ନରମିଲେ ପୁଟିନ୍: ଜେଲେନସ୍କି ସରକାରକୁ ହଟାଇବା ଆମର ଉଦ୍ଦେଶ୍ୟ ନୁହେଁ ବୋଲି କହିଲା ରୁଷ

ନୂଆଦିଲ୍ଲୀ: ୟୁକ୍ରେନ ଉପରେ ଆକ୍ରମଣର ୧୪ଦିନ ପରେ ନରମିଲେ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍। ପୂର୍ବରୁ ୟୁକ୍ରେନକୁ ଦଖଲ କରିବା ପାଇଁ ଏବଂ ରାଷ୍ଟ୍ରପତି ଭୋଲଦିମିର ଜେଲେନସ୍କିଙ୍କୁ ହଟାଇବା ପାଇଁ ରୁଷ ଯୁଦ୍ଧ କରୁଥିବା କଥା କହୁଥିବା ବେଳେ ଏବେ ନିଜର ସ୍ବର ବଦଳାଇଛନ୍ତି ପୁଟିନ୍। ରୁଷ କହିଛି ଯେ ଆମେ ୟୁକ୍ରେନ ସରକାରଙ୍କୁ ହଟାଇବାକୁ ଚାହୁଁନାହୁଁ। ଜେଲେନସ୍କି ସରକାରକୁ ହଟାଇବା ନେଇ ଆମର କୌଣସି ଉଦ୍ଦେଶ୍ୟ ନାହିଁ।

ଏହା ପୂର୍ବରୁ ରୁଷ କହିଥିଲା ଯେ ବର୍ତ୍ତମାନ ୟୁକ୍ରେନ ସହ ଆଲୋଚନା ଆଗକୁ ବଢ଼ିଛି ଏବଂ କିଛି ପ୍ରସଙ୍ଗକୁ ନେଇ କଥାବାର୍ତ୍ତା ଆଗକୁ ବଢ଼ିଛି। ତେବେ ସେହି ପ୍ରସଙ୍ଗଗୁଡିକ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। କେବଳ ରୁଷ ନୁହେଁ ୟୁକ୍ରେନ ମଧ୍ୟ ଧିରେ ଧିରେ ମୁଣ୍ଡ ନୁଆଁଉଥିବା ଦେଖାଯାଇଛି। ୟୁକ୍ରେନର ରାଷ୍ଟ୍ରପତି ଜେଲେନସ୍କି ସ୍ପଷ୍ଟ କରିଛନ୍ତି ଯେ ବର୍ତ୍ତମାନ ସେ ନାଟୋରେ ଯୋଗଦେବା ଉପରେ ଅଧିକ ଧ୍ୟାନ ଦେଉ ନାହାଁନ୍ତି।

ସୋମବାର ରାତିରେ ‘ଏବିସି ନିଉଜ୍‌’ରେ ପ୍ରସାରିତ ‌ସାକ୍ଷାତ୍‌କାରରେ ଜେଲେନ୍‌ସ୍କି କହିଛନ୍ତି, ‘ନାଟୋ’ ୟୁକ୍ରେନ୍‌କୁ ଗ୍ରହଣ କରିବାକୁ ପ୍ରସ୍ତୁତ ନୁହେଁ ବୋଲି ଆମର ହୃଦ୍‌ବୋଧ ହେବା ପରେ ଦୀର୍ଘ ସମୟ ଧରି ସେ ପ୍ରସଙ୍ଗରେ ଚୁପ୍‌ ରହିଛି। ‘ନାଟୋ’ ବିବାଦୀୟ ପ୍ରସଙ୍ଗ ଏବଂ ରୁଷ୍‌କୁ ମୁକାବିଲା କରିବା ଲାଗି ଭୟ କରୁଛି। କୌଣସି ଜିନିଷ ପାଇଁ ଆଣ୍ଠୁମାଡ଼ି ଭିକ୍ଷା ମାଗିବା ଦେଶର ସେ ରାଷ୍ଟ୍ରପତି ହେବାକୁ ଚାହାଁନ୍ତି ନାହିଁ।

ସମ୍ବନ୍ଧିତ ଖବର