ଭାରତ ସରକାର ଓ ବିଶ୍ୱବ୍ୟାଙ୍କ ମଧ୍ୟରେ ୭୫୦ ନିୟୁତ ଡଲାରର ଚୁକ୍ତି ସ୍ୱାକ୍ଷରିତ

ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଜରୁରୀକାଳୀନ ସହାୟତା ନିମନ୍ତେ ଏହି ଅର୍ଥ ବିନିଯୋଗ ହେବ

ନୂଆଦିଲ୍ଲୀ: ବିଶ୍ୱବ୍ୟାଙ୍କ ଓ ଭାରତ ସରକାର ମଧ୍ୟରେ ଆଜି ଏକ ଆର୍ଥିକ ଚୁକ୍ତି ସ୍ୱାକ୍ଷରିତ ହୋଇଛି । ତଦନୁସାରେ ବିଶ୍ୱବ୍ୟାଙ୍କ ଭାରତର ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ (ଏମ୍‌ଏସ୍‌ଏମ୍‌ଇ) ପାଇଁ ଜରୁରୀକାଳୀନ ସହାୟତା କାର୍ୟ୍ୟକ୍ରମ ବାବଦରେ ୭୫୦ ନିୟୁତ ଡଲାର ଯୋଗଇଦେବ । କରୋନା ମହାମାରୀ ପ୍ରଭାବରେ କ୍ଷତିଗ୍ରସ୍ତ ହୋଇଥିବା ଏହି ଉଦ୍ୟୋଗକୁ ଅର୍ଥ ଯୋଗାଣ ବୃଦ୍ଧି କରିବାରେ ଏହି ଅର୍ଥ ବ୍ୟୟ ହେବ । ପାଞ୍ଚ ବର୍ଷର କୋହଳ ସମୟ ସମେତ ମୋଟ ୧୯ ବର୍ଷରେ ଭାରତକୁ କୋହଳ ହାରରେ ଏହି ଋଣ ପରିଶୋଧ କରିବାକୁ ପଡିବ ।

ଭାରତରେ ପ୍ରାୟ ୧.୫ ନିୟୁତ ସମର୍ଥ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ରହିଛି । ଏଥିରେ ଲକ୍ଷ ଲକ୍ଷ ଲୋକ କାର୍ୟ୍ୟ କରୁଛନ୍ତି । କରୋନା ଲକ୍‌ଡାଉନ କାରଣରୁ ଏହି ଉଦ୍ୟୋଗଗୁଡିକ ବନ୍ଦ ରହିବାରୁ ସଂପୃକ୍ତ ଉଦ୍ୟୋଗୀମାନଙ୍କ ପାଖରେ ନଗଦ ଅର୍ଥର ଘୋର ଅଭାବ ଦେଖାଦେଇଛି । ସେହି ଆବଶ୍ୟକତା ପୂରଣ ପାଇଁ ବିଶ୍ୱବ୍ୟାଙ୍କ ଦେବାକୁ ଥିବା ଅର୍ଥ ବ୍ୟବହାର କରାଯିବ । ଏହି ଉଦ୍ୟୋଗରେ ସଂସ୍କାର ଆଣିବା ପାଇଁ ଯେଉଁ ପ୍ରୟାସ ଆରମ୍ଭ ହୋଇଛି ତାହାକୁ ମଧ୍ୟ ଏହି ଆର୍ଥିକ ସହାୟତା ତ୍ୱରାନ୍ୱିତ କରିବ ।

ଭାରତ ପକ୍ଷରୁ ଅର୍ଥ ମନ୍ତ୍ରଣାଳୟର ଆର୍ଥିକ ବ୍ୟାପାର ଅତିରିକ୍ତ ସଚିବ ସମୀର କୁମାର ଖରେ ଏବଂ ବିଶ୍ୱବ୍ୟାଙ୍କ ପକ୍ଷରୁ ଭାରତରେ ଅବସ୍ଥାପିତ ଏହାର ନିର୍ଦ୍ଦେଶକ ଜୁନେଦ୍‌ ଅହମ୍ମଦ ଏହି ଚୁକ୍ତିରେ ସ୍ୱାକ୍ଷର କରିଛନ୍ତି ।

