କଂଗ୍ରେସ ଅଭିଯୋଗର ଜବାବ ଦେଲା ଫେସବୁକ୍‌, ଆମେ କୌଣସି ଦଳଭୁକ୍ତ ନୁହଁ

ନୂଆଦିଲ୍ଲୀ : ଫେସବୁକ୍‌ ଭାରତରେ ନିର୍ଦ୍ଦିଷ୍ଟ ରାଜନୈତିକ ଦଳକୁ ସମର୍ଥନ କରୁଛି ଏବଂ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ସମ୍ମାନ ଦେଉନାହିଁ ବୋଲି କଂଗ୍ରେସ ପକ୍ଷରୁ ହୋଇଥିବା ଅଭିଯୋଗର ଜବାବ ରଖିଛି ଫେସବୁକ୍‌। ଆଜି ଫେସବୁକ୍‌ ପକ୍ଷରୁ କଂଗ୍ରେସକୁ କୁହାଯାଇଛି ତାଙ୍କ ସଂସ୍ଥା କୌଣସି ଦଳଭୁକ୍ତ ନୁହେଁ ଏବଂ ସେମାନେ ଦଳୀୟ ବିଚାରଧାରାରୁ ଊର୍ଦ୍ଧ୍ବରେ। ଘୃଣା, ଉତ୍ତେଜନା ସୃଷ୍ଟିକାରୀ ସମସ୍ତ ପ୍ରୟାସକୁ ଫେସବୁକ୍‌ ସର୍ବଦା ନିନ୍ଦା କରି ଆସିଛି। ଏହି ସୋସିଆଲ ମିଡିଆ ପ୍ଲାଟଫର୍ମ‌୍‌ରେ ଜନସାଧାରଣ ସେମାନଙ୍କ ମତ ସ୍ବାଧୀନ ଭାବେ ରଖି ଆସିଛନ୍ତି ଏବଂ ଆମେ ଲୋକଙ୍କ ସ୍ବାଧୀନ ମତବ୍ୟକ୍ତ ଅଧିକାରକୁ ସମ୍ମାନ ଦେଉଛୁ ବୋଲି ଫେସବୁକ୍‌ କର୍ତ୍ତୃପକ୍ଷ କହିଛନ୍ତି।

ଫେସବୁକ୍‌ର ପବ୍ଲିକ୍‌ ପଲିସି, ଟ୍ରଷ୍ଟ ଆଣ୍ଡ୍‌ ସେଫ୍‌ଟି ଡାଇରେକ୍ଟର (ସାର୍ବଜନୀନ ନୀତି, ଆସ୍ଥା ଏବଂ ନିରାପତ୍ତା ନିର୍ଦ୍ଦେଶକ) ନିଲ୍‌ ପୋଟ୍‌ସ କହିଛନ୍ତି ଯେ, ଫେସବୁକ୍‌ ସର୍ବଦା ସର୍ବୋଚ୍ଚ ସ୍ତରର ନିଷ୍ଠା ଏବଂ ପାରଦର୍ଶିତାରେ କାମ କରିଆସିଛି। ଏହା କୌଣସି ଦଳୀୟ ମତ କିମ୍ବା ପ୍ରଭାବରେ ପରିଚାଳିତ ନୁହେଁ। ସୂଚନାଯୋଗ୍ୟ କଂଗ୍ରେସ ଫେସବୁକ୍‌ ବି‌ରୋଧରେ ଗୁରୁତର ଅଭିଯୋଗ ଆଣିବା ସହ ଏହି ମାମଲାରେ ବିଜେପି ଓ କେନ୍ଦ୍ର ସରକାରଙ୍କୁ ମଧ୍ୟ ଟାର୍ଗେଟ୍‌ କରିଛି। ଭାରତର ଗଣତାନ୍ତ୍ରିତ ପ୍ରକ୍ରିୟା ଏବଂ ସାମାଜିକ ସଦ୍‌ଭାବ କ୍ଷେତ୍ରରେ ଫେସବୁକ୍‌ ଅଯଥା ହସ୍ତକ୍ଷେପ କରୁଛି ବୋଲି କଂଗ୍ରେସ ଅଭିଯୋଗ କରିବା ସହ ଏବାବଦରେ ଫେସବୁକ୍‌ଠାରୁ ଜବାବ ଦାବି କରିଥିଲା। ବିଦେଶୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟ ଆଧାରରେ କଂଗ୍ରେସ ଏଭଳି ଅଭିଯୋଗ କରିଥିଲା। ଫେସବୁକ୍‌, ହ୍ବାଟ୍ସଆପ୍‌ର ଭାରତୀୟ ଟିମ୍‌କୁ ଏଥିପାଇଁ ଦାୟୀ କରିଥିଲା। ନିଲ୍‌ ପୋଟ୍‌ସ ତାଙ୍କ ଜବାବରେ କହିଛନ୍ତି, କଂଗ୍ରେସ ଯେଉଁସବୁ ପ୍ରସଙ୍ଗ ଉଠାଇଛି ଆମେ ତାହାକୁ ଅତି ଗମ୍ଭୀରତାର ସହ ଗ୍ରହଣ କରିଛୁ ଏବଂ ଆମ ସଂସ୍ଥା ସର୍ବାଧିକ ନିରପେକ୍ଷ ନୀତି ଏବଂ ଲୋକଙ୍କ ଅଧିକାରକୁ ସମ୍ମାନ ଦେଇ କାମ କରୁଛି ଏବଂ କରିବ। ଏଆଇସିସି ସାଧାରଣ ସମ୍ପାଦକ କେସି ବେଣୁଗୋପାଳ ପୂର୍ବରୁ ଫେସବୁକ୍‌ ମୁଖ୍ୟ ମାର୍କ ଜୁକରବର୍ଗ‌୍‌ଙ୍କୁ ୨ ଥର ପତ୍ର ଲେଖିଥିଲେ। ଏହାର ଜବାବରେ ନିଲ୍‌ ପୋଟ୍‌ସ ଆଜି ବେଣୁଗୋପାଳଙ୍କୁ ପତ୍ର ଲେଖି ଫେସବୁକ୍‌ର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି।

ସମ୍ବନ୍ଧିତ ଖବର