କୋଲକାତା: ଦୁର୍ଗାପୁରରେ ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲା । ଦାୟିତ୍ବହୀନ ମନ୍ତବ୍ୟ ସହ ଅଜବ ଯୁକ୍ତି କରିଛନ୍ତି ପଶ୍ଚିମବଙ୍ଗ ମୁଖ୍ଯମନ୍ତ୍ରୀ ମମତା ବାନାର୍ଜୀ । ଗଣମାଧ୍ଯମକୁ ପ୍ରତିକ୍ରିୟା ଦେବା ବେଳେ ଓଡିଶାରେ ହୋଇଥିବା ଦୁଷ୍କର୍ମ ଏବଂ ସରକାରଙ୍କ ଆକ୍ସନ ଉପରେ ପ୍ରଶ୍ନ ଚିହ୍ନ ଲଗାଇଛନ୍ତି ଦିଦି । ଗୋପାଳପୁର ଗଣଦୁଷ୍କର୍ମ ଘଟଣାକୁ ଇଙ୍ଗିତ କରି ଦିଦି କହିଛନ୍ତି- ୩ ସପ୍ତାହ ତଳେ ଓଡ଼ିଶାର ବେଳାଭୂମିରେ ଦୁଷ୍କର୍ମ ହୋଇଥିଲା, ସେଥିରେ ରାଜ୍ୟ ସରକାର କଣ ଆକ୍ସନ ନେଲେ ବୋଲି ଦିଦି ପ୍ରଶ୍ନ କରିଥିବା ବେଳେ ଦୁର୍ଗାପୁର ଘଟଣା ନେଇ ବେଳାଭୂମି ଦୁଷ୍କର୍ମ ଘଟଣାର କଣ ଲିଙ୍କ ତାହା ଦିଦିଙ୍କ ଅଜବ ଯୁକ୍ତି ବୋଲି ସ୍ପଷ୍ଟ ଜଣାପଡି ଯାଉଥିବା ବେଳେ ମମତା ଜାଣି ରଖିବା ଉଚିତ ଯେ ଗୋପାଳପୁର ଦୁଷ୍କର୍ମ ଘଟଣାରେ ସଙ୍ଗେ ସଙ୍ଗେ ଆକ୍ସନ ନିଆଯାଇ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି ।

Advertisment

ତେବେ ମମତାଙ୍କ ଏପରି ଅଜବ ଯୁକ୍ତିକୁ ସମାଲୋଚନା କରାଯାଇଥିବା ବେଳେ ଦିଦି ଦୁର୍ଗାପୁର ଗଣଦୁଷ୍କର୍ମ ଘଟଣାରେ ଦାୟିତ୍ବହୀନ ମନ୍ତବ୍ୟ ଦେଇ ପୁଣି କହିଛନ୍ତି- ରାତି ୧୨ଟା ୩୦ ପରେ ମେଡିକାଲ ଛାତ୍ରୀ ଜଣକ କାହିଁକି ବାହାରକୁ ବାହାରିଥିଲେ । ସେ ଏକ ଘରୋଇ ମେଡିକାଲ କଲେଜରେ ପଢ଼ୁଥିଲେ । ଏହି ଘଟଣା ପାଇଁ ଦାୟୀ କିଏ ବୋଲି ମମତା ପ୍ରଶ୍ନ କରିଛନ୍ତି । ଘରୋଇ ମେଡିକାଲ କଲେଜ ଗୁଡ଼ିକ ନିଜ ଛାତ୍ରଛାତ୍ରୀଙ୍କ ସୁରକ୍ଷା ପାଇଁ ଦାୟୀ । ଆଉ ରାତିରେ ସେମାନଙ୍କୁ ବାହାରକୁ ବାହାରିବାକୁ ଦିଆଯିବା ଉଚିତ୍ ନୁହେଁ ବୋଲି କହିଛନ୍ତି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ।  ଆଉ ମମତାଙ୍କ ମନ୍ତବ୍ୟ ପରେ ତାଙ୍କୁ ସବୁ ଆଡ଼ୁ ସମାଲୋଚନା କରାଯିବା ସହ ତାଙ୍କ ମନ୍ତବ୍ୟ ବିବାଦ ସୃଷ୍ଟି କରିଛି । 

ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ବୟାନ ପରେ ଜାତୀୟ ମହିଳା କମିଶନ ସଦସ୍ୟା ଅର୍ଚ୍ଚନା ମଜୁମଦାର କହିଛନ୍ତି- ଆମେ କିପରି କହିପାରିବା ଯେ ସନ୍ଧ୍ୟାରେ ଅର୍ଥାତ୍ ଦିନର ୧୨ ଘଣ୍ଟା ଜଣେ ଝିଅ ଗୋଟେ ଘର ବନ୍ଦ ରହିବା ଉଚିତ ବୋଲି । ଯେଉଁଠି ମହିଳାମାନେ ହସ୍ପିଟାଲ, ଆଇଟି ସେକ୍ଟର ଏବଂ ସବୁଠି ପୁରୁଷମାନଙ୍କ ସହିତ ସମାନ ଭାବରେ କାମ କରୁଛନ୍ତି। ଆଜିର ଝିଅମାନେ ଅଲିମ୍ପିକ୍ସରେ ସ୍ୱର୍ଣ୍ଣ ପଦକ ଜିତୁଛନ୍ତି। ସେମାନେ ମହାକାଶକୁ ଯାଉଛନ୍ତି ଆଉ ଏତିକି ବେଳେ କେମିତି ମମତା କହିପାରୁଛନ୍ତି ଯେ ଝିଅମାନେ ରାତି ୮ଟା ୯ଟା ପରେ ଘରୁ ବାହାରନ୍ତୁ ନାହିଁ ବୋଲି । ମହିଳାଙ୍କ ପାଖରେ କାମ କରିବାର ଶକ୍ତି, କ୍ଷମତା ଏବଂ ଜ୍ଞାନ ଅଛି । ମହିଳାଙ୍କ ପାଖରେ ଛିଡା ହୋଇ ସେମାନଙ୍କ ସୁରକ୍ଷା ପାଇଁ ମୁଖ୍ଯମନ୍ତ୍ରୀ ଆଇନ ତିଆରି କରିବା ଉଚିତ । ନା କି ଏମିତି ଅବାନ୍ତର ମନ୍ତବ୍ୟ ଦେବା ବୋଲି ସମାଲୋଚନା କରିଛନ୍ତି ଅର୍ଚ୍ଚନା । 

ସେପଟେ ରାତି ୧୨ଟା ପରେ ନୁହେଁ ବରଂ ରାତି ୮ଟା ଭିତରେ ଝିଅଟି ବାହାରକୁ କିଛି ଖାଇବା ପାଇଁ ତା ପୁରୁଷ ବନ୍ଧୁ ସହ ଯାଇଥିଲା ବୋଲି ଅର୍ଚ୍ଚନା ପୀଡିତାଙ୍କୁ ଭେଟିବା ପରେ ସ୍ପଷ୍ଟ କରିଛନ୍ତି । ତେଣୁ ସଠିକ୍ ସମୟ ନଜାଣି ମମତା କେମିତି ଏମିତି ମିଥ୍ୟା କହିପାରୁଛନ୍ତି ବୋଲି ବି ସେ ପ୍ରଶ୍ନ ଉଠାଇଛନ୍ତି ।