ମୋ ଜେଜେମାଆ ଓ ଆମ ପରିବାର ଶିବ ଭକ୍ତ: ଅଣ ହିନ୍ଦୁ ବିବାଦରେ ମତ ରଖିଲେ ରାହୁଲ

ନୂଆଦିଲ୍ଲୀ: ନିକଟରେ କଂଗ୍ରେସ ଉପାଧ୍ୟକ୍ଷ ରାହୁଲ ଗାନ୍ଧୀ ସୋମନାଥ ମନ୍ଦରିର ଅଣ-ହିନ୍ଦୁ ରେଜିଷ୍ଟର୍‌ରେ ଦରଖାସ୍ତ କରିବା ପରେ ତାଙ୍କ ଧର୍ମକୁ ନେଇ ଯେଉଁ ପ୍ରଶ୍ନ ଉଠିଥିଲା ସେ ସଂପର୍କରେ ମତ ରଖିଛନ୍ତି ରାହୁଲ।  ରାହୁଲ ଗୁରୁବାର ସଂଧ୍ୟାରେ କହିଛନ୍ତି ଯେ ‘ ମୁଁ ହିନ୍ଦୁ ବୋଲି ମୋତେ ପ୍ରମାଣପତ୍ର ଦେବା ଆବଶ୍ୟକ ନାହିଁ। ମୋ ଜେଜେମାଆ ଇନ୍ଦିରା ଗାନ୍ଧୀ ଏବଂ ମୋ ପରିବାର ଶିବ ଭକ୍ତ। କେତେକ କଥାକୁ ଗୁପ୍ତ ରଖାଯାଏ। ଆମେ ଏ ସଂପର୍କରେ ବାହାରେ କହୁନା, କାହିଁକି ନା ଆମେ ଭାବୁ ଆମ ଧର୍ମ ହେଉଛି ଆମର ବ୍ୟକ୍ତିଗତ ବ୍ୟାପାର। ଆମ ବିଶ୍ୱାସ ସଂପୂର୍ଣ୍ଣ ରୂପେ ବ୍ୟକ୍ତିଗତ। ଧର୍ମକୁ ଆମେ ରାଜନୀତିରେ ବ୍ୟବହାର କରିବାରେ ବିଶ୍ୱାସ ରଖୁନା।’

ଉଲ୍ଲେଖଯୋଗ୍ୟ, ନିକଟରେ ସୋମନାଥ ମନ୍ଦିର ଦର୍ଶନ ବେଳେ ଅଣହିନ୍ଦୁଙ୍କ ପାଇଁ ହୋଇଥିବା ରେଜିଷ୍ଟରରେ ରାହୁଲଙ୍କ ନାମ ଲେଖା ହୋଇଥିବାରୁ ଏହି ବିବାଦ ଜୋର ଧରିଥିଲା। ଏହାକୁ ନେଇ ରାହୁଲ କେଉଁ ଧର୍ମର ବୋଲି ପ୍ରଶ୍ନ କରିଥିଲା ବିଜେପି। ଏ ନେଇ କଂଗ୍ରେସ କହିଥିଲା ଯେ ବିଜେପି ଧର୍ମ ନାମରେ ରାଜନୀତି କରୁଛି।

ଗୁଜରାଟ ର୍ନିବାଚନୀ ପ୍ରଚାରରେ ଲଗାତାର ମନ୍ଦିର ପରିଦର୍ଶନ କରୁଛନ୍ତି ରାହୁଲ୍‌। ଏହି କ୍ରମରେ କଂଗ୍ରେସ ନେତା ଅହମ୍ମଦ ପଟେଲଙ୍କ ସହ ସୋମନାଥ ମନ୍ଦିର ପହଁଚିଥିଲେ ରାହୁଲ। ଅଭିଯୋଗ ହୋଇଥିଲା, ଅଣହିନ୍ଦୁଙ୍କ ପାଇଁ ଥିବା ଏଂଟ୍ରି ରେଜିଷ୍ଟରରେ ରାହୁଲ କାହିଁକି ଦସ୍ତଖତ କରିଥିଲେ? ତେବେ ଏଥିରେ ରାହୁଲ ଗାନ୍ଧି ଦସ୍ତଖତ କରିନଥିବା କଂଗ୍ରେସ ସଫେଇ ଦେଇଥିଲା। ସୋମନାଥ ମନ୍ଦିରର ପ୍ରଥା ଅନୁସାରେ ଯଦି କୌଣସି ଅଣ-ହିନ୍ଦୁ ମନ୍ଦିର ଭିତରକୁ ଯାଆନ୍ତି, ତେବେ ସୁରକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟକୁ ଯାଇ ରେଜିଷ୍ଟରରେ ଏଂଟ୍ରି କରିବାକୁ ପଡ଼ିଥାଏ।

ସମ୍ବନ୍ଧିତ ଖବର