଣି ପାଇଁ ୨୦୧୮ ମସିହା ଅଗଷ୍ଟ ୨ ତାରିଖରେ ସୁପ୍ରିମକୋର୍ଟ ୧୩ଟି ପ୍ରସଙ୍ଗ ନିର୍ଦ୍ଧାରଣ କରିଥିଲେ। ଏହି ମାମଲାରେ ପକ୍ଷଭୁକ୍ତଥିବା ୬ଟି ରାଜ୍ୟ ମଧ୍ୟରୁ ଓଡ଼ିଶାର ସର୍ବାଧିକ ୮ଟି ପ୍ରସଙ୍ଗକୁ କୋର୍ଟ ବିଚାର ପାଇଁ ନେଇଥିଲେ। ଓଡ଼ିଶାର ସ୍ବାର୍ଥକୁ ଗୁରୁତ୍ବ ମିଳିବ ବୋଲି ଆଶା କରାଯାଉଥିଲା। ପ୍ରସଙ୍ଗ ନିର୍ଦ୍ଧାରଣ କରାଯିବା ଠାରୁ ମାମଲା ଯେଉଁଠି ଥିଲା ସେଇଠି ଅଛି। ମାମଲାର ଭାଗ୍ୟ ଅନିଶ୍ଚିତତା ମଧ୍ୟକୁ ଚାଲିଯାଇଛି।

ଅପରପକ୍ଷେ, କରୋନା କଟକଣା ପରିପ୍ରେକ୍ଷୀରେ ସୁପ୍ରିମକୋର୍ଟରେ ପୋଲାଭରମ ମାମଲା ଶୀଘ୍ର ଶୁଣାଣି ତାଲିକାରେ ସ୍ଥାନିତ କରିବା ପାଇଁ ଓଡ଼ିଶା ପକ୍ଷରୁ କୌଣସି ପ୍ରୟାସ କରାଯାଇନଥିବାର ଜଣାପଡ଼ିଛି। ପୋଲାଭରମ ପ୍ରକଳ୍ପର କାର୍ଯ୍ୟକୁ ତ୍ବରାନ୍ବିତ କରିବା ପାଇଁ ଆନ୍ଧ୍ର ସରକାର ତତ୍ପର ରହିଥିବା ବେଳେ ନ୍ୟାୟିକ ଦୃଷ୍ଟିରୁ ଓଡ଼ିଶା ଏହାର ଶୁଣାଣି ପାଇଁ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିକଟରେ ଅନ୍ତରୀଣ ଆବେଦନ କରିପାରିବ। ସୁପ୍ରିମକୋର୍ଟଙ୍କ ରେକର୍ଡ ଅନୁସାରେ ୨୦୧୮ ଏପ୍ରିଲରୁ ୨୦୨୦ ଫେବ୍ରୁଆରୀ ୨୦୨୦ ସୁଦ୍ଧା ପୋଲାଭରମ ସଂପର୍କିତ ମାମଲାର ଶୁଣାଣି ୫୫ ଥର ହୋଇଛି। ପୋଲାଭରମ ପ୍ରକଳ୍ପ ଯୋଗୁ ବିଭିନ୍ନ ବୁଡ଼ି ଅଂଚଳରେ ଏହାର କିପରି ପ୍ରଭାବ ପଡ଼ିବ ତାହା ଅନୁଧ୍ୟାନ କରାନଯାଇ ଏବଂ ପରିବେଶ ମଂଜୁରୀ ବିନା ପୋଲାଭରମ ପ୍ରକଳ୍ପ କାର୍ଯ୍ୟ ଚ‌ାଲିଛି, ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ଓଡ଼ିଶାର ମ‌ାଲକାନଗିରି ଜିଲ୍ଲାର ଅନେକ ଆଦିବାସୀ ଘର ଓ ଜମି ହରାଇବେ ବୋଲି ଓଡ଼ିଶା ଦ୍ବାରା ସୁପ୍ରିମକୋର୍ଟକୁ ଅବଗତ କରାଯାଇଛି। ସୁପ୍ରିମକୋର୍ଟରେ ଏହି ମାମଲାର ପରିଚାଳନା ପାଇଁ ରାଜ୍ୟ ସରକାର ବରିଷ୍ଠ ଆଇନଜୀବୀ ‌ଗୋପାଳ ସୁବ୍ରମଣ୍ୟମଙ୍କୁ ନିୟୋଜିତ କରିଛନ୍ତି।

Odisha Bytes

ଚଳିତ ବର୍ଷ ଜୁନ୍‌ ୨୧ରେ ବଂଶଧାରା ନଦୀ ଉପରେ ନେରେଡ଼ି ଠାରେ ଆନିକଟ ନିର୍ମାଣ ପାଇଁ ଓଡ଼ିଶା ଓ ଆନ୍ଧ୍ର ପ୍ରଦେଶ ମଧ୍ୟରେ ଲାଗି ରହିଥିବା ନ୍ୟାୟିକ ବିବାଦର ରାୟ ପ୍ରକାଶ ପାଇଥିବା ତଥା ଆନ୍ଧ୍ର ପ୍ରଦେଶକୁ ଆନିକଟ ନିର୍ମାଣ କରିବାକୁ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲ ଅନୁମତି ଦେବା ସତ୍ତ୍ବେ ବଂଶଧାରା ଜଳ ବିବାଦ ମାମଲାର ଶୁଣାଣି ଏବେ ବି ସୁପ୍ରିମକୋର୍ଟରେ ବିଚାରାଧୀନ ରହିଛି। ବଂଶଧାର ଜଳ ବିବାଦ ଟ୍ରିବ୍ୟୁନାଲର ୨୦୧୭ ସେପ୍ଟେମ୍ବର ୧୩ ତାରିଖର ଚୂଡ଼ାନ୍ତ ରାୟକୁ ରାଜ୍ୟ ସରକାର ସୁପ୍ରିମକୋର୍ଟରେ ଚ୍ୟାଲେଂଜ୍‌ କରିଥିଲେ। ଏହାବାଦ୍‌ ଟ୍ରିବ୍ୟୁନାଲ ନେରେଡ଼ି ବ୍ୟାରେଜ ସ୍ଥଳରେ ଉଭୟ ରାଜ୍ୟକୁ ମିଳିତ ସର୍ଭେ ପାଇଁ ନିର୍ଦ୍ଦେଶ ଦେଇଥିଲେ। ଯାହାକୁ ବିରୋଧ କରି ଓଡ଼ିଶା ଦ୍ବାରା ଆଉ ଏକ ଏସ୍‌ଏଲ୍‌ପି ସୁପ୍ରିମକୋର୍ଟରେ ଦାଖଲ କରାଯାଇଥିଲା।କରୋନା କଟକଣା ଯୋଗୁ ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ଦୁଇଟି ଏସ୍‌ଏଲ୍‌ପିର ଶୁଣାଣି ଆଜି ପର୍ଯ୍ୟନ୍ତ ହୋଇପାରିନାହିଁ। ଦୁଇଟି ଏସ୍‌ଏଲ୍‌ପିର ତ୍ବରିତ ଶୁଣାଣି ପାଇଁ ଓଡ଼ିଶା ପକ୍ଷରୁ କୌଣସି ଆବେଦନ ମଧ୍ୟ କରାଯାଇନାହିଁ। ଅପରପକ୍ଷେ, ଜୁନ ୨୧, ୨୦୨୧ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲର ରାୟ ବି‌ରୋଧରେ ଓଡ଼ିଶା ସୁପ୍ରିମକୋର୍ଟରେ ଏସ୍‌ଏଲ୍‌ପି ଦାଖଲ କରିବ ବୋଲି ବିଶ୍ବସ୍ତ ସୁତ୍ରରୁ ଜଣାପଡ଼ିଛି। ଏଥିପୂର୍ବରୁ ବଂଶଧାରା ଜଳ ବିବାଦ ଟ୍ରିବ୍ୟୁନାଲଙ୍କ ରାୟକୁ କାର୍ଯ୍ୟକ୍ଷମ କରିବା ପାଇଁ ଦୁଇ ରାଜ୍ୟର ସହମତିର ଆବଶ୍ୟକ ରହିଥିବାରୁ ଆନ୍ଧ୍ରପ୍ରଦେଶ ପକ୍ଷରୁ ସହମତି ପ୍ରଦାନ ଅନୁରୋଧକୁ ଓଡ଼ିଶା ସରକାର ଗ୍ରହଣ କରିନଥିଲେ। ଏହାପରେ ଆନ୍ଧ୍ରପ୍ରଦେଶ ପକ୍ଷରୁ ସୁପ୍ରିମକୋର୍ଟରେ କ୍ୟାଭିଏଟ ଦାଖଲ କରାଯାଇଥିଲା। ଟ୍ରିବ୍ୟୁନାଲଙ୍କ ରାୟ ସୁପ୍ରିମକୋର୍ଟରେ ଗ୍ରହଣଯୋଗ୍ୟ ହୋଇପାରିବ କି ନାହିଁ ତାହା ଶୁଣାଣି ସମୟରେ ସ୍ପଷ୍ଟ ହେବ। ଓଡ଼ିଶା ପକ୍ଷରୁ ଏହି ମାମଲାରେ ବଳିଷ୍ଠ ଭାବେ ଓଡ଼ିଶାର ଯୁକ୍ତି ଉପସ୍ଥାପନ ପାଇଁ ଦେଶର ଦୁଇ ଖ୍ୟାତନାମା ଆଇନଜୀବୀ କପିଲ ସିବଲ ଓ ଗୋପାଳ ସୁବ୍ରମଣ୍ୟମଙ୍କୁ ରାଜ୍ୟ ସରକାର ନିୟୋଜିତ କରିଛନ୍ତି।

