ଫରିଦାବାଦ: ଦିଲ୍ଲୀ ବିସ୍ଫୋରଣ ଘଟଣାରେ ଅଲ୍-ଫଲାହ ବିଶ୍ବବିଦ୍ୟାଳୟର ଡାକ୍ତର, ଛାତ୍ର ଓ କର୍ମଚାରୀମାନଙ୍କ ସମ୍ପୃକ୍ତି ନେଇ ତଦନ୍ତକାରୀ ଅଧିକାରୀମାନେ ବିଶ୍ବବିଦ୍ୟାଳୟ ଉପରେ ଚଢ଼ଉ କରୁଥିବାରୁ ପାଠପଢ଼ା ଏକପ୍ରକାର ଠପ୍ ହୋଇଯାଇଛି। ଅନେକ କର୍ମଚାରୀ ଓ ଛାତ୍ର ଛୁଟି ନେଇ ଘରକୁ ପଳାଇବାର ଦେଖିବାକୁ ମିଳୁଛି। ମେଡିକାଲରେ ରୋଗୀ ସଂଖ୍ୟା ମଧ୍ୟ ଅଧାରୁ ଅଧିକ କମିଯାଇଛି। ଏଭଳି ପରିସ୍ଥିତିରେ ଡାକ୍ତର ହେବା ଆଶାରେ ଲକ୍ଷଲକ୍ଷ ଟଙ୍କା ଦେଇ ନାଁ ଲେଖାଇଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରେ ନିରାଶା ଖେଳିଯାଇଛି।
ଅଲ-ଫଲାହ ବିଶ୍ୱବିଦ୍ୟାଳୟର ସ୍କୁଲ ଅଫ୍ ମେଡିକାଲ ସାଇନ୍ସ ଆଣ୍ଡ ରିସର୍ଚ୍ଚ ସେଣ୍ଟରର ଚତୁର୍ଥ ବର୍ଷର ୨୨ ବର୍ଷୀୟ ଜଣେ ଛାତ୍ର କହିଛନ୍ତି, ମୁଁ ଆଶା କରୁଛି କିଛି ଦିନ ମଧ୍ୟରେ ସବୁକିଛି ଠିକ୍ ହୋଇଯିବ। ମୋର ପିତାମାତା ମୋ ଅଧ୍ୟୟନ ପାଇଁ ବହୁତ ଟଙ୍କା ଖର୍ଚ୍ଚ କରୁଛନ୍ତି। ମୋତେ ଡାକ୍ତର ଭାବେ ଦେଖିବା ପାଇଁ ମୋ ବାପା ବିପୁଳ ଟଙ୍କା ଋଣ କରିଛନ୍ତି। କାରଣ ଏମ୍ବିବିଏସ୍ ପାଠ୍ୟକ୍ରମର ପାଞ୍ଚ ବର୍ଷ ମଧ୍ୟରେ ଜଣେ ଛାତ୍ରକୁ ପ୍ରାୟ ୯୦ ଲକ୍ଷ ଟଙ୍କା ଦେବାକୁ ହୋଇଥାଏ। କିନ୍ତୁ ବର୍ତ୍ତମାନ ଏକ ଆତଙ୍କୀ ମଡ୍ୟୁଲ ସହ ବିଶ୍ବବିଦ୍ୟାଳୟର ନାମ ଯୋଡ଼ି ହେବା ଏବଂ ସେମାନଙ୍କର ତିନିଜଣ ପ୍ରଫେସର ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗିରଫ ହେବା ଫଳରେ ଅଲ୍-ଫଲାହ ବିଶ୍ବବିଦ୍ୟାଳୟର ଭାଗ୍ୟ ସୂତାଖିଅରେ ଝୁଲୁଛି। ଅଲ-ଫଲାହର ଏମ୍ବିବିଏସ ପାଠ୍ୟକ୍ରମରେ ୨୦୦ ସିଟ୍ ଅଛି, ଯାହା ୨୦୧୯ରେ ଏହାର ଇଞ୍ଜିନିୟରିଂ କଲେଜ ବନ୍ଦ ହେବା ପରେ ଆରମ୍ଭ ହୋଇଥିଲା। ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରେଡିଟେସନ୍ କାଉନସିଲ୍ (ନାକ୍)ର ସ୍ୱୀକୃତି ଦାବିକୁ ନେଇ ବିଶ୍ୱବିଦ୍ୟାଳୟ ବିବାଦରେ ରହିଛି। ଗତ ୧୦ ଦିନ ମଧ୍ୟରେ ଯାହାକିଛି ଘଟୁଛି ତାହା ଛାତ୍ର ସମ୍ପ୍ରଦାୟ ଉପରେ ଯଥେଷ୍ଟ ଚାପ ପକାଇଛି। ଫରିଦାବାଦରେ ରହୁଥିବା ବିଶ୍ୱବିଦ୍ୟାଳୟର ଜଣେ ଇଣ୍ଟର୍ନ କୁହନ୍ତି, ଯଦି ମୁଁ ଖବରରେ ଯାହା କୁହାଯାଉଛି ସେ ବିଷୟରେ ଚିନ୍ତା କରିବି, ତେବେ ମୁଁ କାମ କରିପାରିବି ନାହିଁ। ସେ ଆଶା କରନ୍ତି ଯେ, ଅଲ-ଫଲାହରେ ନାମ ଲେଖାଇବା ତାଙ୍କ କ୍ୟାରିୟରକୁ କ୍ଷତି ପହଞ୍ଚାଇବ ନାହିଁ। ସେ ଏକ ଭିନ୍ନ ବିଶ୍ୱବିଦ୍ୟାଳୟରୁ ଏମ୍ଡି କରିବାକୁ ନିଷ୍ପତ୍ତି ନେଇଛନ୍ତି। କିଛି ଛାତ୍ର କହିଛନ୍ତି ଯେ, ସେମାନେ ଅନ୍ୟ କଲେଜକୁ ସ୍ଥାନାନ୍ତର ହେବା ସମେତ ସବୁଠାରୁ ଖରାପ ପରିସ୍ଥିତି ପାଇଁ ପ୍ରସ୍ତୁତ ଅଛନ୍ତି ଏବଂ ଆଶା କରୁଛନ୍ତି ଯେ ବିଶ୍ୱବିଦ୍ୟାଳୟ ବନ୍ଦ ହେଲେ ସରକାର ସେମାନଙ୍କର ଯତ୍ନ ନେବେ।
ମହିଳା ଆତଙ୍କବାଦୀ ସଂଗଠନ କାର୍ଯ୍ୟରେ ମାତିଥିଲା ଶାହିନ ସୟିଦ
ଦିଲ୍ଲୀ ବିସ୍ଫୋରଣ ମାମଲାରେ ସହ-ଅଭିଯୁକ୍ତ ଏବଂ ଉତ୍ତରପ୍ରଦେଶ ଲକ୍ଷ୍ନୌର ବାସିନ୍ଦା ଶାହିନ ସୟିଦ ୫ ଜଣ ଆତଙ୍କବାଦୀ ଡାକ୍ତରଙ୍କ ଏକ ଦଳ ଗଠନ କରିବାର କାର୍ଯ୍ୟ କରୁଥିଲା ବୋଲି ତଦନ୍ତକାରୀମାନେ କହିଛନ୍ତି। ଏଥିପାଇଁ ସେ ଦଳର ମୁଖ୍ୟଙ୍କୁ ମଧ୍ୟ ଚୟନ କରିଥିଲା। ଆତଙ୍କବାଦୀ ଡାକ୍ତର ଦଳର ମୁଖ୍ୟ କେବଳ ଅନ୍ୟ ଡାକ୍ତରଙ୍କ ସହ କଥା ହେଉଥିଲା। ଏହାଦ୍ୱାରା ଦଳର ଗୋପନୀୟତା ବଜାୟ ରହିବ। ଯଦି କେହି ଜଣେ ସଦସ୍ୟ ଧାରା ପଡେ ତେବେ ଅନ୍ୟମାନଙ୍କ ବିଷୟରେ କୌଣସି କଥା ଯେପରି ପ୍ରଘଟ ନ ହେବ ସେଥିପାଇଁ ସମସ୍ତ ପ୍ରକାର ବ୍ୟବସ୍ଥା କରାଯାଇଥିଲା। ତଦନ୍ତକାରୀ ଅଧିକାରୀମାନେ ସେହି ୫ ଜଣିଆ ଡାକ୍ତର ଦଳକୁ ଧରିବା ପାଇଁ ଶାହିନ ସୟିଦକୁ ପଚରାଉଚରା ଜାରି ରଖିଛନ୍ତି। ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ଗୋଷ୍ଠୀ ଜୈସ-ଏ-ମହମ୍ମଦ (ଜେଇଏମ୍) ପାଇଁ ଭାରତରେ ଏକ ମହିଳା ଆତଙ୍କବାଦୀ ଦଳ ଗଠନ ପାଇଁ ମଧ୍ୟ ସେ ସମସ୍ତ କାର୍ଯ୍ୟ ପରିଚାଳନା କରୁଥିଲା। ଦିଲ୍ଲୀ ଲାଲକିଲ୍ଲା ବିସ୍ଫୋରଣରେ ଅନୁସନ୍ଧାନକାରୀ ଦଳ ଆଜି ଏକ ବଡ଼ ପ୍ରମାଣ ହସ୍ତଗତ କରିଛି। ଜୈସ-ଏ-ମହମ୍ମଦର ଆତଙ୍କବାଦୀ ମଡ୍ୟୁଲ୍ କାଶ୍ମୀରର ଡାକ୍ତରଖାନାଗୁଡ଼ିକୁ ଅସ୍ତ୍ରଶସ୍ତ୍ର ହବ୍ରେ ପରିଣତ କରିବାକୁ ଚେଷ୍ଟା କରୁଥିଲା, ଗାଜାରେ ଯେପରି ହମାସ ଆତଙ୍କବାଦୀମାନେ କରୁଥିଲେ। ହମାସ ବେସାମରିକ ଅଞ୍ଚଳ ଓ ଡାକ୍ତରଖାନାସବୁକୁ ଅସ୍ତ୍ରଶସ୍ତ୍ରର ଭଣ୍ଡାର ଭାବେ ବ୍ୟବହାର କରିବା ସହ ସେହିଠାରୁ ନୂଆ ଆତଙ୍କବାଦୀ ସଂଗ୍ରହ କରୁଥିଲା। ଏହି ମାମଲାରେ ୪ ସଂଦିଗ୍ଧଙ୍କୁ ଆଜି ଏନ୍ଆଇଏ ଶ୍ରୀନଗରରୁ ଦିଲ୍ଲୀ ଆଣିଛି। ଏହି ସୂଚନା ମିଳିବା ପରେ ଗତ ବୁଧବାରଠାରୁ ସର୍ଚ୍ଚ ଅପରେସନ ଜାରି ରହିଥିଲା। ୧୯୯୦ ପରେ କାଶ୍ମୀରରେ ଏଭଳି ଆତଙ୍କୀ କାର୍ଯ୍ୟକଳାପ ପ୍ରଥମ ଥର ପାଇଁ ଦେଖିବାକୁ ମିଳିଛି।
/filters:format(webp)/sambad/media/media_files/2025/11/22/untitled-14-2025-11-22-05-55-25.jpg)
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/12/26/2025-12-26t132446534z-whatsapp-image-2025-12-26-at-65430-pm-2025-12-26-18-54-47.jpeg)
/sambad/media/media_files/2025/11/22/untitled-13-2025-11-22-05-53-51.jpg)