ଅଯୋଧ୍ୟା ମାମଲା, ଶୁଣାଣି ପାଇଁ ବାଟ ଫିଟିଲା

ନୂଆଦିଲ୍ଲ: ଅଯୋଧ୍ୟା ଜମି ବିବାଦ ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଆଜି ନିଜ ୧୯୯୪ ରାୟକୁ କାଏମ୍ ରଖିବା ଦ୍ବାରା ଅଯୋଧ୍ୟା ଜମି ବିବାଦର ଶୁଣାଣି ପାଇଁ ରାସ୍ତା ପରିଷ୍କାର ହୋଇଛି। ସେହିଭଳି ମାମଲାକୁ ବୃହତ୍ ଖଣ୍ଡପୀଠଙ୍କ ନିକଟକୁ ପଠାଯିବା ଦରକାର ନାହିଁ ବୋଲି ମଧ୍ୟ ଖଣ୍ଡପୀଠ କହିଛନ୍ତି। ଏହାଦ୍ବାରା ମୁସଲିମ ପକ୍ଷମାନଙ୍କୁ ଏକ ବଡ଼ ଝଟ୍‌କା ଲାଗିଛି ବୋଲି କୁହାଯାଉଛି। ଏଣିକି ଅଯୋଧ୍ୟା ବିବାଦ ଟାଇଟଲ୍ ସୁଟ୍‌ର ଶୁଣାଣି ଆରମ୍ଭ ହେବା ନେଇ ବାଟ ଫିଟିଛି। ଅନ୍ୟପକ୍ଷରେ ଏହି ରାୟ ପରେ ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ପରିଷ୍କାର ହୋଇଯାଇଛି ବୋଲି ବିଜେପିର ନେତାମାନେ କହିଛନ୍ତି। ଉଲ୍ଲେଖଯୋଗ୍ୟ, ରାମ ମନ୍ଦିର ପାଇଁ ହେବାକୁ ଥିବା ଆନ୍ଦୋଳନ ପରିପ୍ରେକ୍ଷୀରେ ୧୯୯୨ ଡିସେମ୍ବର ୬ ତାରିଖରେ ଅଯୋଧ୍ୟାରେ ବାବ୍ରୀ ମସ୍‌ଜିଦ୍‌କୁ ଭାଂଗିଦିଆଯାଇଥିଲା। ଏହାକୁ ‌େନଇ ଉଭୟ ଫୌଜଦାରୀ ଓ ଦେୱାନୀ ମାମଲା ଦାଏର ହୋଇଥିଲା। ଟାଇଟଲ ବିବାଦ ସହିତ ଯୋଡ଼ିହୋଇଥିବା ମାମଲା ଏବେ ସୁପ୍ରିମ୍ କୋର୍ଟରେ ଅଟକିଛି। ଅନ୍ୟପକ୍ଷରେ ୨୦୧୦ ସେପ୍ଟେମ୍ବର ୩୦ରେ ଆହ୍ଲାବାଦ ଏ ବାବଦରେ ଗୁରୁତ୍ବପୂର୍ଣ୍ଣ ରାୟ ଦେଇଥିଲେ। ହାଇକୋର୍ଟ କହିଥିଲେ, ୩ ଭାଗ ଜମି ମଧ୍ୟରୁ ମଝି ଭାଗ ହିନ୍ଦୁମାନଙ୍କର ହେବ, ଯେଉଁଠି ରାମଲଲାଙ୍କର ମୂର୍ତ୍ତି ରହିଛି। ସେହିଭଳି ନିମୋହୀ ଆଖଡ଼ାକୁ ଅନ୍ୟ ଏକ ଭାଗ ଦିଆଯାଇଥିଲା। ଏଥିରେ ସୀତା ରସୋଇ ଏବଂ ରାମ ଚବୁତରା ମନ୍ଦିର ସାମିଲ ଥିଲା। ବାକି ଅନ୍ୟ ଏକତୃତୀୟାଂଶ ଭାଗକୁ ସୁନ୍ନି ୱାକ୍‌ଫ ବୋର୍ଡକୁ ଦିଆଯାଇଥିଲା। କିନ୍ତୁ ଏହାକୁ ସବୁ ପକ୍ଷ ବିରୋଧ କରିଥିଲେ ଏବଂ ଏ ‌ନେଇ ସୁପ୍ରିମ୍ କୋର୍ଟରେ ଚାଲେଂଜ କରାଯାଇଥିଲା। ତେବେ ୨୦୧୧ ମେ ୯ ତାରିଖରେ ସୁପ୍ରିମ୍ କୋର୍ଟ ଆହ୍ଲାବାଦ ହାଇକୋର୍ଟଙ୍କ ରାୟ ଉପରେ ରହିତାଦେଶ ଜାରି କରିବା ସହ ପୂର୍ବ ଆଦେଶ କାଏମ ରଖିଥିଲେ।

ଇସ୍‌ମାଇଲ ଫାରୁକି ରାୟ
‌ଡକ୍ଟର ଇସ୍‌ମାଇଲ ଫାରୁକି ଅଯୋଧ୍ୟା ଆଇନ ୧୯୯୩ର ବୈଧତାକୁ ଚାଲେଂଜ କରି ଏକ ପିଟିସନ୍ ଦାଖଲ କରିଥିଲେ। ଏହି ଆଇନ ଅନୁସାରେ କେନ୍ଦ୍ର ସରକାର ବାବ୍ରୀ ମସଜିଦ ଭିତରେ ଓ ବାହାରେ ୬୭.୭୦୩ ଏକର ଜମି ଅଧିଗ୍ରହଣ କରିଥିଲେ। ତେବେ ସୁପ୍ରିମ୍ କୋର୍ଟଙ୍କ ୫ ଜଣିଆ ଖଣ୍ଡପୀଠ ବହୁମତ ଭିତ୍ତିରେ କେନ୍ଦ୍ର ସରକାରଙ୍କ ଉକ୍ତ ଅଧିଗ୍ରହଣକୁ କାଏମ୍ ରଖିଥିଲେ। ଖଣ୍ଡପୀଠ ନିଜ ରାୟରେ କହିଥିଲେ, ଏ ବାବଦରେ କୌଣସି ରାୟ ଦେ‌ବା ଦ୍ବାରା ଦେଶ‌େର ସାଂପ୍ରଦାୟିକ ଦଂଗା ସୃଷ୍ଟି ହେବା ଆଶଙ୍କା ରହିଛି। ଏଥିସହ ଖଣ୍ଡପୀଠ କହିଥିଲେ, ମୁସଲିମମାନେ ଯେ କୌଣସି ସ୍ଥାନରେ ମଧ୍ୟ ନମାଜ ପଢ଼ିପାରିବେ। ଇସଲାମ ଧର୍ମରେ କେବଳ ମସଜିଦରେ ହିଁ ନମାଜ ପଢ଼ାଯାଇ ପାରିବ ବୋଲି କୁହାଯାଇ ନାହିଁ। ତେଣୁ ନମାଜ ପଢ଼ିବା ପାଇଁ ମସଜିଦ ଇସଲାମର ଅବିଚ୍ଛେଦ୍ୟ ଅଂଶ ନୁହେଁ ବୋଲି ଖଣ୍ଡପୀଠ କହିଥିଲେ। ଏହାଛଡ଼ା ବାବ୍ରୀ ମସଜିଦରେ କେନ୍ଦ୍ର ସରକାରଙ୍କ ଜମି ଅଧିଗ୍ରହଣକୁ ସମ୍ବିଧାନ ବିରୋଧୀ ବୋଲି ବିବେଚନା କରାଯାଇ ପାରିବ ନାହିଁ ବୋଲି ଖଣ୍ଡପୀଠ ନିଜ ଯୁକ୍ତି‌େର ଦର୍ଶାଇଥିଲେ। ଖାଲି ସେତିକି ନୁହେଁ, କେନ୍ଦ୍ରକୁ ଉକ୍ତ ସ୍ଥାନରେ ଆଉ ୨.