ବିଦ୍ରୋହୀ ନୁହଁ, ଆମେ ହିଁ ଶିବସେନା: ସିନ୍ଦେ

ମୁଖ୍ୟମନ୍ତ୍ରୀ ସବୁ ଛାଡ଼ିଦେବେ, ପାୱାରଙ୍କୁ ଛାଡ଼ି ପାରିବେନି: ବିଦ୍ରୋହୀ ବିଧାୟକ

ଗୌହାଟୀ: ଆସନ୍ତାକାଲି ମହାରାଷ୍ଟ୍ର ବିଧା‌ନସଭାରେ ସରକାର ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ଆଜି ସୁପ୍ରିମ୍‌ କୋର୍ଟ ରାୟ ପରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଇସ୍ତଫା ଦେଇଛନ୍ତି ଏବଂ ବିଜେପି ସରକାର ଗଠନ ନେଇ ଆଲୋଚନା ଆରମ୍ଭ କରିଦେଇଛି। ଆଜି ବିଦ୍ରୋହୀ ବିଧା‌ୟକ ଏକନାଥ ସିନ୍ଦେ କହିଛନ୍ତି, ସେ ଏବଂ ତାଙ୍କ ସହ ଥିବା ଅନ୍ୟ ବିଧାୟକମାନେ ଆସନ୍ତାକାଲି ମୁମ୍ବାଇ ପହଞ୍ଚିବେ ଓ ପରବର୍ତ୍ତୀ କାର୍ଯ୍ୟପନ୍ଥା ନିର୍ଦ୍ଧାରଣ କରିବେ।। ସିନ୍ଦେ କହିଛନ୍ତି, ଆମେ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବୁ। ଆମକୁ କେହି ଅଟକାଇ ପାରିବେନି। କାରଣ ଆମ ପାଖରେ ସଂଖ୍ୟା ଅଛି। ଆମ ନିକଟରେ ୫୦ ବିଧାୟକଙ୍କ ସମର୍ଥନ ଅଛି ଏବଂ ସଂଖ୍ୟାଗରିଷ୍ଠତା ପ୍ରମାଣ ପାଇଁ ଆମେ ଆଦୌ ଚିନ୍ତିତ ନୁହଁ ବୋଲି ସ‌ିନ୍ଦେ କହିଛନ୍ତି। ଆମେ ଏକାଠି ବସିବୁ ଏବଂ ଭବିଷ୍ୟତ ଯୋଜନା ସଂକ୍ରାନ୍ତରେ ଆଲୋଚନା କରିବୁ। ସିନ୍ଦେ କହିଛନ୍ତି, ଆମେ ବିଦ୍ରୋହୀ ନୁହଁ। ଆମେ ହିଁ ଶିବସେନା। ଆମେ ବାଲାସାହେବ ଠାକରେଙ୍କ ଶିବସେନାର ବିଚାରଧାରା ଏବଂ ‌ଏଜେଣ୍ଡାକୁ ଆଗକୁ ନେଉଛୁ। ଆମେ ହିନ୍ଦୁତ୍ବ ବିଚାରଧାରା ଏବଂ ରାଜ୍ୟର ବିକାଶ ପାଇଁ କାମ କରିବୁ। ଇତିମଧ୍ୟରେ ପୁନେର ପୂର୍ବତନ ଶିବସେନା ବିଧାୟକ ବିଜୟ ଶିବତାରେ କହିଛନ୍ତି, ଯଦି ଦଳର ସଭାପତି ଏବଂ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ଏନ୍‌ସିପି ଓ ‌କଂଗ୍ରେସ ସହ ମେଣ୍ଟ ଚ୍ଛିନ୍ନ ନକରିବେ ତେବେ ସେ ବିଦ୍ରୋହୀ ବିଧାୟକ ଏକନାଥ ସ‌ିନ୍ଦେଙ୍କୁ ସମର୍ଥନ କରିବେ। ବିଦ୍ରୋହୀ ଶିବସେନା ବିଧାୟକ ଗୁଲାବରାଓ ପାଟିଲ କହିଛନ୍ତି, ଠାକରେ ତାଙ୍କ ୫୨ ବିଧାୟକଙ୍କୁ ଛାଡ଼ିଦେଲେ। ସରକାରୀ ବାସଭବନ ଛାଡ଼ିଦେଲେ। ସେ ସବୁକିଛି ଛାଡ଼ି ଦେଇପାରିବେ। କିନ୍ତୁ ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କୁ ଛାଡ଼ି ପାରିବେନି। ପାଟିଲ କହିଛନ୍ତି, ବିଦ୍ରୋହୀ ବିଧାୟକମାନେ ସୁବିଧାବାଦୀ ନୁହନ୍ତି। ସେମାନେ ଦଳ ପାଇଁ ସବୁକିଛି କରିଛନ୍ତି। କିନ୍ତୁ ଠାକରେ ପାୱାରଙ୍କୁ ଛାଡ଼ି ପାରୁନାହାନ୍ତି।