ଶ୍ରୀ ଖରେ କହିଛନ୍ତି ଯେ କରୋନା ମହାମାରୀ ଏମ୍‌ଏସ୍‌ଏମ୍‌ଇ ଉଦ୍ୟୋଗ ଉପରେ ଗୁରୁତର ପ୍ରଭାବ ପକାଇଛି । ଫଳରେ ଅନେକ ବ୍ୟକ୍ତି ଜୀବିକା ଓ ନିଯୁକ୍ତି ହରାଇଛନ୍ତି । ଏହି ଉଦ୍ୟୋଗ ପାଇଁ ଦରକାର ହେଉଥିବା ନଗଦ ଅର୍ଥ ଯୋଗାଣ ନିଶ୍ଚିତ କରିବାକୁ କେନ୍ଦ୍ର ସରକାର ବିଭିନ୍ନ ଉପାୟମାନ କରୁଛନ୍ତି । ତେବେ ଏହି କ୍ଷେତ୍ରକୁ ବ୍ୟାଙ୍କ ଓ ବିଭିନ୍ନ ଅର୍ଥଲଗାଣକାରୀ ସଂସ୍ଥା ଋଣଦେବାକୁ କୁଣ୍ଠିତ ହେଉଥିବାରୁ ସରକାର ଏଥିରେ ହସ୍ତକ୍ଷେପ କରୁଛନ୍ତି । ଆବଶ୍ୟକସ୍ଥଳେ ଋଣ ପ୍ରଦାନ କ୍ଷେତ୍ରରେ ଉଦ୍ୟୋଗୀଙ୍କ ପାଇଁ ସରକାର ଗ୍ୟାରେଣ୍ଟର ହେବାର ବ୍ୟବସ୍ଥା କରିଛନ୍ତି । ଏହି ଉଦ୍ୟୋଗକୁ ଆର୍ଥିକ ସଂକଟରୁ ଉଦ୍ଧାର କରିବା ପାଇଁ ସରକାର ସବୁମନ୍ତେ ଚେଷ୍ଟା ଚଳାଇଛନ୍ତି । ତେବେ ଯେଉଁ ଉଦ୍ୟୋଗଗୁଡିକ ଅପେକ୍ଷାକୃତ ଅଧିକ ସକ୍ଷମ ସ୍ଥିତିରେ ଅଛନ୍ତି ଏବଂ କିଛି ଋଣ ମିଳିଲେ ପୁଣି ସ୍ୱାଭାବିକଭାବେ ଉତ୍ପାଦନ କରିପାରିବେ; ସେଗୁଡିକୁ ପୁଣି ଚାଲୁ କରିବାପାଇଁ ସରକାର ବିଭିନ୍ନ ପଦକ୍ଷେପ ନେଇଛନ୍ତି । ସେ କହିଛନ୍ତି ଯେ ବିଶ୍ୱବ୍ୟାଙ୍କରୁ ଏବଂ ଏହାର ଘରୋଇ ସହଯୋଗୀ ସଂସ୍ଥା ଆନ୍ତର୍ଜାତିକ ଅର୍ଥ ନିଗମ ଭାରତ ସରକାରଙ୍କ ଏହି ଉଦ୍ୟମକୁ ସମର୍ଥନ ଜଣାଇବା ସହ ଏମ୍‌ଏସ୍‌ଏମ୍‌ଇ କ୍ଷେତ୍ରକୁ ଅର୍ଥ ସହାୟତା ଯୋଗାଇ ଦେବାକୁ ରାଜି ହୋଇଛି ।

 

ସମ୍ବନ୍ଧିତ ଖବର