ଇସଲାମାବାଦ: ସିନ୍ଧୁ ଜଳ ଚୁକ୍ତି ଆଧାରରେ ପାଣି ପାଇଁ ଚିତ୍କାର କରୁଥିବା ପାକିସ୍ତାନ ଆଜି ଅଚାନକ ପିଓକେ (ପାକ୍ ଅଧିକୃତ କାଶ୍ମୀର)ରେ ବନ୍ୟାର ସମ୍ମୁଖୀନ ହୋଇଛି। ୨ ଶହରୁ ଅଧିକ ଗ୍ରାମ ପାଣି ଘେରକୁ ଆସିବା ସମ୍ଭାବନା ଥିବାରୁ ସେଠାରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି। ଭାରତ-ପାକ୍ ଉତ୍ତେଜନା ଏବେ ଚରମରେ ଥିବାବେଳେ ଶନିବାର ପାକିସ୍ତାନ କର୍ତ୍ତୃପକ୍ଷଙ୍କୁ ନ ଜଣାଇ ଭାରତ ହଠାତ୍ ଝେଲମ୍ ନଦୀକୁ ପ୍ରବଳ ପାଣି ଛାଡ଼ିଥିବା ପାକିସ୍ତାନ ଅଭିଯୋଗ କରିଛି। ସୂଚନା ଅନୁସାରେ, ପାକିସ୍ତାନ ଅଧିକୃତ କାଶ୍ମୀରର ମୁଜାଫରାବାଦ ନିକଟରେ ନଦୀର ଜଳସ୍ତର ହଠାତ୍ ବୃଦ୍ଧି ପାଇଛି ଏବଂ ଅନେକ ଅଂଚଳ ଜଳମଗ୍ନ ହୋଇଛି ବୋଲି ପାକ୍ ଗଣମାଧ୍ୟମଗୁଡ଼ିକ ରିପୋର୍ଟ କରିଛନ୍ତି। ଝେଲମ୍ ନଦୀକୂଳରେ ଥିବା ମୁଜାଫରାବାଦଠାରୁ ପ୍ରାୟ ୪୦ କିଲୋମିଟର ଦୂରରେ ଅବସ୍ଥିତ ହାଟିଆନ ବାଲାରେ ସ୍ଥାନୀୟ ପ୍ରଶାସନ ଜଳ ବିପର୍ଯ୍ୟୟ ଆଶଙ୍କା କରି ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି। ମସ୍ଜିଦରେ ଘୋଷଣା ମାଧ୍ୟମରେ ସ୍ଥାନୀୟ ଲୋକଙ୍କୁ ସର୍ବାଧିକ ସତର୍କ ରହିବାକୁ ଚେତାବନୀ ଦିଆଯାଇଛି। ଏହି ଘୋଷଣା ନଦୀକୂଳରେ ରହୁଥିବା ବାସିନ୍ଦାଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଛି ବୋଲି ରିପୋର୍ଟରେ କୁହାଯାଇଛି। ଅନ୍ୟପକ୍ଷରେ ପହଲଗାମ ଆତଙ୍କବାଦୀ ଆକ୍ରମଣ ନେଇ ପାକିସ୍ତାନକୁ ଚେତାବନୀ ଦେଇ ଆଜି କେନ୍ଦ୍ରମନ୍ତ୍ରୀ ହରଦୀପ ସିଂହ ପୁରୀ କହିଛନ୍ତି ଯେ ପଡ଼ୋଶୀ ଦେଶକୁ ଉଚିତ ଶିକ୍ଷା ଦିଆଯିବ ଏବଂ ସେମାନେ ଆଉ କେବେ ବି ଏଭଳି ଜଘନ୍ୟ କାଣ୍ଡ କରିବାକୁ ଚିନ୍ତା କରିବେ ନାହିଁ। ସେ କହିଛନ୍ତି, ପାକିସ୍ତାନ ଏକ ପତନମୁହାଁ ରାଷ୍ଟ୍ର ଯିଏ କି ଆତଙ୍କବାଦକୁ ସରକାରୀ ନୀତିର ଅସ୍ତ୍ର ଭଳି ବ୍ୟବହାର କରୁଛି।
