ଶୋଚନୀୟ ହେବାରେ ଲାଗିଛି ଚେନ୍ନାଇର ପାଣି ସମସ୍ୟା, ସର୍ଜରୀ ପାଇଁ ପାଣି କିଣୁଛନ୍ତି ଡ଼ାକ୍ତର, ବଢ଼ିପାରେ ଚିକିତ୍ସା ଖର୍ଚ୍ଚ

ଚେନ୍ନାଇ : ଭାରତର ବିଭିନ୍ନ ସହରରେ ପାଣି ସମସ୍ୟା ରହିଥିଲେ ମଧ୍ୟ ଚେନ୍ନାଇରେ ଏହା ଅଧିକ ଶୋଚନୀୟ ହେବାରେ ଲାଗିଛି । ଦରକାରଠାରୁ ୩୦ପ୍ରତିଶତ କମ ବର୍ଷା ହେବା ଏହି ସମସ୍ୟାକୁ ଆହୁରି ବଢ଼ାଇଛି । ଘରଠାରୁ ଆରମ୍ଭ କରି ହୋଟେଲ ଏବଂ ଡ଼ାକ୍ତରଖାନାରେ ଲୋକେ ପାଣି କିଣି ବ୍ୟବହାର କରିବା ଆରମ୍ଭ କରିଛନ୍ତି । ଏଭଳି ସମସ୍ୟା ଲାଗି ରହିଲେ ଚେନ୍ନାଇବାସୀଙ୍କୁ ପାଣି ମିଳିବା କଷ୍ଟକର ହୋଇ ପଡ଼ିବ ବୋଲି କୁହାଯାଉଛି । ପାଣି କମ ଥିବା ସହ ଏହାର ଦାମ ଦିନକୁ ଦିନ ବଢ଼ିବାରେ ଲାଗିଛି । ଟ୍ୟାଙ୍କର ଯୋଗେ ପାଣି ଯୋଗାଉଥିବା କମ୍ପାନୀ ଦିନକୁ ଦିନ ଦାମ ବଢ଼ାଇବାରେ ଲାଗିଛନ୍ତି ।

ତମ୍ବରମରେ ଥିବା ସୁଦର ଡ଼ାକ୍ତରଖାନାର ଡ଼ାକ୍ତର ରବିଶଙ୍କରଙ୍କ ଅନୁଯାୟୀ, ଏବେ ଡ଼ାକ୍ତରଖାନାର ପ୍ରତିଟି କାମ ପାଇଁ ପାଣି କିଣିବାକୁ ପଡ଼ୁଛି । ସର୍ଜରୀଠାରୁ ଆରମ୍ଭ କରି ପ୍ରତି ଛୋଟ କାମ ପାଇଁ ଡ଼ାକ୍ତରଖାନା ପକ୍ଷରୁ ପାଣି କିଣା ଯାଉଛି । କାରଣ ଡ଼ାକ୍ତରଖାନାକୁ ଯେଉଁଠୁ ପାଣି ଆସେ ତାହା ଏବେ ସଂପୂର୍ଣ୍ଣ ଶୁଖି ଯାଇଛି । ଏଭଳି ପରିସ୍ଥିତିର କୌଣସି ସମାଧାନ କରା ନଗଲେ, ଡ଼ାକ୍ତରଖାନାରେ ମିଳୁଥିବା ସବୁ ସୁବିଧାର ଦାମ ବଢ଼ାଇ ଦିଆଯିବ । ଯାହାର ପ୍ରଭାବ ରୋଗୀ ଏବଂ ତାଙ୍କ ପରିବାର ଉପରେ ପଡ଼ିବ । ଏବେ ପର୍ଯ୍ୟନ୍ତ ୫,୦୦୦ଟ୍ୟାଙ୍କର ସହରରେ ପାଣି ଯୋଗାଉଥିବା ବେଳେ ସହରରେ ଥିବା ସବୁ ଡ଼ାକ୍ତରଖାନା ଟ୍ୟାଙ୍କର ଉପରେ ନିର୍ଭରଶୀଳ ହୋଇ ପଡ଼ିଛି ।

ସମ୍ବନ୍ଧିତ ଖବର