ନୂଆଦିଲ୍ଲୀ: ୧୯୭୬ ମସିହାରେ ସମ୍ବିଧାନରେ ସଂଶୋଧନ କରାଯାଇ ସେଥିରେ ଯୋଡ଼ାଯାଇଥିବା ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ପରି ଶବ୍ଦର ବିଚାର ବିଭାଗୀୟ ସମୀକ୍ଷା କରାଯାଇଛି ଏବଂ ଜରୁରୀ ପରିସ୍ଥିତି ସମୟରେ ସଂସଦ ଯାହା କରିଛି ସେସବୁକୁ ଅବୈଧ ବୋଲି କହିପାରିବୁନି ବୋଲି ସୁପ୍ରିମ୍କୋର୍ଟ ଶୁକ୍ରବାର କହିଛନ୍ତି। ସମ୍ବିଧାନର ପ୍ରସ୍ତାବନାରେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦକୁ ଅନ୍ତର୍ଭୁକ୍ତ କରିବାକୁ ଚ୍ୟାଲେଞ୍ଜ କରି ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ, ବରିଷ୍ଠ ଓକିଲ ଅଶ୍ବିନୀ ଉପାଧ୍ୟାୟ, ଆଇନଜୀବୀ ବିଷ୍ଣୁଶଙ୍କର ଜୈନ ଓ ଅନ୍ୟମାନଙ୍କ ଦ୍ୱାରା ଦାୟର ଏକାଧିକ ଆବେଦନର ଶୁଣାଣି କରି ପ୍ରଧାନ ବିଚାରପତି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ୍ ସଞ୍ଜୟ କୁମାରଙ୍କୁ ନେଇ ଗଠିତ ଖଣ୍ଡପୀଠ ରାୟ ସଂରକ୍ଷିତ ରଖିଛନ୍ତି। କୋର୍ଟ ୨୫ ତାରିଖରେ ଏହା ଉପରେ ରାୟ ଶୁଣାଇବେ ବୋଲି କହିଛନ୍ତି।
ତେବେ ପ୍ରଧାନ ବିଚାରପତି କହିଛନ୍ତି ଯେ, ଏହି ଅଦାଲତ ଦ୍ୱାରା ୪୨ତମ ସଂଶୋଧନର ଅନେକ ନ୍ୟାୟିକ ସମୀକ୍ଷା କରାଯାଇଛି। ଆମେ କହିପାରିବୁ ନାହିଁ ଯେ ସେହି ସମୟରେ (ଜରୁରୀ ପରିସ୍ଥିତି) ସଂସଦ ଯାହା କରିଥିଲା ତାହା ସବୁ ଭୁଲ୍ ଥିଲା। ୧୯୭୬ ମସିହାରେ ଇନ୍ଦିରା ଗାନ୍ଧୀ ସରକାର ଆଣିଥିବା ୪୨ତମ ସମ୍ବିଧାନ ସଂଶୋଧନ ଅଧୀନରେ ସମ୍ବିଧାନର ପ୍ରସ୍ତାବନାରେ ‘ସମାଜବାଦୀ’, ‘ଧର୍ମନିରପେକ୍ଷ’ ଓ ‘ଅଖଣ୍ଡତା’ ଶବ୍ଦକୁ ସାମିଲ କରାଯାଇଥିଲା। ସ୍ୱର୍ଗତ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ୧୯୭୫ ଜୁନ୍ ୨୫ରୁ ୧୯୭୭ ମାର୍ଚ୍ଚ ୨୧ ପର୍ଯ୍ୟନ୍ତ ଭାରତରେ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ଶୁଣାଣି ସମୟରେ ଖଣ୍ଡପୀଠ ଆବେଦନକାରୀଙ୍କ ଦାବି ଅନୁଯାୟୀ ମାମଲାକୁ ବୃହତ୍ତର ଖଣ୍ଡପୀଠକୁ ପଠାଇବାକୁ ମନା କରି ଦେଇଥିଲେ ଏବଂ କହିଥିଲେ ଯେ ସମାଜବାଦୀ ହେବା ମାନେ ଭାରତ ଏକ କଲ୍ୟାଣକାରୀ ରାଷ୍ଟ୍ର ବୋଲି ବୁଝାଯାଉଛି। ଆଇନଜୀବୀ ଜୈନ କହିଛନ୍ତି ଯେ ନିକଟରେ ୯ ଜଣିଆ ସାମ୍ବିଧାନିକ ଖଣ୍ଡପୀଠ ଦେଇଥିବା ରାୟରେ ସର୍ବୋଚ୍ଚ ନ୍ୟାୟାଳୟର ପୂର୍ବତନ ବିଚାରପତି ଜଷ୍ଟିସ୍ ଭିଆର୍ କ୍ରିଷ୍ଣା ଆୟାର ଓ ଜଷ୍ଟିସ୍ ଓ ଚିନ୍ନାପ୍ପା ରେଡ୍ଡୀ ଦେଇଥିବା ‘ସମାଜବାଦୀ’ ଶବ୍ଦର ବ୍ୟାଖ୍ୟା ଉପରେ ଅଧିକାଂଶ ଲୋକ ସନ୍ଦେହ କରୁଛନ୍ତି। ଏହାପରେ ଖଣ୍ଡପୀଠ କହିଥିଲେ, ଭାରତରେ ସମାଜବାଦକୁ ଆମେ ଯେଉଁଭଳି ଭାବରେ ବୁଝିଛୁ ତାହା ଅନ୍ୟ ଦେଶଠାରୁ ବହୁତ ଭିନ୍ନ। ଆମ ପାଇଁ ସମାଜବାଦର ମୁଖ୍ୟ ଅର୍ଥ ହେଉଛି ଏକ କଲ୍ୟାଣକାରୀ ରାଷ୍ଟ୍ର। ଭଲ ଭାବେ ସମୃଦ୍ଧ ହେଉଥିବା ଘରୋଇ କ୍ଷେତ୍ରକୁ ଏହା କେବେ ବି ଅଟକାଇ ପାରିନାହିଁ। ୧୯୯୪ ଏସ୍ଆର ବୋମାଇ ମାମଲାରେ ସର୍ବୋଚ୍ଚ ଅଦାଲତ ଧର୍ମନିରପେକ୍ଷତାକୁ ସମ୍ବିଧାନର ମୌଳିକ ଢାଞ୍ଚାର ଏକ ଅଂଶ ବୋଲି କହିଥିଲେ।
ସମ୍ବିଧାନରେ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦକୁ ନେଇ ବିଚାର ବିଭାଗୀୟ ସମୀକ୍ଷା
ସମ୍ବିଧାନ ପ୍ରସ୍ତାବନାରୁ ‘ସମାଜବାଦୀ’ ଓ ‘ଧର୍ମନିରପେକ୍ଷ’ ଶବ୍ଦକୁ ହଟାଇବା ପାଇଁ ଦାବି
ନଭେମ୍ବର ୨୫ରେ ରାୟ ଶୁଣାଇବେ କୋର୍ଟ
ଆଇନଜୀବୀ ଜୈନ ଆହୁରି ଯୁକ୍ତି ବାଢ଼ିଥିଲେ ଯେ ୧୯୭୬ ମସିହାରେ ସମ୍ବିଧାନରେ ସଂଶୋଧନ ଲୋକଙ୍କ କଥା ନ ଶୁଣି ପାରିତ ହୋଇଥିଲା କାରଣ ଏହା ଜରୁରିକାଳୀନ ପରିସ୍ଥିତି ସମୟରେ ପାରିତ ହୋଇଥିଲା। ଏହାଦ୍ବାରା ଲୋକମାନଙ୍କୁ ନିର୍ଦ୍ଦିଷ୍ଟ ବିଚାରଧାରା