ଉତ୍କଟ ହେଉଛି ଜଳ ସଙ୍କଟ: ୨୦୨୪ ସୁଦ୍ଧା ସବୁ ଘରକୁ ପାଇପ୍‌, ଜଳ ଯୋଗାଣ ବଡ଼ ଚ୍ୟାଲେଂଜ

ନୂଆଦିଲ୍ଲୀ : ଭାରତରେ ଏବେ ଉତ୍କଟ ଜଳସଙ୍କଟ ଦେଖାଦେଇଛି। ଦେଶରେ ୪୦ ପ୍ରତିଶତ ଲୋକ ଏବେ ମରୁଡ଼ି ‌ସମସ୍ୟାର ସମ୍ମୁଖୀନ ହୋଇଥିବାବେଳେ ଏଥିରୁ ୧୬ ପ୍ରତିଶତ ଲୋକ ଅତି ଜଟିଳ ସ୍ଥିତିକୁ ସାମ୍ନା କରୁଛନ୍ତି। ପିଇବା ପାଣି ପାଇଁ ଏବେ ଅନେକ ରାଜ୍ୟରେ ହାହାକାର ଦେଖିବାକୁ ମିଳିଛି। ଆନ୍ଧ୍ରପ୍ରଦେଶ, ବିହାର, ଗୁଜରାଟ, ଝାଡ଼ଖଣ୍ଡ, କର୍ଣ୍ଣାଟକ, ମହାରାଷ୍ଟ୍ର ରାଜସ୍ଥାନ , ତାମିଲନାଡ଼ୁ ଏବଂ ତେଲେଙ୍ଗାନା ମରୁଡ଼ି ହେତୁ ସବୁଠୁ ଅଧିକ ପ୍ରଭାବିତ ଏବଂ ଏଠାରେ ଜଳସଙ୍କଟ ଭୟଙ୍କର ରୂପ ନେଇଛି। ଏହି ରାଜ୍ୟଗୁଡ଼ିକର ଜନସଂଖ୍ୟା ଦେଶର ମୋଟ ଜନସଂଖ୍ୟାର ୪୦ ପ୍ରତିଶତ। ତେବେ କେନ୍ଦ୍ର ସରକାର ଏଯାବତ୍‌ କୌଣସି ରାଜ୍ୟକୁ ମରୁଡ଼ିପ୍ରବଣ ବୋଲି ଘୋଷଣା କରିନଥିଲେ ସୁଦ୍ଧା ଆନ୍ଧ୍ରପ୍ରଦେଶ, ଗୁଜରାଟ, କର୍ଣ୍ଣାଟକ, ମହାରାଷ୍ଟ୍ର, ଓଡ଼ିଶା ଏବଂ ରାଜସ୍ଥାନ ସରକାର ଏହାର କିଛି ଜିଲ୍ଲାଗୁଡ଼ିକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଭାବିତ ଘୋଷଣା କରିଛନ୍ତି। ୨୦୧୮ ନିତି ଆୟୋଗ ରିପୋର୍ଟ ଅନୁଯାୟୀ ପ୍ରାୟ ୬୦୦ ନିୟୁତ ଭାରତୀୟ ଭୟଙ୍କର ଜଳ ସଙ୍କଟର ସମ୍ମୁଖୀନ ହେଉଥିବାବେଳେ, ଭଲ ପାନୀୟ ଜଳ ନପାଇ ପ୍ରତିବର୍ଷ ୨୦,୦୦୦ ‌ଲୋକ ପ୍ରାଣ ହରାଉଛନ୍ତି।

ତେବେ ଭାରତର ଏହି ଜଳ ସଙ୍କଟ ସମସ୍ୟା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ନୂତନ ପାନୀୟ ଜଳ ଯୋଗାଣ ପ୍ରକଳ୍ପ ପାଇଁ ବଡ଼ ଚ୍ୟାଲେଂଜ ସୃଷ୍ଟି କରିଛି। ୨୦୨୪ ସୁଦ୍ଧା ପ୍ରତି ଘରକୁ ପାଇପ୍‌ ଜଳ ଯୋଗାଣ କରିବାପାଇଁ ମୋଦୀ ଲକ୍ଷ୍ୟ ରଖିଛନ୍ତି। ଜଳ ସମସ୍ୟାର ସମାଧାନ ପାଇଁ ‘ଜଳ ଶକ୍ତି ମନ୍ତ୍ରାଳୟ’ ମଧ୍ୟ ଆରମ୍ଭ ହୋଇଛି। କିନ୍ତୁ ସୃଷ୍ଟି ହୋଇଥିବା ଜଳ ସଙ୍କଟ ମୋଦୀଙ୍କର ଏହି ନୂଆ ପ୍ରକଳ୍ପ ବାଟରେ କଣ୍ଟା ସାଜିଛି। ନିତି ଆୟୋଗ ଚେତାବନୀ ଦେଇ କହିଛନ୍ତି ଯେ ୨୦୨୦ ସୁଦ୍ଧା ୨୧ଟି ଭାରତୀୟ ସହରରେ ଭୂତଳ ଜଳର ଅଭାବ ଦେଖାଦେବ ଏବଂ ଭାରତରେ ୭୦ ପ୍ରତିଶତ ଜଳାଶ୍ରୟ ସଂକ୍ରମିତ ହେବାଫଳରେ ମୋଦୀଙ୍କ ନୂଆ ଲକ୍ଷ୍ୟ ପୂରଣ ହେବା ଅସମ୍ଭବ ଲାଗୁଛି।

ଜଳସଙ୍କଟ ପଛର କାରଣ
ଭାରତରେ ଅଧିକାଂଶ କୃଷକ କେବଳ ଧାନ ଏବଂ ଗହମ ଚାଷ କରୁଛନ୍ତି। ଧାନ ଚାଷ ପାଇଁ ଅଧିକ ଜଳର ଆବଶ୍ୟକତା ପଡ଼ୁଥିବାରୁ ଭୂତଳ ଜଳ ସ୍ତର କମିଯାଉଛି। ନିକଟରେ ୟୁନିସେଫ୍‌ ଦ୍ବାରା ପ୍ରକାଶ ପାଇଥିବା ଏକ ରିପୋର୍ଟରେ କୁହାଯାଇଥିଲା ଯେ ଅଧିକାଂଶ ଗ୍ରାମରେ ଏବେ ବି ଲୋକେ ଖୋଲାରେ ମଳତ୍ୟାଗ କରୁଛନ୍ତି। ଏହାଦ୍ବାରା ଜଳ ସଂକ୍ରମିତ ହେଉଛି । ମରୁଡ଼ି ପ୍ରବଣ ଅଞ୍ଚଳଗୁଡ଼ିକରେ କମ୍‌ ବର୍ଷା ମଧ୍ୟ ଜଳସଙ୍କଟ ସମସ୍ୟାକୁ ବଢ଼ାଉଛି ଏବଂ ଏହା ଅନ୍ୟ ଏକ ବଡ଼ ସମସ୍ୟା ହୋଇ ସାମ୍ନାକୁ ଆସିଛି। ବର୍ଷାଜଳକୁ ସଂରକ୍ଷିତ କରି ରଖିବାରେ ବିଶେଷ ପ୍ରୟାସ ହେଉନାହିଁ। ବର୍ଷାଜଳକୁ ବ୍ୟବହାର କରିପାରିଲେ ଭୂତଳ ଜଳ ସ୍ତର ଅଧିକ ବୃଦ୍ଧି ପାଇପାରନ୍ତା।

ସମ୍ବନ୍ଧିତ ଖବର