ତିରୁଅନନ୍ତପୁରମ୍: ଭାରତୀୟ ମାର୍କ୍ସବାଦୀ କମ୍ୟୁନିଷ୍ଟ ପାର୍ଟି (ସିପିଆଇ-ଏମ୍) ପାଇଁ ଅନେକ ବର୍ଷ ଯାଏ ଧର୍ମ ଏକ ଅଭିଶାପ ହୋଇ ରହିଥିଲା। ଧର୍ମକୁ ଏକ ଅଫିମ ନିଶା ବୋଲି ବାମପନ୍ଥୀମାନେ କହିଥାନ୍ତି। କିନ୍ତୁ ଲୋକମାନେ ସେମାନଙ୍କର ଏହି ଭାବଧାରାକୁ ଗ୍ରହଣ କରି ନ ପାରିବାରୁ ସେମାନେ ନିଜର ଅଧାର୍ମିକ ଭାବମୂର୍ତ୍ତିକୁ ‘ବିଶ୍ବାସ-ଅନୁକୂଳ’ ଭାବମୂର୍ତ୍ତିରେ ପରିଣତ କରିବା ପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି।

Advertisment

ଏହି ପରିପ୍ରେକ୍ଷୀରେ ବାମପନ୍ଥୀ ଦଳ ନୂଆବର୍ଷଠାରୁ ଏକ ନୂଆ ଆରମ୍ଭ କରିଛନ୍ତି। ସେମାନେ ଘରକୁ ଘର ବୁଲି ଲୋକଙ୍କୁ କହୁଛନ୍ତି ସେମାନେ ଧର୍ମ-ବିରୋଧୀ ନୁହନ୍ତି ଏବଂ ସେମାନଙ୍କର ହେତୁବାଦୀ ନୀତି ଲଦିଦେବାର କୌଣସି ଯୋଜନା ନାହିଁ। ଦଳର କେରଳ ରାଜ୍ୟ ସମ୍ପାଦକ ଏମ୍‌ଭି ଗୋବିନ୍ଦନ ରବିବାର ଘରକୁ ଘର ବୁଲିବା ଅବସରରେ କହିଛନ୍ତି ଯେ ସେମାନେ କୌଣସି ଧର୍ମ ବା ବିଶ୍ବାସର ବିରୋଧୀ ନୁହନ୍ତି। ୨୧-ଦିନିଆ ଘରକୁ ଘର ବୁଲା ଅଭିଯାନ ଅବସରରେ ପିଲିଟବ୍ୟୁରୋଠାରୁ ଆରମ୍ଭ କରି ସ୍ଥାନୀୟ କମିଟିର ସଦସ୍ୟ ପର୍ଯ୍ୟନ୍ତ ଲୋକଙ୍କ ସହ ସେମାନଙ୍କ ସମସ୍ୟା ବିଷୟରେ ଆଲୋଚନା କରିଛନ୍ତି।

ରାଜନୀତି ବିଶାରଦମାନଙ୍କ କହିବା ଅନୁସାରେ ବାମପନ୍ଥୀମାନଙ୍କ ଧର୍ମବିରୋଧୀ ଓ ହେତୁବାଦୀ ନୀତିକୁ ଲୋକମାନେ ଗ୍ରହଣ କରୁନାହାନ୍ତି। ଏହି କାରଣରୁ ୨୦୧୯ ଲୋକସଭା ନିର୍ବାଚନରେ ଦଳ ୨୦ରୁ ମାତ୍ର ଗୋଟିଏ ଆସନରେ ଜିତିପାରିଥିଲା। ଶବରୀମାଳା ମନ୍ଦିର ବିବାଦ ଥିଲା ଏହାର ଅନ୍ୟତମ ମୁଖ୍ୟ କାରଣ। ନିଜର ଜାତୀୟ ଦଳ ମର୍ଯ୍ୟାଦାକୁ ବଜାୟ ରଖିବା ପାଇଁ ଦଳ ମୁଖ୍ୟତଃ ଏହି ଦକ୍ଷିଣୀ ରାଜ୍ୟ ଉପରେ ନିର୍ଭର କରୁଥିବା ବେଳେ ପୂର୍ବ ଲୋକସଭା ନିର୍ବାଚନର ନୈରାଶ୍ୟଜନକ ଫଳ ସେମାନଙ୍କୁ ହତୋତ୍ସାହିତ କରିଛି। ତେଣୁ ସେମାନେ ୨୦୨୪ ପୂର୍ବରୁ ନିଜର ଅଧାର୍ମିକ ଓ ହେତୁବାଦୀ ଆଭିମୁଖ୍ୟକୁ ତ୍ୟାଗ କରିବାକୁ ନିଷ୍ପତ୍ତି ନେଇଛନ୍ତି।