ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବିଜେପି ନେତୃତ୍ୱାଧୀନ ଏନ୍‌ଡିଏ ତୃତୀୟ ଥର ପାଇଁ ସରକାର ଗଠନ କରିବା ଉପରେ ଆସ୍ଥା ପ୍ରକଟ କରି କହିଛନ୍ତି ଯେ ଲୋକମାନେ ଶାସନରେ ସ୍ଥିରତା ଏବଂ ନିଶ୍ଚିତତା ଚାହୁଛନ୍ତି। ପ୍ରଧାନମନ୍ତ୍ରୀ ମୋଦୀ ପୁଣି ଥରେ ସରକାର ଗଠନ କରିବାକୁ ଯାଉଛନ୍ତି। ଦେଶରେ କଂଗ୍ରେସ ତଥା ଇଣ୍ଡି ମେଣ୍ଟର ତୁଷ୍ଟୀକରଣ ରାଜନୀତି ହାରିବ ଏବଂ ଏନ୍‌ଡିଏ ବିଶାଳ ବିଜୟ ହାସଲ କରିବ ବୋଲି ନିର୍ମଳା ଏକ ସାକ୍ଷାତକାରରେ କହିଛନ୍ତି। ଗତ ୧୦ ବର୍ଷ ମଧ୍ୟରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପଦକ୍ଷେପ ଦେଖି ଦେଶବାସୀ ବିଜେପିକୁ ଆଉଥରେ ନିର୍ବାଚିତ କରିବାକୁ ମନ ସ୍ଥିର କରିଛନ୍ତି ବୋଲି ନିର୍ମଳା କହିଛନ୍ତି। ତୃତୀୟ ପାଳି ପାଇଁ ପ୍ରଧାନମନ୍ତ୍ରୀ ସୁରୁଖୁରୁରେ ଫେରୁଛନ୍ତି ଏବଂ ଦେଶବାସୀଙ୍କ ମଧ୍ୟରେ ଏ ନେଇ କୌଣସି ଦ୍ବନ୍ଦ୍ବ ନାହିଁ ବୋଲି ସେ କହିଛନ୍ତି।

Advertisment

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ‘କ୍ରୋନି କ୍ୟାପିଟାଲିଜମ୍’ ଅଭିଯୋଗ ଉପରେ ଜବାବ ଦେଇ ନିର୍ମଳା କହିଛନ୍ତି ଯେ ଭୋଟରଙ୍କୁ ଆକୃଷ୍ଟ କରିବା ପାଇଁ ରାହୁଲ ଯେଉଁ ଚରମ ବାମପନ୍ଥୀ ଯୁକ୍ତି ଉପସ୍ଥାପନ କରୁଛନ୍ତି ତାହାକୁ ଲୋକେ ଗ୍ରହଣ କରୁନାହାନ୍ତି। ରାଜନୈତିକ ପ୍ରଚାର ପାଇଁ ଏହା ଆକର୍ଷଣୀୟ ହୋଇପାରେ କିନ୍ତୁ ବାସ୍ତବ ସ୍ଥିତି ସଂପୂର୍ଣ୍ଣ ଭିନ୍ନ। ‘କ୍ରୋନି କ୍ୟାପିଟାଲିଜମ୍’ ବିଷୟରେ କଂଗ୍ରେସ କହିବା ହାସ୍ୟାସ୍ପଦ ବୋଲି ମତଦେଇ ନିର୍ମଳା କହିଛନ୍ତି ଯେ ଏହି ପ୍ରସଙ୍ଗ ସର୍ବଦା କଂଗ୍ରେସ ସରକାରର ପରିଚୟ ରହି ଆସିଛି।

ରାହୁଲ ଗାନ୍ଧୀଙ୍କୁ ଟାର୍ଗେଟ କରି ସୀତାରମଣ କହିଛନ୍ତି ଯେ ହାତରେ କୌଣସି ପ୍ରମାଣ ନଥାଇ ସେ କେବଳ ବିଭ୍ରାନ୍ତି ଉପରେ ନିର୍ଭର କରନ୍ତି। ରାହୁଲ ଗାନ୍ଧି ୨୦୧୪-୧୫ରୁ ଏଭଳି ଖେଳ ଚଳାଇଛନ୍ତି ଏବଂ ବିଭିନ୍ନ ସମୟରେ ଅଦାଲତରେ ମିଥ୍ୟା ଓ ଅନର୍ଥକାରୀ ବୟାନ ପାଇଁ କ୍ଷମା ପ୍ରାର୍ଥନା କରୁଛନ୍ତି। କଂଗ୍ରେସ ଓ ଇଣ୍ଡି ମେଣ୍ଟର ତୁଷ୍ଟୀକରଣ ରାଜନୀତି ଏଥର ଦୟନୀୟ ଭାବେ ବିଫଳ ହେବାକୁ ଯାଉଛି । ସେମାନେ ଧର୍ମ ଆଧାରରେ ଲୋକଙ୍କୁ ଦେଶର ସମ୍ବଳ ଦେବାକୁ ଚାହୁଛନ୍ତି, ତାହା କ’ଣ ଧ୍ରୁବୀକରଣ ନୁହେଁ କି ବୋଲି ନିର୍ମଳା ପ୍ରଶ୍ନ କରିଛନ୍ତି।