ଅନୁସରଣ କରିବାକୁ ବାଧ୍ୟ କରାଯାଇଛି। ଏହି ପ୍ରସଙ୍ଗରେ ଏକ ବୃହତ୍ ଖଣ୍ଡପୀଠ ନିକଟରେ ଶୁଣାଣି ପାଇଁ ଆବେଦନ କରି ଜୈନ କହିଛନ୍ତି, ପ୍ରସ୍ତାବନାରେ ନୂଆ ଶବ୍ଦ ଯୋଡ଼ିବା ପାଇଁ ପ୍ରାବଧାନ ନାହିଁ। ଆଇନଜୀବୀ ଅଶ୍ୱିନୀ ଉପାଧ୍ୟାୟ ମଧ୍ୟ ଏକ ପିଟିସନ ଦାଖଲ କରି କହିଛନ୍ତି ଯେ ସେ ‘ସମାଜବାଦ’ ଏବଂ ‘ଧର୍ମନିରପେକ୍ଷତା’ର ଧାରଣା ବିରୋଧରେ ନୁହନ୍ତି ବରଂ ସେଗୁଡ଼ିକୁ ପ୍ରସ୍ତାବନାରେ ସାମିଲ କରିବାକୁ ବିରୋଧ କରନ୍ତି। ଖଣ୍ଡପୀଠ କହିଛନ୍ତି ଯେ ସମ୍ବିଧାନର ଧାରା ୩୬୮ ସଂସଦକୁ ସମ୍ବିଧାନ ସଂଶୋଧନ ପାଇଁ କ୍ଷମତା ପ୍ରଦାନ କରିଛି ଏବଂ ଏହା ପ୍ରସ୍ତାବନା ପର୍ଯ୍ୟନ୍ତ ମଧ୍ୟ ଲାଗୁ।
ଆଟର୍ଣ୍ଣି ଜେନେରାଲ ଓ ସଲିସିଟର ଜେନେରାଲଙ୍କ ମତାମତ ଶୁଣିବାକୁ ଉପାଧ୍ୟାୟ ଅଦାଲତଙ୍କୁ ଅନୁରୋଧ କରି ଯୁକ୍ତି ବାଢ଼ିଥିଲେ ଯେ ୪୨ତମ ସଂଶୋଧନକୁ ରାଜ୍ୟମାନେ ଅନୁମୋଦନ କରିନାହାନ୍ତି। ପୂର୍ବତନ ରାଜ୍ୟସଭା ସାଂସଦ ସୁବ୍ରମଣ୍ୟମ୍ ସ୍ୱାମୀ ଏକ ପୃଥକ୍ ପିଟିସନ ଦାଖଲ କରି ଦର୍ଶାଇଛନ୍ତି ଯେ ଜନତା ପାର୍ଟି ନେତୃତ୍ୱାଧୀନ ପରବର୍ତ୍ତୀ ନିର୍ବାଚିତ କେନ୍ଦ୍ର ସରକାର ମଧ୍ୟ ପ୍ରସ୍ତାବନାରେ ଏହି ଶବ୍ଦଗୁଡ଼ିକୁ ଅନ୍ତର୍ଭୁକ୍ତ କରିବାକୁ ସମର୍ଥନ କରିଥିଲେ। ପ୍ରଶ୍ନ ଉଠୁଛି ୧୯୪୯ ମସିହାରେ ଏହାକୁ ସମାଜବାଦୀ ଓ ଧର୍ମନିରପେକ୍ଷ ଭାବରେ ଗ୍ରହଣ କରାଯିବା ପରିବର୍ତ୍ତେ ପ୍ରସ୍ତାବନାରେ ଏକ ପୃଥକ୍ ଅନୁଚ୍ଛେଦ ଭାବରେ ଯୋଡାଯିବା ଉଚିତ କି? ଅକ୍ଟୋବର ୨୧ରେ ସୁପ୍ରିମ୍ କୋର୍ଟ କହିଥିଲେ ଯେ ଧର୍ମନିରପେକ୍ଷତାକୁ ସର୍ବଦା ଭାରତୀୟ ସମ୍ବିଧାନର ମୌଳିକ ଢାଞ୍ଚାର ଏକ ଅଂଶ ଭାବରେ ଗ୍ରହଣ କରାଯାଇଛି ଏବଂ ‘ସମାଜବାଦୀ’ ଏବଂ ‘ଧର୍ମନିରପେକ୍ଷ’ ଶବ୍ଦକୁ ପାଶ୍ଚାତ୍ୟ ଧାରଣା ଭଳି ବିବେଚନା କରିବାର ଆବଶ୍ୟକତା ନାହିଁ।