କିବ : କ୍ରେମଲିନ ଉପରେ ହୋଇଥିବା ଡ୍ରୋନ ଆକ୍ରମଣ ପଛରେ ଆମେରିକାର ହାତ ରହିଛି ବୋଲି ରୁଷ ଅଭିଯୋଗ କରିଛି। ପୁଟିନଙ୍କୁ ହତ୍ୟା କରିବା ପାଇଁ କ୍ରେମଲିନ ଉପରେ ଡ୍ରୋନ ଜରିଆରେ ଆକ୍ରମଣ କରାଯାଇଛି ବୋଲି ରୁଷ ଅଭିଯୋଗ କରିଛି।
କ୍ରେମଲିନ୍ର ପ୍ରବକ୍ତା ଦିମିତ୍ରି ପେସକୋଭ ଆମେରିକା ବିରୋଧରେ ଏଭଳି ଅଭିଯୋଗ ଆଣିଥିଲେ। ସେ କହିଥିଲେ ଏଭଳି ଆକ୍ରମଣ ଏବଂ ଆତଙ୍କବାଦୀ ଆକ୍ରମଣ ନିଷ୍ପତ୍ତି କିବ୍ରେ ନୁହେଁ, ୱାସିଂଟନରେ ହୋଇଛି। ତେବେ ରୁଷର ଏଭଳି ଅଭିଯୋଗକୁ ହ୍ବାଇଟ ହାଉସ ଖଣ୍ଡନ କରିଛି। ଆମେରିକା ଜାତୀୟ ସୁରକ୍ଷା ପରିଷଦର ପ୍ରବକ୍ତା ଜନ୍ କିର୍ବି ରୁଷର ଏଭଳି ଅଭିଯୋଗକୁ ହାସ୍ୟାସ୍ପଦ ବୋଲି କହିଛନ୍ତି। ପୂର୍ବରୁ ହ୍ବାଇଟ ହାଉସର ପ୍ରେସ ସଚିବ କେରିନ ଜିନପିଏରେ କହିଥିଲେ ୟୁକ୍ରେନକୁ ଏହାର ସୀମା ବାହାରେ ଆକ୍ରମଣ ପାଇଁ ଉତ୍ସାହିତ କରେନାହିଁ। ତେବେ କ୍ରେମଲିନରେ ଡ୍ରୋନ ଆକ୍ରମଣ ପଛରେ ପକୃତରେ କାହାର ହାତ ରହିଛି ତାହାର ଅନୁସନ୍ଧାନ ଆମେରିକାର ଗୁଇନ୍ଦା ଅଧିକାରୀମାନେ ଚଳାଇଛନ୍ତି।
ଅନ୍ୟପକ୍ଷରେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କୁ ଯୁଦ୍ଧ ପାଇଁ ଦାୟୀ କରିଛନ୍ତି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନସ୍କି। ତେଣୁ ପୁଟିନଙ୍କ ବିରୋଧରେ ମାମଲାର ବିଚାର ପାଇଁ ଗୁରୁବାର ହେଗ୍ସ୍ଥିତ ଅନ୍ତର୍ଜାତୀୟ ଆପରାଧିକ ଅଦାଲତକୁ ଅନୁରୋଧ କରିଛନ୍ତି ଜେଲେନସ୍କି। ପୁଟିନ ତାଙ୍କ ଆପରାଧିକ କାର୍ଯ୍ୟ ପାଇଁ ଦଣ୍ଡିତ ହେବା ଆବଶ୍ୟକ। ପୁଟିନଙ୍କୁ ଦୋଷୀ ସାବ୍ୟସ୍ତ କରିବା ଲାଗି ମଧ୍ୟ ଜେଲେନସ୍କି ବିଶ୍ବ ସମୁଦାୟକୁ ଆହ୍ବାନ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ ମାର୍ଚ୍ଚରେ ଆଇସିସି ପୁଟିନଙ୍କ ବିରୋଧରେ ଏକ ଗିରଫ ୱାରେଣ୍ଟ ଜାରି କରିଥିଲା। ୟୁକ୍ରେନରୁ ଶିଶୁ ଅପହରଣ ପାଇଁ ପୁଟିନ ବ୍ୟକ୍ତିଗତ ଭାବେ ଦାୟୀ କରାଯାଇଥିଲା। ଏଥିସହିତ ଜାତିସଂଘ ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ ଥିବା ୫ଟି ଦେଶ ମଧ୍ୟରୁ ଜଣେ ନେତାଙ୍କ ବିରୋଧରେ ପ୍ରଥମ ଥର ପାଇଁ ଏଭଳି ୱାରେଣ୍ଟ ଜାରି ହୋଇଥିଲା।