ଚେନ୍ନନାଇ: ଅଭିନେତ୍ରୀ ଗୌତମୀ ତାଡିମଲ୍ଲା ଦଳରୁ ସମର୍ଥନ ଅଭାବ ଦର୍ଶାଇ ବିଜେପି ଛାଡ଼ିବାର କିଛି ଘଣ୍ଟା ପରେ ଦଳର ତାମିଲନାଡୁ ୟୁନିଟ୍ ମୁଖ୍ୟ କେ ଆନ୍ନାମଲାଇ କହିଛନ୍ତି ଯେ ଗୌତମୀ ଭୁଲ ବୁଝାମଣା ଯୋଗୁ ଏପରି କହିଛନ୍ତି,ଦଳ ପ୍ରକୃତରେ ତାଙ୍କ ପକ୍ଷରେ ଅଛି।
ଶୁକ୍ରବାର ଦିନ ଗୌତମୀ ତାଡିମଲ୍ଲା ବିଜେପିରେ ତାଙ୍କର ୨୫ ବର୍ଷର କାର୍ଯ୍ୟକାଳ ଶେଷ କରିଥିଲେ ଏବଂ ତାଙ୍କୁ ଠକିଥିବା ଜଣେ ବ୍ୟକ୍ତିଙ୍କ ସହ ଦଳର କିଛି ସଦସ୍ୟଙ୍କ ସହଯୋଗ ରହିଥିବା ଅଭିଯୋଗ କରିଥିଲେ।
ଏ ନେଇ ପ୍ରତିକ୍ରିୟା ରଖି ଆନ୍ନାମଲାଇ କହିଛନ୍ତି, ‘ମୁଁ ଗୌତମୀ ତାଡିମଲ୍ଲାଙ୍କ ସହ ଫୋନରେ କଥା ହୋଇଥିଲି ଏବଂ ସେ ଖୁବ୍ ଶୀଘ୍ର କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଥିଲେ। ଏଫଆଇଆର ରୁଜୁ କରିବା ପାଇଁ ଆମେ ତାଙ୍କୁ ସମର୍ଥନ କରିଥିଲୁ। କିନ୍ତୁ ବର୍ତ୍ତମାନ ସେ ଅନୁଭବ କରୁଛନ୍ତି ଯେ କିଛି ବିଜେପି କର୍ମୀ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ଚେଷ୍ଟା କରୁଛନ୍ତି । ତେବେ, କେହି ତାଙ୍କୁ (ଅଭିଯୁକ୍ତଙ୍କୁ) ସୁରକ୍ଷା ଦେବାକୁ ଚେଷ୍ଟା କରୁନାହାନ୍ତି। ଆଜି ମଧ୍ୟ ମୁଁ ଗୌତମୀଙ୍କ ସହ କଥା ହୋଇଥିଲି। ଆମ ଭିତରେ ଭୁଲ ବୁଝାମଣା ହୋଇଛି।’
ନିଜ ଇସ୍ତଫା ପତ୍ରରେ ଗୌତମୀ କହିଛନ୍ତି ଯେ ସେ ତାଙ୍କ ଜୀବନର ଏକ ଅକଳ୍ପନୀୟ ସଙ୍କଟ ମୁହୂର୍ତ୍ତରେ ଠିଆ ହୋଇଛନ୍ତି। ସେ ଅତ୍ୟନ୍ତ ଭାରୀ ହୃଦୟ ଏବଂ ଗଭୀର ନିରାଶା ସହିତ ଦଳ ଛାଡିବାର ନିଷ୍ପତ୍ତି ଘୋଷଣା କରିଛନ୍ତି।
ଗୌତମୀ ଅଭିଯୋଗ କରିଛନ୍ତି ଯେ ୨୦ ବର୍ଷ ତଳେ ସି ଅଲାଗପ୍ପନ୍ ନାମକ ଜଣେ ବ୍ୟକ୍ତି ତାଙ୍କ ସହ ବନ୍ଧୁତା କରିଥିଲେ। ଗୌତମୀ କହିଛନ୍ତି ଯେ ସେ ତାଙ୍କ ସମ୍ପତ୍ତି ପରିଚାଳନା ପାଇଁ ଅଲାଗପ୍ପନ୍ଙ୍କୁ ଦାୟିତ୍ୱ ଦେଇଥିଲେ। ତାଙ୍କୁ ଜମି ବିକ୍ରି ଦାୟିତ୍ୱ ଦେଇଥିଲେ ଏବଂ ନିକଟରେସେ ଜାଣିବାକୁ ପାଇଲେ ଯେ ସେ ତାଙ୍କୁ ଠକିଛନ୍ତି।
ଗୌତମୀ ଅଭିଯୋଗ କରିଛନ୍ତି ଯେ ତାଙ୍କ ପ୍ରତି ସମର୍ଥନର ସମ୍ପୂର୍ଣ୍ଣ ଅଭାବ ରହିଛି ଏବଂ ଏହା ବ୍ୟତୀତ ବିଜେପିର ଅନେକ ବରିଷ୍ଠ ସଦସ୍ୟ ଏଫଆଇଆର ଦାଏର ହେବା ପରେ ମଧ୍ୟ ଗତ ୪୦ ଦିନ ଧରି ଅଲାଗପ୍ପନ୍ଙ୍କୁ ସୁରକ୍ଷା ଦେବା ସହ ତାଙ୍କୁ ଫେରାର କରାଇଦେଇଛନ୍ତି। ତେବେ, ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମକେ ଷ୍ଟାଲିନ, ପୁଲିସ ବିଭାଗ ଏବଂ ନ୍ୟାୟିକ ବ୍ୟବସ୍ଥା ତାଙ୍କୁ ନ୍ୟାୟ ଦେବାରେ ସହାୟକ ହେବ ବୋଲି ସେ ଆଶା ବ୍ୟକ୍ତ କରିଛନ୍ତି।