ପ୍ରଧାନମନ୍ତ୍ରୀ ହେବା ଅଭିଳାଷ ନାହିଁ: ଗଡ଼କରି

କ୍ଷମତାକୁ ଫେରିବା ପାଇଁ ବିରୋଧୀ ଦିବାସ୍ୱପ୍ନ ଦେଖୁଛନ୍ତି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ ଏନ୍‌ଡିଏ ୨୦୧୯ ନିର୍ବାଚନରେ ପୁଣି କ୍ଷମତାକୁ ଫେରିବ ବୋଲି କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରି କହିଛନ୍ତି। ଦେଶରେ ବିକାଶ ଧାରା ଅବ୍ୟାହତ ରହିଛି ଏବଂ ଜନସାଧାରଣଙ୍କ ମଧ୍ୟରେ ନୂତନ ଆଶା ଓ ବିଶ୍ୱାସ ସୃଷ୍ଟି ହୋଇଛି। ଏଭଳି ସ୍ଥିତିରେ ପୂର୍ବ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ଓ ଅନ୍ୟ ବିରୋଧୀ ଦଳ ନେତାମାନେ କ୍ଷମତାକୁ ଫେରିବାକୁ ଯେଉଁ ଦୃଢ଼ୋକ୍ତି ପ୍ରକାଶ କରୁଛନ୍ତି ତାହା ମୁଙ୍ଗେରିଲାଲର ସ୍ୱପ୍ନ ଭଳି ବୋଲି ଗଡ଼କରି କହିଛନ୍ତି। ତେବେ ଏଭଳି ଦିବାସ୍ୱପ୍ନ ଦେଖିବାକୁ କେହି ସେମାନଙ୍କୁ ବାରଣ କରିପାରିବ ନାହିଁ ବୋଲି ସେ କହିଛନ୍ତି। ଇଣ୍ଡିଆ ଟୁଡେ କନ୍‌୍‌କ୍ଲେଭ୍‌ରେ ଭାଗନେଇ ଗଡ଼କରି କହିଛନ୍ତି ଯେ ମୋର ଦକ୍ଷତା ଏବଂ ସ୍ଥିତିକୁ ଦେଖି ମୁଁ କାର୍ଯ୍ୟ କରୁଛି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କ ନେତୃତ୍ୱରେ ଦଳ ଲୋକଙ୍କ ଆସ୍ଥା ଭାଜନ ହୋଇପାରିଛି। ଆଗାମୀ ନିର୍ବାଚନରେ ବିଜେପି ଯଦି ସଂଖ୍ୟାଗରିଷ୍ଠତା ହାସଲ ନକରିବ ତା’ହେଲେ ସେ ପ୍ରଧାନମନ୍ତ୍ରୀ ପଦ ପାଇଁ ସହମତି ଭିତ୍ତିରେ ପ୍ରାର୍ଥୀ ହେବେ କି ବୋଲି ପ୍ରଶ୍ନ କରାଯିବାକୁ ଗଡ଼କରି କହିଥିଲେ ଯେ ଏଭଳି ସ୍ୱପ୍ନ ମୁଁ କେବେ ଦେଖେନାହିଁ। ମୋର ବର୍ତ୍ତମାନର ସ୍ଥିତିରେ ମୁଁ ସଂପୂର୍ଣ୍ଣ ସନ୍ତୁଷ୍ଟ ଏବଂ ପ୍ରଧାନମନ୍ତ୍ରୀ ହେବା ଅଭିଳାଷ ଆଦୌ ନାହିଁ ବୋଲିି ଗଡ଼କରି କହିଛନ୍ତି। ଆଗାମୀ ଦିନରେ ବିଜେପି କେରଳ ଏବଂ ପଶ୍ଚିମବଂଗରେ ମଧ୍ୟ ଆଶାନୁରୂପ ସଫଳତା ପାଇବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର