ଆମର ହୃଦୟ ପାଷାଣ ନୁହେଁ କହି ବୀରଭୂମ ହିଂସାକାଣ୍ଡ ଘଟଣା ପାଇଁ ପାର୍ଲାମେଣ୍ଟ୍‌ରେ କାନ୍ଦି ପକାଇଲେ ରୂପା ଗାଙ୍ଗୁଲୀ

ନୂଆଦିଲ୍ଲୀ: ପଶ୍ଚିମବଙ୍ଗରେ ଗଣହତ୍ୟା ସାଧାରଣ ଘଟଣା ହୋଇଗଲାଣି ବୋଲି ଅଭିଯୋଗ କରି ଆଜି ପାର୍ଲାମେଣ୍ଟ୍‌ରେ ‘ବିଜେପି’ ସାଂସଦ ରୂପା ଗାଙ୍ଗୁଲୀ କାନ୍ଦିବା ସହ ରାଜ୍ୟରେ ରାଷ୍ଟ୍ରପତି ଶାସନ ପାଇଁ ଦାବି କରିଛନ୍ତି।

ରାଜ୍ୟସଭାରେ ବୀରଭୂମ ହିଂସାକାଣ୍ଡ ବିଷୟରେ କହିଲା ବେଳେ ସେ କହିଲେ, ଭୟରେ ଲୋକେ ପଶ୍ଚିମବଙ୍ଗ ଛାଡ଼ି ପଳାଉଛନ୍ତି। ପଶ୍ଚିମବଙ୍ଗରେ ଆମେ ରାଷ୍ଟ୍ରପତି ଶାସନ ଦାବି କରୁଛୁ। ସେଠାରେ ଗଣସଂହାର ଚାଲିଛି। ଲୋକେ ଘରବାଡ଼ି ଛାଡ଼ି ପଳାଉଛନ୍ତି। ରାଜ୍ୟରେ ଆଉ ରହିବା ଭଳି ପରିସ୍ଥିତି ନାହିଁ।

Image Courtesy of India Today

ସୂଚନାଯୋଗ୍ୟ, ମାର୍ଚ ୨୨ ତାରିଖରେ ଘରେ ନିଆଁ ଲଗାଇ ପଶ୍ଚିମବଙ୍ଗର ବୀରଭୂମର ରାମପୁରହାଟ ଅନ୍ତର୍ଗତ ବୋଗତୁଇ ଗ୍ରାମରେ ୮ଜଣ ଲୋକଙ୍କୁ ଜିଅନ୍ତା ପୋଡ଼ି ମାରି ଦିଆଯାଇଥିଲା। ମୃତ ବ୍ୟକ୍ତିମାନଙ୍କ ମଧ୍ୟରେ ଥିଲେ ୩ଜଣ ମହିଳା ଏବଂ ୨ଜଣ ପିଲା। ଏହି ଘଟଣାର ଦିନକ ପୂର୍ବରୁ ‘ତୃଣମୂଳ କଂଗ୍ରେସ’ର ଜଣେ ନେତାଙ୍କୁ ହତ୍ୟା କରାଯାଇଥିଲା। ଘଟଣା ପରେ ପରେ ସ୍ଥାନୀୟ ବାସିନ୍ଦାମାନେ ବୋଗତୁଇ ଗାଁ ଛାଡ଼ି ଚାଲିଯାଉଥିବା ଖବର ମିଳିଥିଲା।

ସାଂସଦ ରୂପା ଗାଙ୍ଗୁଲୀ ଆହୁରି ମଧ୍ୟ କହିଛନ୍ତି, ପଶ୍ଚିମବଙ୍ଗରେ ଲୋକେ ପାଟି ଫିଟାଇ ପାରୁନାହାନ୍ତି। ସରକାର ଆତତାୟୀଙ୍କୁ ସୁରକ୍ଷା ଦେଉଛନ୍ତି। ନିର୍ବାଚନ ପାଇଁ ଗଣହତ୍ୟା କରୁଥିବା ସରକାର ଅନ୍ୟ କୌଣସି ରାଜ୍ୟରେ ନାହିଁ। ଆମେ ମଣିଷ। ଆମେ ପାଷାଣ-ହୃଦୟ ରାଜନୀତି କରୁନାହିଁ।

ସମ୍ବନ୍ଧିତ ଖବର