ଇମ୍ଫାଲ: ମଣିପୁରରେ ଗତବର୍ଷ ମେ’ରୁ ଆରମ୍ଭ ହୋଇଥିବା ଜାତିଆଣ ହିଂସା ଥମିବାର ନାଁ ନେଉନାହିଁ। ସପ୍ତାହେ ହେଲା ରାଜ୍ୟରେ ଆତଙ୍କର ବାତାବରଣ ଦେଖିବାକୁ ମିଳିଥିବା ବେଳେ ସଦ୍ୟ ହିଂସାରେ ମଣିପୁରର ଜିରିବାମ୍ ଜିଲ୍ଲାରେ ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି। ସନ୍ଦିଗ୍ଧ କୁକି ଉଗ୍ରପନ୍ଥୀମାନେ ଜିରିବାମ ଜିଲ୍ଲା ଅଧୀନସ୍ଥ ନୁଙ୍ଗଚାପ୍ପି ଗ୍ରାମ ଉପରେ ଆକ୍ରମଣ କରିଛନ୍ତି। ଜଣେ ୬୩ ବର୍ଷୀୟ ବ୍ୟକ୍ତିଙ୍କୁ ସେମାନେ ଗୁଳିକରି ହତ୍ୟା କରିଛନ୍ତି। ଗତକାଲି ମଧ୍ୟ କୁକି ଉଗ୍ରପନ୍ଥୀଙ୍କ ଆକ୍ରମଣରେ ମୈତେୟୀ ସମ୍ପ୍ରଦାୟର ଜଣେ ବୃଦ୍ଧଙ୍କର ମୋଇରାଙ୍ଗ ଜିଲ୍ଲାରେ ମୃତ୍ୟୁ ହୋଇଥିଲା। ଅନ୍ୟପକ୍ଷେ ମୈତେଇ ସମ୍ପ୍ରଦାୟର ସଶସ୍ତ୍ର ବ୍ୟକ୍ତି ଏବଂ କୁକି ଆଦିବାସୀଙ୍କ ମଧ୍ୟରେ ଆଜି ଗୁଳିକାଣ୍ଡ ହୋଇଛି। ଜଣେ ବ୍ୟକ୍ତିଙ୍କୁ ଶୋଇଥିବା ସମୟରେ ଗୁଳିକରି ହତ୍ୟା କରାଯିବା ପରେ ସୁରକ୍ଷାବାହିନୀର ତତ୍କାଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିଲା। ଗୁଳି ବିନିମୟରେ ୪ ଜଣ ଉଗ୍ରପନ୍ଥୀ ନିପାତ ହୋଇଛନ୍ତି। ଏହି ଘଟଣା ପରେ ମୈତେଇ ସମ୍ପ୍ରଦାୟ ଏବଂ କୁକି ସମ୍ପ୍ରଦାୟ ମଧ୍ୟରେ ଉତ୍ତେଜନା ଚରମରେ ପହଞ୍ଚିଛି। ଜିରିବାମ ଏସ୍ପି ଏବଂ ପୁଲିସ ଟିମ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ନିୟନ୍ତ୍ରଣ କରିବାକୁ ଚେଷ୍ଟା କରୁଛନ୍ତି। ସୁରକ୍ଷାକର୍ମୀ ମଧ୍ୟ ଚୁରାଚାନ୍ଦପୁର ଜିଲ୍ଲାରେ ଉଗ୍ରପନ୍ଥୀଙ୍କ ୩ଟି ବଙ୍କର ଧ୍ବଂସ କରିଦେଇଛନ୍ତି। ଉଗ୍ରପନ୍ଥୀମାନେ ବିଷ୍ଣୁପୁର ଜିଲ୍ଲା ନିକଟରେ ରକେଟ୍ ଆକ୍ରମଣ କରିବାପରେ ସୁରକ୍ଷାକର୍ମୀ ବଙ୍କର ଧ୍ବଂସ କରିଛନ୍ତି।
