ଆମେ ଏବେ ବି ବିକୃତ ଇତିହାସ ପଢ଼ୁଛେ: ମୋଦୀ

ନୂଆଦିଲ୍ଲୀ : ଭାରତର ଇତିହାସକୁ ଜାଣିଶୁଣି ବିକୃତ କରାଯାଇଛି। ଆମେ ଏବେ ବି ଏହି ବିକୃତିକୁ ପଢ଼ିଆସୁଛୁ। ସପ୍ତଦଶ ଶତାବ୍ଦୀରେ ମୋଗଲମାନଙ୍କୁ ପରାଜିତ କରିଥିବା ଆସାମ ଅହମ ରାଜ୍ୟର ଜେନେରାଲ ଲଚିତ ବରଫୁକନଙ୍କ ୪୦୦ତମ ଜୟନ୍ତୀରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହିତ ପ୍ରଧାନମନ୍ତ୍ରୀ ଆଜି ଏହା କହିଛନ୍ତି। ମୋଗଲ ସମ୍ରାଟ ଔରଙ୍ଗଜେବଙ୍କ ସାମ୍ରାଜ୍ୟ ବିସ୍ତାରକୁ ଲଚିତ ରୋକିବାରେ ସମର୍ଥ ହୋଇଥିଲେ। ମୋଗଲମାନେ ଗୌହାଟୀକୁ ଦଖଲ କରି ନେଇଥିଲେ। କିନ୍ତୁ ଲଚିତଙ୍କ ଭଳି ନାୟକମାନେ ଏହାକୁ ସେମାନଙ୍କ କବଳରୁ ମୁକ୍ତ କରିଥିଲେ। ବାହ୍ୟ ଶତ୍ରୁଙ୍କ ଆକ୍ରମଣକୁ ଉପଯୁକ୍ତ ଜବାବ ଦେବାକୁ ଭାରତର ସାମର୍ଥ୍ୟ ରହିଛି।

ଆମେ ପଢ଼ୁଥିବା ଇତିହାସ ଉପନିବେଶ ଏଜେଣ୍ଡାର ଅଂଶ
ପୁରୁଣା ବିକୃତିକୁ ଦୂର କରାଯିବ
ଅତୀତର ନାୟକମାନଙ୍କୁ ଆମେ ଗର୍ବର ସହ ମନେପକାଉଛୁ

ତେବେ ସ୍ବାଧୀନ ଭାରତ ଏଭଳି ବୀରମାନଙ୍କୁ ଉଚିତ ନ୍ୟାୟ ପ୍ରଦାନ କରିନାହିଁ। ଭାରତର ଇତିହାସ କହିଲେ ଯୋଦ୍ଧାମାନଙ୍କର ଇତିହାସ, ବିଜୟର ଇତିହାସ, ତ୍ୟାଗ ଏବଂ ବୀରତ୍ବର ଇତିହାସ। କିନ୍ତୁ ଆମେ ଯେଉଁ ଇତିହାସ ପଢ଼ିଛେ ତାହା ଉପନିବେଶ ଏଜେଣ୍ଡାର ଏକ ଅଂଶ। ଏଭଳି ବୀରଙ୍କ ବିରତ୍ବ କ’ଣ ଆମ ପାଇଁ ଗୁରୁତ୍ବ ରଖେ ନାହିଁ କି ବୋଲି ପ୍ରଧାନମନ୍ତ୍ରୀ ପ୍ରଶ୍ନ କରିଛନ୍ତି। ଆମକୁ ଶାସନ କରୁଥିବା ଶାସକମାନଙ୍କ ଏଜେଣ୍ଡା ବିରୋଧରେ ସ୍ବାଧୀନତା ପରେ ସଂଗ୍ରାମ କରିବା ଆବଶ୍ୟକତା ରହିଥିଲା। କିନ୍ତୁ ତାହା କରାଯାଇନାହିଁ। ଆଜି ଭାରତ ଉପନିବେଶବାଦର ଶିକୁଳିରୁ ମୁକ୍ତ ହୋଇ ଆଗକୁ ବଢ଼ୁଛି। ଆମର ଐତିହ୍ୟକୁ ପାଳନ କରିବା ସହିତ ଅତୀତର ନାୟକମାନଙ୍କୁ ଗର୍ବର ସହିତ ମନେ ପକାଉଛି ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଲଚିତ ବରଫୁକନ ବିଦେଶୀ ଶକ୍ତିଙ୍କୁ ହରାଇଥିଲେ ମଧ୍ୟ କୌଣସି ଶ୍ରେୟ ପାଇ ନଥିଲେ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି।

ଯେତେବେଳେ ଏକ ରାଷ୍ଟ୍ର ତା’ର ପ୍ରକୃତ ଅତୀତକୁ ଜାଣିପାରେ, ସେତେବେଳେ ଅତୀତରୁ ଶିକ୍ଷା ଗ୍ରହଣ କରି ଭବିଷ୍ୟତ ପାଇଁ ସଠିକ୍‌ ଦିଗରେ ଯାତ୍ରା କରେ ବୋଲି ପ୍ରଧାନମନ୍ତ୍ରୀ ଏହି କାର୍ଯ୍ୟକ୍ରମରେ କହିଛନ୍ତି।

ସମ୍ବନ୍ଧିତ ଖବର