ଥିରୁଅନନ୍ତପୁରମ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି କେରଳରେ ରାଜ୍ୟର ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଏବଂ ଦେଶର ପ୍ରଥମ ୱାଟର ମେଟ୍ରୋ ଉଦ୍ଘାଟନ କରିଛନ୍ତି। ଥିରୁଅନନ୍ତପୁରମରେ ମୋଦୀ ଆଜି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ ଶୁଭାରମ୍ଭ କରିଛନ୍ତି। ୧୧ଟି ଜିଲ୍ଲା ଦେଇ ଏହି ଟ୍ରେନ୍ ଚାଲିବ। ମୋଦୀ ଆଜି ଥିରୁଅନନ୍ତପୁରମରେ ପହଞ୍ଚିବାପରେ ତାଙ୍କୁ ଭବ୍ୟ ସ୍ବାଗତ କରାଯାଇଥିଲା। ଥିରୁଅନନ୍ତପୁରମ ସେଣ୍ଟ୍ରାଲ ରେଳ ଷ୍ଟେସନ୍ରେ ଆଜି ମୋଦୀ ଏହି ବନ୍ଦେ ଭାରତ ଏକ୍ସପ୍ରେସ ଟ୍ରେନ୍ର ଶୁଭାରମ୍ଭ କରିବା ପୂର୍ବରୁ ପ୍ରଥମେ ଟ୍ରେନ୍ ବଗିରେ ସ୍କୁଲ୍ ଛାତ୍ରଛାତ୍ରୀଙ୍କ ସହ କଥା ହୋଇଥିଲେ। ଏହି ଅବସରରେ କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାଦ, କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ ଏବଂ କଂଗ୍ରେସ ନେତା ଶଶି ଥରୁର ଉପସ୍ଥିତ ଥିଲେ।
ଅନ୍ୟପକ୍ଷେ ପ୍ରଧାନମନ୍ତ୍ରୀ ଆଜି କୋଚିରେ ଦେଶର ପ୍ରଥମ ୱାଟର ମେଟ୍ରୋ ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି। କୋଚି ୱାଟର ମେଟ୍ରୋ ପ୍ରକଳ୍ପ ହେଉଛି ଏକ ସ୍ବତନ୍ତ୍ର ପ୍ରକଳ୍ପ। ଏହା ଖୁବ୍ଶୀଘ୍ର ଏକ ଗୁରୁତ୍ବପୂର୍ଣ୍ଣ ଟ୍ରାନ୍ସପୋର୍ଟ ସିଷ୍ଟମରେ ପରିଣତ ହେବାକୁ ଯାଉଛି। କାରଣ କୋଚିରେ ଅନେକ ଆଇଲାଣ୍ଡ୍ ରହିଛି ଏବଂ ସେଥି ମଧ୍ୟରୁ ୧୦ଟି ଆଇଲାଣ୍ଡ୍ରେ ଅଧିକ ଜନସଂଖ୍ୟା ଅଛନ୍ତି। ତେଣୁ ସେମାନେ କମ୍ ମୂଲ୍ୟରେ ଏହି ମେଟ୍ରୋରେ ଯାତାୟତ କରିପାରିବେ। ମେଟ୍ରୋ ପ୍ରୋଜେକ୍ଟ ୮ଟି ଇଲେକ୍ଟ୍ରିକ ହାଇବ୍ରିଡ୍ ବୋଟ୍ ସହ ଚାଲିବ। କେରଳ ସରକାର ଏବଂ ଜର୍ମାନୀ କମ୍ପାନି କେଏଫଡବ୍ଲ୍ୟୁ ଏହି ଡ୍ରିମ ପ୍ରୋଜେକ୍ଟ ପାଇଁ ପାଣ୍ଠି ଦେଇଥିଲେ। ତେବେ କେରଳ ୱାଟର ମେଟ୍ରୋ ପ୍ରଥମେ ୨ଟି ପଥରେ ଚାଲିବ। ଟିକେଟ ମୂଲ୍ୟ ୨୦ରୁ ଆରମ୍ଭ ହେବ। ଯେଉଁମାନେ ନିୟମିତ ଯାତ୍ରା କରିବେ ସେମାନଙ୍କୁ ପାଇଁ ସାପ୍ତାହିକ ଏବଂ ମାସିକ ପାସ୍ ବ୍ୟବସ୍ଥା କରାଯିବ।