ମୁମ୍ବାଇ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ଚର୍ଚ୍ଚା ମଧ୍ୟରେ ଏନସିପି ମୁଖ୍ୟ ଶରଦ ପାୱାର ଆଜି ଏକ ବଡ଼ ଘୋଷଣା କରିଛନ୍ତି। ସେ ଦୁଇ ଦଶନ୍ଧି ଧରି ରହିଥିବା ଦଳ ଏନସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିବା ପରେ ଏହି ଖବର ସମସ୍ତଙ୍କୁ ଚକିତ କରିଛି। ତେବେ ତାଙ୍କର ଏହି ଘୋଷଣାର କିଛି ସମୟ ପରେ ତାଙ୍କ ପୁତୁରା ଅଜିତ ପାୱାର ଗଣମାଧ୍ୟମରେ ମତ ରଖି କହିଛନ୍ତି ଯେ ସେମାନେ ହେଉଛନ୍ତି ଗ‌ୋଟାଏ ପରିବାରର। ତେଣୁ ଆମେ  ଶରଦ ପାୱାରଙ୍କୁ ଏହି ନିଷ୍ପତ୍ତି ଏ ବିଷୟରେ ଅ‌ାଉ ଥରେ ଚିନ୍ତା କରିବାକୁ ଅନୁରୋଧ କରିବୁ।

Advertisment

ଏଥିସହ ଅଜିତ ପାୱାର କହିଛନ୍ତି ଯେ ଏନସିପିର କମିଟି ଯେଉଁ ନିଷ୍ପତ୍ତି ନେବ ତାହା ପାୱାର ସାହେବ ଗ୍ରହଣ କରିବେ। ତେଣୁ ଆମେ ସର୍ବସମ୍ମତି କ୍ରମେ ଏନସିପି ପରିବାରର ସଦସ୍ୟଙ୍କୁ ନେଇ ଏକ କମିଟି ଗଠନ କରିବୁ ଓ ପାୱାର ସାହେବଙ୍କୁ ତାଙ୍କର ଇସ୍ତଫା ଫେରାଇ ନେବା ଲାଗି ଅନୁରୋଧ କରିବୁ।

ଶରଦ ପାୱାର ତାଙ୍କ ଆତ୍ମଜୀବନୀର ଦ୍ବିତୀୟ ସଂସ୍କରଣ ଉନ୍ମୋଚନ ଉତ୍ସବ ସମୟରେ ଏନ୍‌ସିପିର ଜାତୀୟ ସଭାପତି ପଦରୁ ଇସ୍ତଫା ଘୋଷଣା କରିଛନ୍ତି। ଏହି ସମୟରେ ଅଜିତ ପାୱାର ମଧ୍ୟ ସେଠାରେ ଉପସ୍ଥିତ ଥିଲେ ଏବଂ ଏନ୍‌ସିପି କମିଟିର ନିଷ୍ପତ୍ତିକୁ ସେ ପାଳନ କରିବେ ବୋଲି ଗଣମାଧ୍ୟମରେ କହିଛନ୍ତି।

ଆଜି ସାମ୍ବାଦିକମାନଙ୍କୁ ସୂଚନା ଦେଇ ଶରଦ ପାୱାର କହିଛନ୍ତି, ‘ମୁଁ ଏନ୍‌ସିପିର ସଭାପତି ପଦରୁ ଇସ୍ତଫା ଦେବାକୁ ନିଷ୍ପତ୍ତି ନେଇଛି।’ ସେ ଏହି ଘୋଷଣା କରିବା ପରେ ତାଙ୍କୁ ଉପସ୍ଥିତ ଜନତ‌ା  ଶୁଭେଚ୍ଛା ଜଣାଇଥିଲେ।

ତେବେ ଶରଦ ଏକଥା ସ୍ପ‌ଷ୍ଟ କରିଛନ୍ତି ଯେ ସେ ରାଜନୀତିରୁ କିନ୍ତୁ ସନ୍ୟାସ ନେଉନାହାନ୍ତି। ଯଦିଓ ସେ ଏନ୍‌ସିପି ସଭାପତି ପଦରୁ ଇସ୍ତଫା ନେଉଛନ୍ତି କିନ୍ତୁ ଜନତାଙ୍କ ଜୀବନରୁ ଦୂରେଇ ଯାଉନାହାନ୍ତି ବୋଲି ଘୋଷଣା କରିଛନ୍ତି।