ପୁଲିସ ଗୁଇନ୍ଦା ବିଭାଗ ଆଇଜି କେ କବିବ ସୁରକ୍ଷା ସ୍ଥିତି ସଂକ୍ରାନ୍ତରେ କହିଛନ୍ତି ଯେ ୯ରୁ ଅଧିକ ଅତ୍ୟାଧୁନିକ ବନ୍ଧୁକ, ୨୧ରୁ ଅଧିକ ମାରଣାସ୍ତ୍ର, ବିପୁଳ ବିସ୍ଫୋରକ, ଗ୍ରେନେଡ୍ ଏବଂ ୱାୟାରଲେସ୍ ସେଟ୍ ଜବତ ହୋଇଛି। ରାଜ୍ୟରେ ଏକ ଆଣ୍ଟି ଡ୍ରୋନ୍ ସିଷ୍ଟମ୍ ମୁତୟନ ହୋଇଛି ଏବଂ ଏକ ସେନା ହେଲିକପ୍ଟର ଦୁର୍ବୃତ୍ତମାନଙ୍କୁ ଚିହ୍ନଟ କରିବାପାଇଁ ପାଟ୍ରୋଲିଂ କରୁଛି। ବିଷ୍ଣୁପୁର, ଜିରିବାମ ଏବଂ ଇମ୍ଫାଲରେ ସୁରକ୍ଷା ବାହିନୀ ହାଇଆଲର୍ଟରେ ଅଛନ୍ତି। ହିଂସା ପ୍ରବଣ ଅଞ୍ଚଳରେ ଦୂରଗାମୀ ରକେଟ୍ ଏବଂ ଡ୍ରୋନ୍କୁ ଫୋକସ୍ କରି କମ୍ବିଂ ଅପରେସନ୍ ଜୋରଦାର ହୋଇଛି। ଇତିମଧ୍ୟରେ ଜାଣିବାକୁ ମିଳିଛି ଯେ ବିଷ୍ଣୁପୁର ଏବଂ ଇମ୍ଫାଲ ପୂର୍ବ ଜିଲ୍ଲାରେ ଲୋକମାନେ ଗତରାତିରେ ଅନେକ ଡ୍ରୋନ୍ ଦେଖିବାପରେ ଲାଇଟ୍ ଅଫ୍ କରିଦେଇଥିଲେ। ଉଗ୍ରପନ୍ଥୀଙ୍କ ବଡ଼ ଆକ୍ରମଣ ଭୟରେ ସମସ୍ତ ଅଂଚଳର ଅନ୍ଧାରରେ ଡୁବି ଯାଇଥିଲା।
ମୁଖ୍ୟମନ୍ତ୍ରୀଙ୍କ ଜରୁରୀ ବୈଠକ
ଇମ୍ଫାଲ: ମଣିପୁର ମୁଖ୍ୟମନ୍ତ୍ରୀ ଏନ୍ ବୀରେନ ସିଂହ ଆଜି ଶାସକ ମେଣ୍ଟର ବିଧାୟକମାନଙ୍କ ସହ ଏକ ଜରୁରୀ ବୈଠକ କରିଛନ୍ତି। ରାଜ୍ୟରେ ଆଇନ ଶୃଙ୍ଖଳା ସ୍ଥିତି ନେଇ ବୈଠକରେ ବିସ୍ତୃତ ଆଲୋଚନା ହୋଇଛି। ଶାସକ ମେଣ୍ଟରେ ବିଜେପି, ନାଗା ପିପୁଲ୍ସ ଫ୍ରଣ୍ଟ୍ ଏବଂ ଏନ୍ପିପି (ନ୍ୟାସନାଲ ପିପୁଲ୍ସ ପାର୍ଟି) ଅଛନ୍ତି। ରାଜ୍ୟପାଳଙ୍କୁ ପରିସ୍ଥିତି ସଂପର୍କରେ ଅବଗତ କରାଯାଇଛି। ମଣିପୁରରେ ସଦ୍ୟ ଆକ୍ରମଣରେ ପୁଣି ୬ ଜଣଙ୍କର ମୃତ୍ୟୁ ହେବାପରେ ମୁଖ୍ୟମନ୍ତ୍ରୀ ଏହି ଜରୁରୀ ବୈଠକ ଡକାଇଛନ୍ତି। ରାଜ୍ୟରେ ବଢ଼ୁଥିବା ହିଂସାକୁ ଦେଖି ପ୍ରଶାସନ ପକ୍ଷରୁ ରାଜ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ନିର୍ଦ୍ଦେଶ ଦିଆଯାଇଛି। ଇତିମଧ୍ୟରେ କୋକୋମି (କୋଅର୍ଡିନେଟିଂ କମିଟି ଅନ୍ ମଣିପୁର ଇଣ୍ଟିଗ୍ରିଟି) ରାଜ୍ୟରେ ବଢ଼ୁଥିବା ହିଂସା ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଜରୁରୀ ସ୍ଥିତି ଘୋଷଣା କରିଛି। ଗତରାତିରେ ଘଟିଥିବା ହିଂସାରେ ଉଭୟ କୁକି ଓ ମୈତେୟୀ ସଂପ୍ରଦାୟର ଲୋକେ ମୃତାହତ ହୋଇଥିବା ବେଳେ ଆଗକୁ ବଡ଼ ଧରଣର ହିଂସା ଆଶଙ୍କା କରାଯାଉଛି।