ଭାରତକୁ ଦାୟୀ କଲା ପାକିସ୍ତାନ, ଝେଲମ୍ରୁ ବିନା ସୂଚନାରେ ପାଣି ଛାଡ଼ିଛି
ପାକିସ୍ତାନ ଏକ ପତନମୁହାଁ ଆତଙ୍କୀ ରାଷ୍ଟ୍ର: ଭାରତ
ଚୀନ୍କୁ ଗୁହାରି ଜଣାଇଲା ପାକିସ୍ତାନ
କାଶ୍ମୀରର ଅନନ୍ତନାଗରୁ ଗତରାତିରୁ ପ୍ରବଳ ଜଳ ପ୍ରବେଶ କରି ପାକ୍ ଅଧିକୃତ କଶ୍ମୀରର ଚାକୋଥି ଅଞ୍ଚଳ ଦେଇ ଯାଇଥିଲା। ପାକିସ୍ତାନ ଏହାକୁ ନିନ୍ଦା କରିବା ସହ ଏହାକୁ ଅନ୍ତର୍ଜାତୀୟ ନିୟମ ଓ ଜଳ ଚୁକ୍ତିର ସମ୍ପୂର୍ଣ୍ଣ ଉଲ୍ଲଂଘନ ବୋଲି କହିଛି। ପାକିସ୍ତାନୀ ଆତଙ୍କବାଦୀଙ୍କ ଦ୍ୱାରା ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବରେ ଭାରତ ୧୯୬୦ ସିନ୍ଧୁ ଜଳ ଚୁକ୍ତିକୁ ସ୍ଥଗିତ ରଖିବାକୁ ନିଷ୍ପତ୍ତି ନେବା ପରେ ଏହି ଅଭିଯୋଗ ଆସିଛି। ସୀମାପାର ଆତଙ୍କବାଦକୁ ପାକିସ୍ତାନ ସମର୍ଥନ ନ ଦେବା ପର୍ଯ୍ୟନ୍ତ ଏହି ଚୁକ୍ତି ସ୍ଥଗିତ ରହିବ ବୋଲି ଭାରତ ସରକାର ଘୋଷଣା କରିଛନ୍ତି। ସୂଚନାଯୋଗ୍ୟ, ୧୯୬୦ରେ ସ୍ୱାକ୍ଷରିତ ସିନ୍ଧୁ ଜଳ ଚୁକ୍ତିକୁ ଭାରତ ଏବଂ ପାକିସ୍ତାନ ମଧ୍ୟରେ ନିରନ୍ତର ସହଯୋଗର ଏକ ମାଧ୍ୟମ ଭାବେ ରହିଥିବା ବେଳେ ପାକିସ୍ତାନ ସୀମାପାର ଆତଙ୍କବାଦ ବନ୍ଦ କରୁନଥିବାରୁ ଭାରତ କଠୋର ଆଭିମୁଖ୍ୟ ଗ୍ରହଣ କରିଛି। ଏବେ ପାକିସ୍ତାନ ପାଇଁ ଜଟିଳ ସ୍ଥିତି ସୃଷ୍ଟି ହୋଇଥିବାରୁ ପାକିସ୍ତାନ ତା’ର ସବୁଦିନିଆ ବନ୍ଧୁ ଚୀନ୍କୁ ଏ ବାବଦରେ ଗୁହାରି ଜଣାଇଛି। ପାକିସ୍ତାନର ଉପପ୍ରଧାନମନ୍ତ୍ରୀ ତଥା ବୈଦେଶିକ ମନ୍ତ୍ରୀ ଇଶାକ ଦର୍ ରବିବାର ଚୀନ୍ ବୈଦେଶିକ ମନ୍ତ୍ରୀ ୱାଙ୍ଗ୍ ୟିଙ୍କ ସହ ଆଲୋଚନା କରିଛନ୍ତି। ଏହି ସମୟରେ ଉଭୟ ଦେଶ ଆଞ୍ଚଳିକ ଶାନ୍ତି ଓ ସ୍ଥିରତା ବଜାୟ ରଖିବାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିବା ପାକ୍ ବୈଦେଶିକ ମନ୍ତ୍ରାଳୟ ପକ୍ଷରୁ କୁହାଯାଇଛି।