ଆଜି ସୁପ୍ରିମ୍‌ କୋର୍ଟ ରାୟ ପୂର୍ବରୁ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ପୁଣିଥରେ କ୍ୟାବିନେଟ୍‌ ବୈଠକ କରିଥିଲେ ଏବଂ ୨୪ ଘଣ୍ଟାରେ ଏହା ଦ୍ବିତୀୟ କ୍ୟାବିନେଟ୍‌ ବୈଠକ ଥିଲା। ଦଳର ଅଧିକାଂଶ ମନ୍ତ୍ରୀ ବିଦ୍ରୋହୀ ଗୋଷ୍ଠୀରେ ଥିବାରୁ ଏହା ଠାକରେଙ୍କ ପାଇଁ ଅଡ଼ୁଆ ସୃଷ୍ଟି କରିଥିଲା। ତେବେ ଏହା ସତ୍ତ୍ବେ କ୍ୟାବିନେଟ୍‌ରେ ଅନେକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିଲା।

୫୦ ବିଧାୟକଙ୍କ ସମର୍ଥନ ଦାବି କଲେ
ମୁଖ୍ୟମନ୍ତ୍ରୀ ସବୁ ଛାଡ଼ିଦେବେ, ପାୱାରଙ୍କୁ ଛାଡ଼ି ପାରିବେନି: ବିଦ୍ରୋହୀ ବିଧାୟକ
୨୪ଘଣ୍ଟାରେ ଠାକ୍‌ରେଙ୍କ ଦ୍ବିତୀୟ କ୍ୟାବିନେଟ୍‌ ‌ବୈଠକ

ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ଦାବି କଲା ବିଜେପି
ମୁମ୍ବାଇ: ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକରେ ବିଧାନସଭାରେ ସଂଖ୍ୟାଗରିଷ୍ଠତାର ପ୍ରମାଣ ଦେବା ପୂର୍ବରୁ ଆଜି ରାତିରେ ଇସ୍ତଫା ଦେଇଥିବା ବେଳେ ଶିବସେନାର ବିଦ୍ରୋହୀ ବିଧାୟକମାନେ ଆସନ୍ତାକାଲି ସକାଳେ ମୁମ୍ବାଇ ଫେରିବେ। ମହାରାଷ୍ଟ୍ର ବିଜେପି ଏହି ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ଦାବି କରିଛି। ବିଜେପି ନେତା ସୁଧୀର ମୁଙ୍ଗନ୍ତିୱାର ରାଜ୍ୟ ବିଧାନସଭା ସଚିବାଳୟର ପ୍ରମୁଖ ସଚିବ ରାଜେନ୍ଦ୍ର ଭଗବତଙ୍କୁ ଭେଟିଛନ୍ତି ଏବଂ ବିଦ୍ରୋହୀ ବିଧାୟକଙ୍କ ସୁରକ୍ଷା ଦାବି କରିଛନ୍ତି। ଉଲ୍ଲେଖଯୋଗ୍ୟ, ବିଦ୍ରୋହୀ ବିଧାୟକଙ୍କୁ ଖୋଲା ଧମକ ଦିଆଯାଇଛି। ଶିବସେନା ନେତା‌ ସଂଜୟ ରାଉତ ବିଦ୍ରୋହୀ ବିଧାୟକମାନଙ୍କୁ ଧମକ ଦେଇ କହିଛନ୍ତି ଯେ ମହାରାଷ୍ଟ୍ର ଫେରିଲେ ସେମାନଙ୍କୁ ରାସ୍ତାରେ ଚାଲିବାକୁ ଦିଆଯିବନି। ଆଜି ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ଼ନାବିସଙ୍କ ବାସଭବନ‌ରେ ବିଜେପି ନେତାମାନେ ଏକ ବୈଠକ କରିଥିଲେ ଏବଂ ବିଦ୍ରୋହୀମାନେ ଫେରିବା ପରେ କିଭଳି ରଣନୀତି ଅବଲମ୍ବନ କରାଯିବ ସେ ନେଇ ଆଲୋଚନା କରିଥିଲେ।

ସମ୍ବନ୍ଧିତ ଖବର