ମହାନଦୀ ଜଳ ବିବାଦ ଟ୍ରିବ୍ୟୁନାଲ ଗଠନ ହେବାର ତିନି ବର୍ଷ ବିତିଯାଇଥିଲେ ମଧ୍ୟ ମାମଲାରେ ବର୍ତ୍ତମାନ ସୁଦ୍ଧା ଓଡ଼ିଶାକୁ କୌଣସି ପ୍ରକାର ଆଶ୍ବସ୍ତି ମିଳିପାରିନାହିଁ। ଜୁନ ୯, ୨୦୨୧ରେ କେନ୍ଦ୍ର ସରକାର ଟ୍ରିବ୍ୟୁନାଲର ଅବଧିକୁ ୨୦୨୩ ମାର୍ଚ୍ଚ ୧୧ ତାରିଖ ପର୍ଯ୍ୟନ୍ତ ବୃଦ୍ଧି କରିଛନ୍ତି। ମାମଲାରେ ବର୍ତ୍ତମାନ ପର୍ଯ୍ୟନ୍ତ ୨୨ଟି ଶୁଣାଣି ହୋଇଛି। ଆସନ୍ତା ୪ ତାରିଖରେ ୨୩ତମ ଶୁଣାଣି ହେବ। ଓଡ଼ିଶା ଦ୍ବାରା ଦାଖଲ କରାଯାଇଥିବା ମୂଳ ମାମଲାର ଶୁଣାଣି ବର୍ତ୍ତମାନ ସୁ୍ଦ୍ଧା ଆରମ୍ଭ ହୋଇନଥିବାବେଳେ ଓଡ଼ିଶାର ମଧ୍ୟବର୍ତ୍ତୀକାଳୀନ ଆବେଦନର ରାୟ ଏବେବି ଟ୍ରିବ୍ୟୁନାଲ ପ୍ରକାଶ କରିନାହାନ୍ତି।

ଗୁରୁତ୍ବପୁର୍ଣ୍ଣ କଥା ହେଉଛି ମୂଳ ମାମଲାର ଶୁଣାଣି ପାଇଁ ୪୮ଟି ପ୍ରସଙ୍ଗ ନିର୍ଦ୍ଧାରଣ ହେବାର ୧୩ ମାସ ବିତିଯାଇଥିଲେ ବି ଶୁଣାଣି କେବେ ଆରମ୍ଭ ହେବ ସେ ନେଇ ଏବେବି ଅନିଶ୍ଚିତତା ଜାରି ରହିଛି।

ସମ୍ବନ୍ଧିତ ଖବର