ନୂ୍ଆଦିଲ୍ଲୀ : ଭାରତୀୟ ଫଟୋ ସାମ୍ବାଦିକ ଡାନିଶ ସିଦ୍ଦିକିଙ୍କ ମୃତ୍ୟୁ ଘଟଣାରେ ତାଲିବାନ୍ର କୌଣସି ଭୂମିକା ନଥିବା ଏହା ସ୍ପଷ୍ଟ କରିଛି। ତାଲିବାନ୍ର ମୁଖପାତ୍ର ଜବିଉଲ୍ଲା ମୁଜାହିଦ୍ ଏକ ଗଣମାଧ୍ୟମ ସଂସ୍ଥାକୁ କହିଛନ୍ତି, ତାଲିବାନ୍-ଆଫଗାନ୍ ସେନା ସଂଘର୍ଷ ସମୟରେ ଡାନିଶ୍ଙ୍କ ମୃତ୍ୟୁ ହୋଇଛି। କିନ୍ତୁ କାହା ଗୁଳିମାଡ଼ରେ ତାଙ୍କର ମୃତ୍ୟୁ ହୋଇଛି ଆମେ ଜାଣିନୁ। ସାମ୍ବାଦିକଙ୍କ ମୃତ୍ୟୁଘଟଣାରେ ତାଲିବାନ୍ ଶୋକ ପ୍ରକାଶ କରୁଛି ବୋଲି ମୁଜାହିଦ କହିଛନ୍ତି। ‘ଯୁଦ୍ଧକ୍ଷେତ୍ରକୁ ପ୍ରବେଶ କରୁଥିବା ଯେକୌଣସି ସାମ୍ବାଦିକ ଆମକୁ ସୂଚନା ଦେବା ଉଚିତ। ଆମେ ସେମାନଙ୍କ ସଠିକ୍ ଯତ୍ନ ନେବୁ ବୋଲି’ ତାଲିବାନ ମୁଖପାତ୍ର କହିଛନ୍ତି। ଅନ୍ୟପକ୍ଷେ ଡାନିଶ ସିଦ୍ଦିକିଙ୍କ ମର ଶରୀରକୁ ତାଲିବାନ୍ ଦ୍ବାରା ଆଇସିଆର୍ସି (ଅନ୍ତର୍ଜାତୀୟ ରେଡ୍ କ୍ରସ୍ କମିଟି)କୁ ହସ୍ତାନ୍ତର କରାଯାଇଛି। କାବୁଲ ସ୍ଥିତ ଭାରତୀୟ ଦୂତାବାସ ସୂତ୍ରରୁ ଏହା ଜଣାପଡ଼ିଛି। ଭାରତୀୟ ଦୂତାବାସ ମଧ୍ୟ ସିଦ୍ଦିକିଙ୍କ ମର ଶରୀର ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବା ଦିଗରେ କାର୍ଯ୍ୟ ଜାରି ରଖିଥିବା କହିଛନ୍ତି। ବିଦେଶ ବ୍ୟାପାର ମନ୍ତ୍ରାଳୟ ମୁଖପାତ୍ର ଅରିନ୍ଦମ ବାଗ୍ଚି କହିଛନ୍ତି, ଫଟୋ ସାମ୍ବାଦିକଙ୍କ ପରିବାର ସଦସ୍ୟଙ୍କ ସହ ସରକାର ସଂପର୍କରେ ଅଛନ୍ତି।
ପୁ୍ଅର ମରଶରୀର ଫେରାଇ ଆଣିବାକୁ ଏମ୍ଇଏକୁ ଅନୁରୋଧ କଲେ ଡାନିଶଙ୍କ ବାପା
ନୂଆଦିଲ୍ଲୀ : ପୁଲିଜର ପ୍ରାଇଜ୍ ବିଜେତା ଫଟୋ ସାମ୍ବାଦିକ ଡାନିଶ୍ ସିଦ୍ଦିକି ଗତକାଲି ଆଫଗାନ ସେନା- ତାଲିବାନ ସଂଘର୍ଷରେ ପ୍ରାଣ ହରାଇଥିଲେ। ତେବେ ପୁଅର ମର ଶରୀର ଫେରି ପାଇବାକୁ ଦିଲ୍ଲୀର ଜାମିଆ ନଗରରେ ରହୁଥିବା ଡାନିଶଙ୍କ ବାପା ମହମ୍ମଦ ଅଖତାର ସିଦ୍ଦିକି କେନ୍ଦ୍ର ବିଦେଶ ବ୍ୟାପାର ମନ୍ତ୍ରାଳୟକୁ ଅନୁରୋଧ କରିଛନ୍ତି। ମନ୍ତ୍ରାଳୟ ମଧ୍ୟ ଡାନିଶଙ୍କ ମର ଶରୀର ଖୁବ୍ ଶୀଘ୍ର ତାଙ୍କ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରିବାପାଇଁ ଉଦ୍ୟମ ଜାରି ରଖିଥିବା କହିଛନ୍ତି। ଅଖତାର କହିଛନ୍ତି, ପୁଅ ଡାନିଶଙ୍କ ସହ ସେ ପ୍ରତିଦିନ ରାତିରେ କଥା ହୁଅନ୍ତି। ଦୁର୍ଘଟଣା ପୂର୍ବ ରାତିରେ ବି ସେ ଡାନିଶଙ୍କ ସହ କଥା ହୋଇଥିଲେ। କଥା ହେବା ସମୟରେ ଡାନିଶ ଆଦୌ ଅସୁରକ୍ଷିତ ଥିବା ଭଳି ଲାଗୁନଥିଲେ ଏବଂ ତାଙ୍କ ଆତ୍ମବିଶ୍ବାସ ମଧ୍ୟ ଖୁବ୍ ଦୃଢ଼ ଥିଲା ବୋଲି ତାଙ୍କ ବାପା କହିଛନ୍ତି। ରଏଟର୍ସର ମୁଖ୍ୟ ଫଟୋ ସାମ୍ବାଦିକ ଡାନିଶଙ୍କର ପତ୍ନୀ ଏବଂ ୨ ଜଣ ସନ୍ତାନ ଅଛନ୍ତି।
ଡାନିଶ ସିଦ୍ଦିକି ଆଫଗାନ ସ୍ବତନ୍ତ୍ର ବାହିନୀ ସହ ଖବର ସଂଗ୍ରହ ପାଇଁ କାନ୍ଦାହାର ଯାଇଥିଲେ। ୩ ଦିନ ପୂର୍ବେ ସେ ଆଫଗାନ୍ ସେନା ଦଳ ସହ ଏକ ଗାଡ଼ିରେ ଯିବାବେଳେ କିଭଳି ଗୁଳିମାଡ଼ର ଶିକାର ହୋଇଥିଲେ ତାହା ଟ୍ବିଟର୍ରେ ପୋଷ୍ଟ୍ କରିଥିଲେ। କିନ୍ତୁ ସେ ଖୁବ୍ ଭାଗ୍ୟବାନ ଥିବାରୁ ବଞ୍ଚିଯାଇଥିବା କହିଥିଲେ। ଏହାର ଦିନକ ପରେ ସିଦ୍ଦିକି ସଂଘର୍ଷ ସ୍ଥଳ ଅଂଚଳରେ ଥିବା ବେଳେ ଗୁଳିମାଡ଼ର ଶିକାର ହୋଇଥିଲେ।