ଆମେ ବି ନ୍ୟାୟ ଚାହୁ: ମୃତ ବିଜେପି କର୍ମୀଙ୍କ ପରିବାର ସଦସ୍ୟ

ଲକ୍ଷ୍ନୌ : ଲଖିମପୁର ଖେରି ହିଂସା ଘଟଣାରେ ଖାଲି କୃଷକ ନୁହନ୍ତି ୪ ଜଣ ବିଜେପି କର୍ମୀ ମଧ୍ୟ ପ୍ରାଣ ହାରିଛନ୍ତି। ବିଜେପି କର୍ମୀଙ୍କ ପରିବାର ସଦସ୍ୟ ବି ନ୍ୟାୟ ଦାବି କରିଛନ୍ତି। ସେମାନେ କହିଛନ୍ତି, ଆମେ ନ୍ୟାୟ ଚାହୁ ଏବଂ ଏହି ମାମଲାରେ ଯାହାର ହାତ ଅଛି ତା‌’ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ। ୪୭ ବର୍ଷୀୟ ବିଜେପି କର୍ମୀ ଶ୍ୟାମ ସୁନ୍ଦର ନିଶାଦଙ୍କର ସେଦିନ ହିଂସାରେ ମୃତ୍ୟୁ ହୋଇଥିଲା। ତାଙ୍କ ମା’ କହିଛନ୍ତି, ଆମେ ବି ନ୍ୟାୟ ଚାହୁ।

ନିଶାଦଙ୍କର ଏକ ଭିଡିଓ ଜାରି ହୋଇଛି। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ସେ ଜୀବନ ବଞ୍ଚାଇବାକୁ ଚାହୁଥିବା ବେଳେ କିଛି ଲୋକ ତାଙ୍କୁ ଘେରି ଯାଇ ପ୍ରଶ୍ନ ଉପରେ ପ୍ରଶ୍ନ ପଚାରି ଚାଲିଥିଲେ। ନିଶାଦଙ୍କ ମୃତ୍ୟୁ ଖବର ପହଞ୍ଚିବା ପୂର୍ବରୁ ସେମାନଙ୍କ ନିକଟରେ ଏହି ଭିଡିଓଟି ପହଞ୍ଚି ସାରିଥିଲା। ନିଶାଦଙ୍କ ବାପା ମଧ୍ୟ ଉକ୍ତ ଘଟଣାରେ ନ୍ୟାୟ ଚାହିଛନ୍ତି। ସେ କହିଛନ୍ତି, ସରକାର ୪୫ ଲକ୍ଷ ଟଙ୍କାର ଚେକ୍‌ ଦେଇଛନ୍ତି, କିନ୍ତୁ ଆମେ ନ୍ୟାୟ ଚାହୁ। ତାଙ୍କ ପୁଅଙ୍କୁ ଯେଉଁମାନେ ହତ୍ୟା କରିଛନ୍ତି ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେଉ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର