କୋଚି (କେରଳ): କେରଳର ପ୍ରସିଦ୍ଧ ସବରିମାଲା ମନ୍ଦିର ମଧ୍ୟକୁ ବୟସ ନିର୍ବିଶେଷରେ ସବୁ ମହିଳାଙ୍କର ପ୍ରବେଶାଧିକାର ରହିଛି ବୋଲି ଆଜି ସୁପ୍ରିମ୍ କୋର୍ଟଙ୍କ ଏକ ୫ ଜଣିଆ ସାମ୍ବିଧାନିକ ଖଣ୍ଡପୀଠର ରାୟ ବିରୋଧରେ ଆମେ ପୁଣି ଥରେ ସୁପ୍ରିମ୍ କୋର୍ଟଙ୍କ ଦ୍ୱ।ରସ୍ଥ ହେବୁ ଏବଂ ଏହି ରାୟର ପୁନଃ ସମୀକ୍ଷା ପାଇଁ ଆସନ୍ତା ସପ୍ତାହରେ ଏକ ରିଭ୍ୟୁ ପିଟିସନ୍ ସୁପ୍ରିମ୍ କୋର୍ଟରେ ଆଗତ କରିବୁ ବୋଲି ଆୟାପ୍ପା ଧର୍ମ ସେନାର ସଭାପତି ରାହୁଲ ଈଶ୍ୱର ଗଣମାଧ୍ୟମକୁ କହିଛନ୍ତି। ଏଥିସହ, ‘ଆମେ ଦେଶର ବିଭିନ୍ନ ମୁସ୍ଲିମ୍, ଖ୍ରିଷ୍ଟିଆନ୍ ସଂଗଠନ ସହ ମଧ୍ୟ ଆଲୋଚନା କରି ସବୁ ସଂପ୍ରଦାୟର ସଦସ୍ୟଙ୍କୁ ନେଇ ଏକ ବୋର୍ଡ ଗଠନ କରିବୁ, ଯହା ଫଳରେ କି ସବୁ ମନ୍ଦିର, ମସ୍ଜିଦ୍ ଏବଂ ଚର୍ଚ ସ୍ୱାଧୀନ ଭାବେ ଚାଲିବ ଓ ଏଥିରେ କାହାରି ହସ୍ତକ୍ଷେପ ରହିବ ନାହିଁ,’ ବୋଲି ମଧ୍ୟ କହିଛନ୍ତି ଆୟାପ୍ପା ଧର୍ମ ସେନାର ସଭାପତି ରାହୁଲ ଈଶ୍ୱର।
ସବରିମାଲା ମନ୍ଦିର ମଧ୍ୟକୁ ବୟସ ନିର୍ବିଶେଷରେ ସବୁ ମହିଳାଙ୍କୁ ସୁପ୍ରିମ୍ କୋର୍ଟ ପ୍ରବେଶାଧିକାର ପ୍ରଦାନ କରିବା ଏକ ଦୁର୍ଭାଗ୍ୟପୂର୍ଣ୍ଣ ଘଟଣା। ତେବେ, ସୁପ୍ରିମ୍ କୋର୍ଟ ଖଣ୍ଡପୀଠର ଅନ୍ୟତମ ସଦସ୍ୟ ଥିବା ଏକମାତ୍ର ମହିଳା ବିଚାରପତି ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଏହି ରାୟରେ ଦ୍ୱିମତ ପୋଷଣ କରିଥିବା ପରିପ୍ରେକ୍ଷୀରେ ଏହି ରାୟର ପୁନଃ ସମୀକ୍ଷା କରାଯିବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି, ଆୟାପ୍ପା ଧର୍ମ ସେନାର ସଭାପତି ରାହୁଲ ଈଶ୍ୱର।
ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ସୁପ୍ରିମ୍ କୋର୍ଟର ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍ ଆର୍ ଏଫ୍ ନରିମାନ, ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ୱିଲକର୍, ଜଷ୍ଟିସ୍ ଡି ଓ୍ୱାଇ ଚନ୍ଦ୍ରଚୂଡ଼ ଓ ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରାଙ୍କୁ ନେଇ ଗଠିତ ଏକ ପାଞ୍ଚ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଗତ ଅଗଷ୍ଟ ମାସରେ କ୍ରମାଗତ ଭାବେ ଦୀର୍ଘ ୮ ଦିନ ଧରି ଏହି ବିବାଦୀୟ ମାମଲାର ଚୂଡ଼ାନ୍ତ ଶୁଣାଣି କରିବା ପରେ ରାୟକୁ ସଂରକ୍ଷିତ ରଖିଥଲେ। ସଂରକ୍ଷିତ ଥିବା ରାୟକୁ ଆଜି ଘୋଷଣା କରି ସୁପ୍ରିମ୍ କୋର୍ଟ ସବରିମାଲା ମନ୍ଦିର ମଧ୍ୟକୁ ବୟସ ନିର୍ବିଶେଷରେ ସବୁ ମହିଳାଙ୍କୁ ପ୍ରବେଶାଧିକାର ପ୍ରଦାନ କରିଛନ୍ତି। ଏହି ରାୟରେ ମୁଖ୍ୟ ବିଚାରପତି ଜଷ୍ଟିସ୍ ଦୀପକ ମିଶ୍ରଙ୍କ ସମେତ ଜଷ୍ଟିସ୍ ଆର୍ ଏଫ୍ ନରିମାନ, ଜଷ୍ଟିସ୍ ଏ ଏମ୍ ଖାନ୍ଓ୍ଵିଲକର, ଜଷ୍ଟିସ୍ ଡି ଓ୍ଵାଇ ଚନ୍ଦ୍ରଚୂଡ଼ ଏକମତ ପୋଷଣ କରିଥିବା ବେଳେ ଏକମାତ୍ର ମହିଳା ବିଚାରପତି ଜଷ୍ଟିସ୍ ଇନ୍ଦୁ ମାଲହୋତ୍ରା ଏଥିରେ ଦ୍ୱିମତ ପୋଷଣ କରିଥିଲେ। ତେବେ, ୪:୧ ବହୁମତରେ ରାୟଟି ଗୃହୀତ ହୋଇଥିଲା।