୭୭ ଏକର ଜମି (ଯେଉଁଠାରେ ଏକଦା ବାବ୍ରୀ ମସଜିଦ ଛିଡ଼ା ହୋଇଥିଲା) ଅଧିଗ୍ରହଣ ପାଇଁ ସୁପ୍ରିମ୍ କୋର୍ଟ ଅନୁମତି ଦେଇଥିଲେ। ତେବେ ୨୦୧୦‌େର ଆହ୍ଲାବାଦ ହାଇକୋର୍ଟ କିଛି ଆବେଦନର ବିଚାର କରି ଉକ୍ତ ଜମିର ଏକତୃତୀୟାଂଶକୁ ହିନ୍ଦୁ, ଏକତୃତୀୟାଂଶ ମୁସଲିମ୍ ଏବଂ ଏକତୃତୀୟାଂଶ ଭଗବାନ ରାମଙ୍କୁ ଦେବା ପାଇଁ ରାୟ ଦେଇଥିଲେ। କିନ୍ତୁ ଏହା ଉପରେ ସୁପ୍ରିମ୍ କୋର୍ଟ ରହିତାଦେଶ ଲାଗୁ କରି ପୂର୍ବ ରାୟ କାଏମ ରଖିଥିଲେ।

କିଏ କ’ଣ କହିଲେ
ନୂଆଦିଲ୍ଲୀ: ଇସ୍‌୍‌ଲାମରେ ମସ୍‌୍‌ଜିଦରେ ହିଁ ନମାଜ ଅପରିହାର୍ଯ୍ୟ ନୁହେଁ ବୋଲି ସୁପ୍ରିମ୍‌ କୋର୍ଟ ପୂର୍ବରୁ ଦେଇଥିବା ରାୟକୁ ଆଜି କାଏମ ରଖିଛନ୍ତି ଏବଂ ଏହି ମାମଲାକୁ କୌଣସି ବଡ଼ ଖଣ୍ଡପୀଠକୁ ପଠାଇବାକୁ ମନା କରିଦେଇଛନ୍ତି। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟର ବ୍ୟାପକ ପ୍ରଭାବ ଆଗାମୀ ଦିନରେ ଅଯୋଧ୍ୟା ମାମଲାର ଶୁଣାଣି ଉପରେ ପଡ଼ିବ ବୋଲି ଅନେକ ମତ ଦେଇଛନ୍ତି। ଏହି ରାୟକୁ ନେଇ ରାଜନୈତିକ ବୟାନବାଜି ଆ
ରମ୍ଭ ହୋଇଯାଇଛି। ବିଜେପି ଏହି ରାୟକୁ ସ୍ବାଗତ କରିଛି। କଂଗ୍ରେସ ମଧ୍ୟ ଏହି ନିଷ୍ପତ୍ତିକୁ ଗ୍ରହଣ କରିବା ସହ ବିଜେପି ପ୍ରଭୁ ଶ୍ରୀରାମଙ୍କ ନାମକୁ ନେଇ ରାଜନୀତି କରୁଥିବା କହିଛି। ବିଜେପି ନେତା ସୁବ୍ରମଣ୍ୟନ ସ୍ବାମୀ କହିଛନ୍ତି ଯେ ଏହି ରାୟ ଦ୍ବାରା ରାମ ମନ୍ଦିର ନିର୍ମାଣ ପାଇଁ ରାସ୍ତା ସଫା ହୋଇଯାଇଛି। ଏହାଦ୍ବାରା ଅଯୋଧ୍ୟାରେ ପ୍ରଭୁ ରାମଙ୍କ ପୂଜା କରିବା ପାଇଁ ମୋର ମୌଳିକ ଅଧିକାରର ବିଜୟ ହୋଇଛି ବୋଲି ସ୍ବାମୀ କହିଛନ୍ତି। ବିଶ୍ବ ହିନ୍ଦୁ ପରିଷଦ ସୁପ୍ରିମ୍‌ କୋର୍ଟ ରାୟକୁ ସ୍ବାଗତ କରି କହିଛି ଯେ ଅଯୋଧ୍ୟା ମାମଲାକୁ ଲଟକାଇ ରଖିବା ପାଇଁ ହୋଇଥିବା ପ୍ରୟାସ ବିଫଳ ହୋଇଛି। ସୁପ୍ରିମ୍‌ କୋର୍ଟଙ୍କ ଏହି ରାୟ ଅଯୋଧ୍ୟା ଶୁଣାଣିକୁ ତ୍ବରାନ୍ବିତ କରିବ ବୋଲି ପରିଷଦ କହିଛି। ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କହିଛନ୍ତି ଯେ ଏହି ରାୟ ଦ୍ବାରା ପ୍ରଭୁ ଶ୍ରୀରାମଙ୍କ ଭୂମିକୁ ନେଇ ଲାଗି ରହିଥିବା ବିବାଦର ପରିସମାପ୍ତି ଘଟିଛି।

ଏଆଇଏମ୍‌୍‌ଆଇଏମ୍‌ ନେତା ଅସଉଦ୍ଦିନ ଅୱେସି କହିଛନ୍ତି ଯେ ଏହି ମାମଲା ସମ୍ବିଧାନ ପୀଠକୁ ପଠାଯିବା ଉଚିତ ଥିଲା। ଏହି ରାୟକୁ ଅସ୍ତ୍ର କରି ଧର୍ମନିରପେକ୍ଷବାଦର ଶତ୍ରୁମାନେ ସେମାନଙ୍କ ଲକ୍ଷ୍ୟରେ ଅଗ୍ରସର ହେବେ ବୋଲି ସେ କହିଛନ୍ତି। ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ ରାୟକୁ ସ୍ବାଗତ କରିବା ସହ ଅଯୋଧ୍ୟା ମାମଲାର ଶୁଣାଣି ଅକ୍ଟୋବର ୨୯ରୁ ଆରମ୍ଭ ହେବାକୁ ମଧ୍ୟ ଏ ଦିଗରେ ଏକ ନିର୍ଣ୍ଣାୟକ ପଦକ୍ଷେପ ବୋଲି କହିଛି। ସର୍ବୋଚ୍ଚ ଅଦାଲତ ମାମଲାର ଫଏସଲା ଦିଗରେ ସମୁଚିତ ପଦକ୍ଷେପ ନେବେ ବୋଲି ଆରଏସ୍‌ଏସ୍‌ ଆଶା ପ୍ରକାଶ କରିଛି। ବରିଷ୍ଠ ବିଜେପି ନେତ୍ରୀ ଉମା ଭାରତୀ କହିଛନ୍ତି ଯେ ଅଯୋଧ୍ୟା ମାମଲା କୌଣସି ଧାର୍ମିକ ବିବାଦ ନୁହେଁ । ହିନ୍ଦୁମାନଙ୍କ ପାଇଁ ଅଯୋଧ୍ୟା ଏକ ମହାନ ଧର୍ମପୀଠ, ଅନ୍ୟପକ୍ଷରେ ମୁସ୍‌୍‌ଲିମ୍‌ଙ୍କ ପାଇଁ ମକ୍କା ସେମାନଙ୍କ ପବିତ୍ର ପୀଠ ବୋଲି ଉମା କହିଛନ୍ତି। ଆଜିର ରାୟ ପରେ ଏହି ମାମଲା ଏଣିକି କେବଳ ଜମି ବିବାଦରେ ସୀମିତ ରହିଯାଇଛି ବୋଲି ସେ କହିଛନ୍ତି। ଏଆଇଏମ୍‌୍‌ପିଏଲ୍‌୍‌ବି କାର୍ଯ୍ୟକର୍ତ୍ତା ମୌଲାନା ଖାଲଦି ରସିଦ କହିଛନ୍ତି ଯେ ସୁପ୍ରିମ୍‌ କୋର୍ଟ ଏହି ମାମଲାରେ ଯାହା ଉଚିତ ମନେ କରିଛନ୍ତି ତାହା କରିଛନ୍ତି।

ସମ୍ବନ୍ଧିତ ଖବର