ନୂଆଦିଲ୍ଲୀ : ପଶ୍ଚିମ ବଙ୍ଗରେ କରୋନା ଜନିତ ମୃତ୍ୟୁହାର ୧୨.୮ ପ୍ରତିଶତ ଯାହାକି ଦେଶରେ ସର୍ବାଧିକ ରହିଛି ବୋଲି କେନ୍ଦ୍ରୀୟ ଟିମ ରିପୋର୍ଟ ଦେଇଛି ।
ପଶ୍ଚିମବଙ୍ଗରେ ପ୍ରାୟ ଦୁଇ ସପ୍ତାହ ରହି ସ୍ଥିତି ପର୍ଯ୍ୟବେକ୍ଷଣ କରିବା ପରେ କେନ୍ଦ୍ରୀୟ ଟିମ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ଓ ପଶ୍ଚିମବଙ୍ଗ ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦେଇଛନ୍ତି । ଏହି ରିପୋର୍ଟରେ କୁହାଯାଇଛି ଯେ ରାଜ୍ୟରେ କେନ୍ଦ୍ରୀୟ ଟିମକୁ ପଶ୍ଚିମବଙ୍ଗ ସରକାର କୌଣସି ସହଯୋଗ କରିନାହାନ୍ତି । ଏପରିକି କୌଣସି ପ୍ରଭାବିତ ଅଞ୍ଚଳକୁ ପରିଦର୍ଶନ କରିବାକୁ ରାଜ୍ୟ ସରକାର ସହାୟତା କରିନଥିଲେ ବୋଲି କମିଟି ଅଭିଯୋଗ କରିଛି । ଟିମ ପକ୍ଷରୁ ରିପୋର୍ଟରେ କୁହାଯାଇଛି ଯେ ପଶ୍ଚିମବଙ୍ଗ ସରକାରଙ୍କ ତରଫରୁ ନିଜର ମେଡିକାଲ ବୁଲେଟିନ ଓ କେନ୍ଦ୍ର ସରକାରଙ୍କୁ ଦିଆଯାଉଥିବା କରୋନା ସଂପର୍କିତ ତଥ୍ୟ ବାସ୍ତବିକତା ସହ ମେଳ ଖାଉନାହିଁ ।
କେନ୍ଦ୍ରୀୟ କମିଟିର ମୁଖ୍ୟ ଅପୂର୍ବ ଚନ୍ଦ୍ର ନିଜ ପତ୍ରରେ ପଶ୍ଚିମବଙ୍ଗ ମୁଖ୍ୟ ସଚିବ ରାଜୀବ ସିହ୍ନାଙ୍କୁ କହିଛନ୍ତି ଯେ ରାଜ୍ୟର ଅତ୍ୟଧିକ ମୃତ୍ୟୁହାର ସ୍ୱଳ୍ପ ଟେଷ୍ଟିଂ, ସତର୍କତା ଓ ଉପଯୁକ୍ତ ପଦକ୍ଷେପର ଅଭାବ ଯୋଗୁଁ ହେଉଛି ।
Advertisment
Sambad is now on WhatsApp
Join and get latest news updates delivered to you via WhatsApp