ଭୋପାଳ  : ମଧ୍ୟପ୍ରଦେଶର ଧାର୍‌ ଜିଲ୍ଲାରେ ଏକ ନିର୍ମାଣାଧୀନ ଡ୍ୟାମ୍‌ରୁ ପାଣି ଲିକ୍‌ କରିବାରୁ ୧୧ଟି ଗାଁ ଖାଲି କରାଯାଇଛି। ୫୨ ଗ୍ରାମକୁ ଜ‌ଳଶେଚନ ଆବଶ୍ୟକତା ପୂରଣ କରିବାପାଇଁ ଗତ ୪ ବର୍ଷ ଧରି ୩୦୪.୪ କୋଟି ଟଙ୍କା ପ୍ରକଳ୍ପରେ ଏହି ଡ୍ୟାମ୍‌ କାମ ଚାଲିଛି। ତେବେ ଡ୍ୟାମ୍‌ରୁ ଏକ ସ୍ଥାନରୁ ପାଣି ଲିକ୍‌ କରିବାରୁ ୧୧ ଗ୍ରାମକୁ ସତର୍କ କରାଯାଇଛି। ରାଜ୍ୟ ଜଳ ସମ୍ବଳ ମନ୍ତ୍ରୀ ତୁଳଷୀ ସିଲାୱତ ଧାର ସ୍ଥିତ ଡ୍ୟାମ୍‌ ସାଇଟରେ ଅଛନ୍ତି। ଅନ୍ୟ ଅଧୀନସ୍ଥ ମନ୍ତ୍ରୀ, ବରିଷ୍ଠ ଜିଲ୍ଲା ପ୍ରଶାସନ ଏବଂ ପୁଲିସ ଅଧିକାରୀ ମଧ୍ୟ ଡ୍ୟାମ୍‌ ନିକଟରେ ଅଛନ୍ତି।

Advertisment

ଡ୍ୟାମ୍‌ରୁ ପାଣି ଲିକ୍‌ ନିୟନ୍ତ୍ରଣ ପାଇଁ ଚେଷ୍ଟା ଚାଲିଥିଲେ ବି ଏହା ବିଫଳ ହୋଇଛି। ଡ୍ୟାମ୍‌ର ସୁରକ୍ଷା ପ୍ରତି ବିପଦ ସୃଷ୍ଟି ହୋଇଛି। ଧାର ଜିଲ୍ଲାପାଳ ପଙ୍କଜ ଜୈନ କହିଛନ୍ତି, ୧୧ ଗ୍ରାମର ଲୋକଙ୍କୁ ଆମେ ତୁରନ୍ତ ଗାଁ ଛାଡ଼ି ସୁରକ୍ଷିତ ସ୍ଥାନକୁ ଚାଲିଯିବାପାଇଁ କହିଛୁ। ଉକ୍ତ ନିର୍ମାଣାଧୀନ ଡ୍ୟାମ୍‌ର ଲମ୍ବା ୫୯୦ ମିଟର ଏବଂ ଉଚ୍ଚତା ୫୨ ମିଟର। ଡ୍ୟାମରେ ଏବେ ୧୫ ଏମସିଏମ୍‌ ଜଳ ଗଚ୍ଛିତ ଅଛି। ଏନ୍‌ଡିଆରଏଫ୍‌ ଏବଂ ଏସଡିଆରଏଫ୍‌ ଦ୍ବାରା ଉଦ୍ଧାର କାର୍ଯ୍ୟ ଜାରି ରହିଛି। କୌଣସି ଜରୁରୀ ସ୍ଥିତିର ମୁକାବିଲା ପାଇଁ ବାୟୁ‌ସେନା ଏବଂ ଆର୍ମି କମ୍ପାନିର ୨ଟି ହେଲିକପ୍ଟର ମଧ୍ୟ ଆଗୁଆ ରଖାଯାଇଛି।