ୱାୟାନାଡ: କେରଳର ୱାୟନାଡ଼ରେ ଘଟିଥିବା ଭୟାନକ ଭୂସ୍ଖଳନରେ ନିଖୋଜ ବ୍ୟକ୍ତିଙ୍କୁ ଠାବ କରିବା ପାଇଁ ଚାଲିଥିବା ସର୍ଚ୍ଚ ଅପରେସନ ଆଜି ଷଷ୍ଠ ଦିନରେ ପହଞ୍ଚିଥିବା ବେଳେ ମୃତ୍ୟୁ ସଂଖ୍ୟା ୩୭୦ ଛୁଇଁଛି। ଗତକାଲି ଅପରାହ୍ନରୁ ପ୍ରତିକୂଳ ପରିସ୍ଥିତିରେ ବନ୍ଦ ଥିବା ଉଦ୍ଧାର ଅଭିଯାନ ଆଜି ସକାଳୁ ପୁଣି ଆରମ୍ଭ ହୋଇଛି । ଆଜିର ସର୍ଚ୍ଚ ଅପରେସନରେ ମୁଣ୍ଡାକାଇ ଓ ପଞ୍ଚିରିମଟ୍ଟାମ ଅଞ୍ଚଳକୁ ଫୋକସ୍ କରାଯାଇଛି। ଆସନ୍ତାକାଲି (ସୋମବାର) ଦୁଇଟି ପର୍ଯ୍ୟାୟରେ ସକାଳ ୭ଟାରୁ ଚଲିଆରରେ ପୁଣି ଥରେ ସର୍ଚ୍ଚ ଅପରେସନ ଆରମ୍ଭ ହେବ। ମଙ୍ଗଳବାର ରାତି ସୁଦ୍ଧା ସର୍ଚ୍ଚ ଅପରେସନ ଶେଷ ହେବ ବୋଲି ଆଶା କରାଯାଉଛି। ଅପରେସନ ଚୂଡ଼ାନ୍ତ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ପୀଡ଼ିତ ପରିବାରଙ୍କ ଥାଇଥାନ ପାଇଁ ବିଭିନ୍ନ ପଦକ୍ଷେପ ନିଆଯାଇଛି।

Advertisment

୯୩ ରିଲିଫ୍‌ କ୍ୟାମ୍ପ୍‌ରେ ୧୦ ହଜାର ଲୋକ ଆଶ୍ରୟ ନେଇଛନ୍ତି
ନିଖୋଜଙ୍କ ମଧ୍ୟରେ ୪୯ ଶିଶୁ
ମୃତ୍ୟୁସଂଖ୍ୟା ୩୭୦ ଛୁଇଁଲା

ସେପଟେ ଭୂସ୍ଖଳନରେ ମୃତ୍ୟୁସଂଖ୍ୟା ୩୭୦କୁ ବୃଦ୍ଧି ପାଇଥିବା ବେଳେ ୧୪୮ଟି ମୃତଦେହକୁ ଚିହ୍ନଟ କରାଯାଇ ସେମାନଙ୍କ ସମ୍ପର୍କୀୟଙ୍କୁ ହସ୍ତାନ୍ତର କରାଯାଇଛି । ୨୦୬ ଜଣଙ୍କୁ ଏପର୍ଯ୍ୟନ୍ତ ଠାବ କରାଯାଇନାହିଁ। ମୃତକଙ୍କ ମଧ୍ୟରେ ୩୦ ଜଣ ଶିଶୁ ଅଛନ୍ତି। ବର୍ତ୍ତମାନ ୯୩ଟି ରିଲିଫ୍ କ୍ୟାମ୍ପରେ ୧୦,୦୪୨ ଜଣ ଲୋକ ଆଶ୍ରୟ ନେଇଛନ୍ତି। ଅଜ୍ଞାତ ମୃତଦେହଗୁଡ଼ିକର ସାର୍ବଜନୀନ ଶ୍ମଶାନରେ ଶେଷକୃତ୍ୟ ସମ୍ପନ୍ନ କରାଯାଉଛି। ଭୂସ୍ଖଳନ ପ୍ରଭାବିତ ସମସ୍ତ ଅଞ୍ଚଳରେ ମିଳିତ ସର୍ଚ୍ଚ ଅପରେସନ ଚାଲିଥିବା ବେଳେ ଏଥିରେ ଡଗ୍ ସ୍କ୍ୱାଡ୍‌ ଓ ଥର୍ମାଲ ସ୍କାନର ଗୁରୁତ୍ବପୂର୍ଣ୍ଣ ଭୂମିକା ନେଉଛି। ଏନ୍‌ଡିଆର୍‌ଏଫ୍‌, ଏସ୍‌ଡିଆର୍‌ଏଫ୍‌, ଅଗ୍ନିଶମ ବାହିନୀ ଓ ସେନାର ମିଳିତ ଟିମ୍ ପଞ୍ଚିରିମଟ୍ଟାମ୍, ଚୁରାଲମାଲା, ମୁଣ୍ଡାକାଇ ଏବଂ ସୁଚିପଡ଼ାର ତଳିଆ ଅଞ୍ଚଳ ସମେତ ଚାଲିଆର ନଦୀର ବିଭିନ୍ନ ସ୍ଥାନରେ ନିୟୋଜିତ ଅଛନ୍ତି। ପ୍ରଳୟଙ୍କରୀ ଭୂସ୍ଖଳନରେ ପ୍ରାୟ ୩୭୦୦ ଏକର ଚାଷ ଜମି ନଷ୍ଟ ହୋଇଥିବା ବେଳେ ୨୧.୧ କୋଟି ଟଙ୍କାର ଫସଲହାନି ହୋଇଛି। ଅନ୍ୟପକ୍ଷରେ ପ୍ରଭାବିତ ଅଞ୍ଚଳର ୪୯ ଜଣ ଶିଶୁ ନିଖୋଜ ଥିବା ପ୍ରଶାସନ ସୂତ୍ରରୁ ଜଣାପଡ଼ିଛି।