ୱାୟନାଡ: କେରଳର ୱାୟନାଡ ଲୋକସଭା ଆସନ ସମେତ ଦେଶର ବିଭିନ୍ନ ରାଜ୍ୟର ୩୧ଟି ବିଧାନସଭା ଆସନ ଲାଗି ଆଜି ସକାଳୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ଏବେ ମତଦାନ ଚାଲିଥିବା ବେଳେ ଦିନ ୧ଟା ସୁଦ୍ଧା ମୋଟ ୪୦. ୬୭% ଭୋଟ ଗ୍ରହଣ କରାଯାଇଥିବା ଜଣାପଡ଼ିଛି। ପ୍ରଥମ କରି ପ୍ରିୟଙ୍କା ଗାନ୍ଧୀ ନିର୍ବାଚନ ଲଢ଼ୁଥିବା ବେଳେ ତାଙ୍କୁ ମତଦାତାଙ୍କ ଭଲପାଇବା ମିଳିବ କି ନାହିଁ ତା’ ଉପରେ ଏବେ କଂଗ୍ରେସର ନଜର ରହିଛି।
ୱାୟନାଡରୁ ଲୋକସଭା ନିର୍ବାଚନରେ ଜିତିଥିବା ରାହୁଲ ଗାନ୍ଧୀ ସେହି ଆସନକୁ ଛାଡ଼ିବାକୁ ନିଷ୍ପତ୍ତି ନେବା ପରେ ୱାୟାନାଡ ଲୋକସଭା ଆସନ ପାଇଁ ଉପ-ନିର୍ବାଚନ ଜରୁରୀ ହୋଇପଡ଼ିଥିଲା। ଅନେକ ଆଲୋଚନା ପରେ ପ୍ରିୟଙ୍କା ସେହି ଆସନରୁ ଲଢ଼ିବା ପାଇଁ ନିଷ୍ପତ୍ତି ନେଇଥିଲେ। ପ୍ରିୟଙ୍କା କଂଗ୍ରେସ ପ୍ରାର୍ଥୀ ଭାବେ ଲଢ଼ୁଥିବା ବେଳେ ସିପିଆଇ(ଏମ୍) ନେତୃତ୍ବାଧୀନ ଏଲଡିଏଫରୁ ପ୍ରାର୍ଥୀ ହୋଇଛନ୍ତି ସତ୍ୟନ ମୋକେରୀ ଓ ବିଜେପି ନେତୃତ୍ୱାଧୀନ ଏନଡିଏର ନବ୍ୟା ହରିଦାସ | ଏଦୁହିଁଙ୍କୁ ଟକ୍କର ଦେଇ ପ୍ରିୟଙ୍କା ବାଜି ମାରିପାରିବେ କି ନାହିଁ, ତାହା ଏବେ ବଡ଼ ପ୍ରଶ୍ନ।
ତେବେ ୱାୟାନାଡରେ ଥିବା ୧୦୦୦ରୁ ଅଧିକ ବୁଥରେ ସକାଳ ୭ଟାରେ ମତଦାନ ଆରମ୍ଭ ହୋଇଥିଲା। ଏହାର ଫଳାଫଳ ନଭେମ୍ବର ୨୩ରେ ଆସିବ ବୋଲି ଜଣାପଡ଼ିଛି।