ଆମେ ନଜର ରଖିଛୁ : ଡୋକଲାମରେ ଚୀନର ଗ୍ରାମ ସ୍ଥାପନକୁ ନେଇ ଭାରତର ପ୍ରତିକ୍ରିୟା

ନୂଆଦିଲ୍ଲୀ : ଭାରତ-ଭୁଟାନ ଓ ଚୀନର ତ୍ରିକୋଣୀୟ ସୀମା ନିକଟରେ ଅବସ୍ଥିତ ବିବାଦୀୟ ଡୋକଲାମ୍ ଉପତ୍ୟାକା ନିକଟରେ ଚୀନର ଗ୍ରାମ ନିର୍ମାଣ ସଂପର୍କରେ ପ୍ରତିକ୍ରିୟା ରଖିଛି ଭାରତ । ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ଅରିନ୍ଦମ ବାଗଚି କହିଛନ୍ତି ଯେ, ଏହା ଉପରେ ଭାରତ ନଜର ରଖିଛି । ଦେଶର ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିବାର ଆଶଙ୍କା ଥିବା ସବୁ ଘଟଣା ଉପରେ ଭାରତ ନଜର ରଖିଥାଏ ଓ ଦେଶର ସୁରକ୍ଷା ପାଇଁ ଆବଶ୍ୟକ ସବୁପ୍ରକାରର ପଦକ୍ଷେପ ନିଆଯିବ ।

ସୂଚନାଯୋଗ୍ୟ ଯେ, ଉପଗ୍ରହ ଚିତ୍ରରୁ ଚୀନର ଗ୍ରାମଟି ସ୍ପଷ୍ଟଭାବେ ଦେଖାଯାଉଛି । ଏହି ଗ୍ରାମରେ ଚୀନ ନିଜର ଲୋକମାନଙ୍କୁ ଆଣି ବସବାସ କରାଇଛି । ଉପଗ୍ରହ ଚିତ୍ରରୁ ପ୍ରତି ଘର ଆଗରେ କାର ଥିବା ଦେଖାଯାଉଛି । ଏହି ଗ୍ରାମକୁ ଚୀନ ପାଙ୍ଗଡା ନାମ ଦେଇଥିବାବେଳେ ତାହା ସଂପୂର୍ଣ୍ଣ ଭାବେ ଭୁଟାନ ଅଂଚଳ ମଧ୍ୟରେ ରହିଛି । ଏହି ଗ୍ରାମ ନିକଟରେ ଥିବା ଆମ ଚୁ ନଦୀ କୂଳରେ ଚୀନ ଏକ ସଡ଼କ ମଧ୍ୟ ନିର୍ମାଣ କରିଛି । ଏହା ଭାରତର ସିଲିଗୁଡି କରିଡରର ନିକଟରେ ଥିବାରୁ ଭାରତର ସୁରକ୍ଷା ପାଇଁ ବିପଦ ସୃଷ୍ଟି ହେବାର ଆଶଙ୍କା ରହିଛି ।

ସୂଚନାଯୋଗ୍ୟ ଯେ, ୨୦୧୭ ସେପ୍ଟେମ୍ବର ମାସରେ ସିକିମ୍‌-ତିବ୍ଦତ-ଭୁଟାନ୍‌ ସୀମାର ବିବାଦୀୟ କ୍ଷେତ୍ର ତଥା ଅତି ସମ୍ବେଦନଶୀଳ ଡୋକ୍‌ଲାମ ଉପତ୍ୟାକାରେ ଚୀନର ରାସ୍ତା ନିର୍ମାଣ କାର୍ଯ୍ୟକୁ ଭାରତ ବିରୋଧ କରିଥିଲା । ସେଥିପାଇଁ ଦୀର୍ଘ ୭୩ ଦିନ ଯାଏ ଭାରତ ଓ ଚୀନ୍‌ ସେନାଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ଉପୁଜିଥିଲା ।

ସମ୍ବନ୍ଧିତ ଖବର