ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତ ଏବଂ ପାକିସ୍ତାନ ମଧ୍ୟରେ ପରମାଣୁ ଯୁଦ୍ଧ ବନ୍ଦ କରିବାର ଶ୍ରେୟ ନେଇଛନ୍ତି। ହ୍ବାଇଟ୍‌ ହାଉସ୍‌ରେ ଟ୍ରମ୍ପ ସାମ୍ବାଦିକମାନଙ୍କୁ କହିଛନ୍ତି, ମୋ ପ୍ରଶାସନ ୨ ପରମାଣୁ ଶକ୍ତିସମ୍ପନ୍ନ ରାଷ୍ଟ୍ର ମଧ୍ୟରେ ତୁରନ୍ତ ଏବଂ ସମ୍ପୂର୍ଣ୍ଣ ଅସ୍ତ୍ରବିରତି ପାଇଁ ମଧ୍ୟସ୍ଥତା କରିଥିଲା। ମୁଁ ଭାବୁଛି ଭାରତ ଏବଂ ପାକିସ୍ତାନ ମଧ୍ୟରେ ଏହା ସ୍ଥାୟୀ ଅସ୍ତ୍ରବିରତି। ଏଥିସହ ଅନେକ ପରମାଣୁ ଅସ୍ତ୍ରଶସ୍ତ୍ର ଗଚ୍ଛିତ ରଖିଥିବା ଏହି ୨ ରାଷ୍ଟ୍ର ମଧ୍ୟରେ ଏକ ବିପଜ୍ଜନକ ସଂଘର୍ଷ ଶେଷ ହୋଇଛି। ଅନ୍ୟଥା ଏହା ସବୁଠାରୁ ଏକ ଭୟଙ୍କର ପରମାଣୁ ଯୁଦ୍ଧ ହୋଇଥାନ୍ତା। ଲକ୍ଷାଧିକ ଲୋକ ମରିଥାନ୍ତେ।

Advertisment

ଟ୍ରମ୍ପ କହିଛନ୍ତି, ଯଦି ଭାରତ ଏବଂ ପାକିସ୍ତାନ ଅସ୍ତ୍ରବିରତି ନ କରନ୍ତି ତେବେ ଆମେରିକା ସେମାନଙ୍କ ସହ କୌଣସି ପ୍ରକାର ବାଣିଜ୍ୟ କରିବନି ବୋଲି ମନା କରିଥିଲା। ଭାରତ ଏବଂ ପାକିସ୍ତାନ ମଧ୍ୟରେ ଉତ୍ତେଜନା ହ୍ରାସ ଦିଗରେ ବାଣିଜ୍ୟ ଏକ ପ୍ରମୁଖ କାରଣ ବୋଲି ଟ୍ରମ୍ପ୍‌ ଗୁରୁତ୍ବାରୋପ କରିଛନ୍ତି। ଟ୍ରମ୍ପ କହିଛନ୍ତି, ଭାରତ ସହ ବାଣିଜ୍ୟ ବୁଝାମଣା ଜାରି ରହିଛି। ‌ସେମାନେ ଅନେକ କାରଣ ପାଇଁ ଅସ୍ତ୍ରବିରତି କଲେ। କିନ୍ତୁ ବାଣିଜ୍ୟ ସବୁଠାରୁ ବଡ଼ କାରଣ। ଉଭୟ ଭାରତ ଏବଂ ପାକିସ୍ତାନର ନେତୃତ୍ବକୁ ଟ୍ରମ୍ପ୍‌ ପ୍ରଶଂସା କରିଛନ୍ତି।