କଶ୍ମୀର ପାଇଁ ଲଢ଼େଇ, କଶ୍ମୀରୀଙ୍କ ବିରୋଧରେ ନୁହେଁ

ଯଦି ଇମ୍ରାନ୍‌ ‘ପଠାଣ ପୁଅ’ ତା’ହେଲେ ସତ୍ୟ ସ୍ବୀକାର କରନ୍ତୁ

ଜୟପୁର: କେବଳ କଶ୍ମୀରର ମଙ୍ଗଳ ପାଇଁ ଆମ ସରକାରର ଏହି ଲଢ଼େଇ ଆତଙ୍କବାଦୀଙ୍କ ବିରୋଧରେ ଉଦ୍ଦିଷ୍ଟ। ତାହା କେବେ ବି କଶ୍ମୀରୀମାନଙ୍କ ବିରୋଧରେ ନୁହେଁ। ତେଣୁ ଜନସାଧାରଣ ସୁରକ୍ଷା ବାହିନୀ ଉପରେ ଭରସା ରଖନ୍ତୁ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କହିଛନ୍ତି। ରାଜସ୍ଥାନର ତୋଙ୍କ ଜିଲ୍ଲାରେ ଏକ ଦଳୀୟ ସମାବେଶକୁ ସମ୍ବୋଧିତ କରି ଆଜି ମୋଦୀ କହିଥିଲେ, ପୁଲଵାମା ଆକ୍ରମଣ ପାଇଁ ଦାୟୀ ଖଳ ସଂଗଠନ ଓ ବ୍ୟକ୍ତିବେଶେଷଙ୍କୁ ଅକଳ୍ପନୀୟ ମୂଲ୍ୟ ଦେବାକୁ ପଡ଼ିବ । ଏଥି ସହିତ ପାକିସ୍ତାନର ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁଙ୍କୁ ମଧ୍ୟ ପରୋକ୍ଷରେ ମୋଦୀ ସତର୍କ କରାଇ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ହେବା ପରେ ଇମ୍ରାନ ଖାଁଙ୍କ ସହ ହୋଇଥିବା ବାର୍ତ୍ତାଳାପକୁ ଉଦ୍ଧାର କରି ମୋଦୀ କହିଛନ୍ତି ଯେ, ଦୁଇ ଦେଶ ମଧ୍ୟରେ ଅନେକ ଲଢ଼େଇ ହୋଇସାରିଛି। ସେଥିରୁ ପାକିସ୍ତାନକୁ କିଛି ମିଳିନି। ତେଣୁ ଏଣିକି ଦାରିଦ୍ର୍ୟ ଏବଂ ନିରକ୍ଷରତା ବିରୋଧରେ ଲଢ଼େଇ କରିବାକୁ ଇମ୍ରାନଙ୍କୁ ସେ ଆହ୍ବାନ କରିଥିଲେ। ପ୍ରତିକ୍ରିୟାରେ ଇମ୍ରାନ ନିଜକୁ ଜଣେ ପଠାଣ ବୋଲି କହିବା ସହ ପଠାଣମାନେ ସତ କହନ୍ତି ଏବଂ କରନ୍ତି ବୋଲି କହିଥିଲେ। ତେଣୁ ଇମ୍ରାନ୍‌ ଯଦି ପଠାଣ ପୁଅ ତା’ହେଲେ ତାଙ୍କୁ ସତ୍ୟ ସ୍ବୀକାର କରିବାକୁ ପଡ଼ିବ ବୋଲି ମୋଦୀ କହିଥିଲେ।

ସମ୍ବନ୍ଧିତ ଖବର