ୟୁପିରେ ୭୪ ଆସନ ଜିତିବୁ, ପ୍ରଭୁ ରାମଙ୍କ ଜନ୍ମସ୍ଥାନରେ ହିଁ ଭବ୍ୟ ମନ୍ଦିର ନିର୍ମାଣ ହେବ : ଅମିତ ଶାହ

ବିଜେପି ଜାତୀୟ ପରିଷଦ ବୈଠକ: ୨୦୧୯ ଲଢ଼େଇ ବିଚାରଧାରାକୁ ନେଇ ହେବ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନରେ ବିଚାରଧାରାକୁ ନେଇ ଲଢ଼େଇ ହେବ । ଦୁଇଟି ବିଚାରାଧାରା ମଧ୍ୟରେ ଏହି ଲଢ଼େଇରେ ଜନସାଧାରଣ ନିଜ ପ୍ରତିନିଧି ଚୟନ କରିବେ ବୋଲି ବିଜେପି ଅଧ୍ୟକ୍ଷ ଅମିତ ଶାହ କହିଛନ୍ତି।

ଉତ୍ତର ପ୍ରଦେଶ ସଂପର୍କରେ ଦୃଢ଼ୋକ୍ତି ପ୍ରକାଶ କରି ଶାହ କହିଛନ୍ତି ଯେ ବିଜେପି ୟୁପିରେ ୭୩ରୁ ୭୪ ଆସନରେ ବିଜୟୀ ହେବ। ୨୦୧୪ରେ ଆମେ ୭୨ ଆସନ ଦଖଲ କରିଥିଲୁ ଏବଂ ୨୦୧୯ରେ ଏହା ୭୪ ହେବ ବୋଲି ସେ କହିଛନ୍ତି। ଦିଲ୍ଲୀର ରାମଲୀଳା ପଡ଼ିଆରେ ଆଜିଠାରୁ ଆରମ୍ଭ ହୋଇଥିବା ଦୁଇ ଦିନିଆ ଜାତୀୟ ପରିଷଦ ବୈଠକରେ ଉଦ୍‌ବୋଧନ ଦେଇ ଶାହ କହିଛନ୍ତି ଯେ ଉତ୍ତର ପ୍ରଦେଶରେ ବୁଆ (ମାୟାବତୀ)-ବବୁଆ (ଅଖିଳେଶ) ମେଣ୍ଟକୁ ଲୋକେ ପ୍ରତ୍ୟାଖ୍ୟାନ କରିବେ। ପରସ୍ପରର ପରମ ଶତ୍ରୁ ରହି ଆସିଥିବା ଏହି ଦୁଇ ଦଳ ବିଜେପି ଭୟରେ ଏବେ ହାତ ମିଳାଇଛନ୍ତି। ସେମାନଙ୍କୁ ମୋଦୀ ଭୟ ଘାରିଛି ବୋଲି ଶାହ କହିଛନ୍ତି। ପଶ୍ଚିମବଂଗରେ ଏବେ ବିଜେପି ସରକାର ଗଠନ କରିବା ସ୍ଥିତିକୁ ଆସିଯାଇଛି।

ଓଡ଼ିଶାରେ ଦଳର ସ୍ଥିତି ସୁଦୃଢ଼ ହୋଇଛି । ୨୦୧୪ରେ ଆମର ୨.୪୦ କୋଟି ସଦସ୍ୟ ଥିଲେ ଏବଂ ଏବେ ପୂରା ଦେଶରେ ୧୧ କୋଟିରୁ ଅଧିକ ସଦସ୍ୟ ଅଛନ୍ତି ବୋଲି ଶାହ କହିଛନ୍ତି। ଏବେ ମୋଦୀଙ୍କ ବିରୋଧରେ ସବୁ ଦଳ ଏକଜୁଟ ହୋଇଛନ୍ତି। କିନ୍ତୁ ସେମାନଙ୍କ ସ୍ବାର୍ଥ ସର୍ବସ୍ବ ମେଣ୍ଟକୁ ଲୋକେ ଠିକଣା ଜବାବ ଦେବେ ବୋଲି ସେ କହିଛନ୍ତି। ରାମ ମନ୍ଦିର ପ୍ରସଙ୍ଗରେ ଶାହ କହିଛନ୍ତି ଯେ ଯେଉଁଠି ପ୍ରଭୁ ଶ୍ରୀରାମ ଜନ୍ମ ନେଇଥିଲେ, ସେହି ସ୍ଥାନରେ ହିଁ ଭବ୍ୟ ରାମ ମନ୍ଦିର ନିର୍ମାଣ ହେବ। କଂଗ୍ରେସ ଦଳ ଏଥିରେ ନାନା ପ୍ରତିବନ୍ଧକ ସୃଷ୍ଟି କରୁଛି। ସବୁ ବାଧାବିଘ୍ନ ସତ୍ତ୍ବେ ମନ୍ଦିର ନିର୍ମାଣ ହେବ ବୋଲି ଶାହ କହିଛନ୍ତି। ବିଜେପି ଜାତୀୟ ପରିଷଦ ବୈଠକରେ ମିସନ୍‌-୨୦୧୯ ପାଇଁ ରଣନୀତି ଚୂଡ଼ାନ୍ତ ହେବ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ ଏଥିରେ ଉଦ୍‌ବୋଧନ ଦେବେ। ବୈଠକରେ ସମସ୍ତ ସାଂସଦ, ବିଧାୟକ, ଜାତୀୟ ପରିଷଦ ସଦସ୍ୟ ପ୍ରମୁଖ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର