କୋଲକାତା : ପଶ୍ଚିମବଙ୍ଗର ଦୁର୍ଗାପୁରରେ ହୋଇଥିବା ଓଡ଼ିଆ ଡାକ୍ତରୀ ଛାତ୍ରୀ ଗଣଦୁଷ୍କର୍ମ ମାମଲାରେ ପଶ୍ଚିମବଙ୍ଗ ପୁଲିସ ଏକ ବୟାନ ଜାରି କରିଛି । ଏହି ବୟାନରେ ପୁଲିସ ପକ୍ଷରୁ କୁହାଯାଇଛି ଯେ ଏକ ଘରୋଇ ମେଡିକାଲ କଲେଜର ଜଣେ ଛାତ୍ରୀଙ୍କ ପ୍ରତି କଲେଜ କ୍ୟାମ୍ପସ ବାହାରେ ହୋଇଥିବା ଏହି ‘ଯୌନ ନିର୍ଯ୍ୟାତନା’ ଘଟଣାକୁ ନେଇ ଆମେ ଦୁଃଖିତ । ଆମେ ସମସ୍ତଙ୍କୁ ଆଶ୍ବସ୍ତ କରିବାକୁ ଚାହୁଁଛୁ ଯେ ଦୋଷୀମାନଙ୍କୁ ଛଡ଼ାଯିବ ନାହିଁ । 

Advertisment

ପୀଡ଼ିତାଙ୍କ ଯନ୍ତ୍ରଣା ଓଡ଼ିଶାର ଯେତିକି ଆମର ବି ସେତିକି । ଏହି ଘଟଣା ପାଇଁ ଦୋଷୀବ୍ୟକ୍ତିମାନଙ୍କୁ ଆଇନର ପରିସରକୁ ଆଣିବାକୁ ସବୁପ୍ରକାରର ଉଦ୍ୟମ କରାଯିବ । ପୀଡ଼ିତାଙ୍କ ସ୍ବାସ୍ଥ୍ୟାବସ୍ଥାରେ ଭଲ ସୁଧାର ହୋଇଛି ଓ ତାଙ୍କ ପରିବାରକୁ ସବୁପ୍ରକାରର ସହଯୋଗ କରାଯାଉଛି । ଏହି ପ୍ରସଙ୍ଗରେ ସେ କୌଣସି ଭ୍ରମାତ୍ମକ ସୂଚନା ପ୍ରସାର ନକରିବାକୁ ପୁଲିସ ନିବେଦନ କରିଛି ।  ମହିଳାଙ୍କ ବିରୋଧରେ ଅପରାଧ ପ୍ରତି ଶୂନ ସହନଶୀଳତା ଅବଲମ୍ବନ କରାଯାଉଛି ବୋଲି ପୁଲିସ କହିଛି ।  

ସୂଚନାଯୋଗ୍ୟ ଯେ ଏହି ଘଟଣାକୁ ନେଇ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଚିନ୍ତା ପ୍ରକଟ କରିବା ସହ ଦୋଷୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କରିଛନ୍ତି । ଅନ୍ୟପକ୍ଷରେ ଏହି ଘଟଣାକୁ ନେଇ ବିଜେପି ମମତା ସରକାରଙ୍କୁ ଟାର୍ଗେଟ କରିଛି ।