ଆଗକୁ ଅନେକ ଲହର ଆସିବ, ଆମକୁ କରୋନା ସହିତ ଖାପ ଖୁଆଇବାକୁ ପଡ଼ିବ: ବିଶେଷଜ୍ଞ

ନୂଆଦିଲ୍ଲୀ : ଓମିକ୍ରନ ଆସିବା ପରେ ଭାରତରେ କରୋନାର ୩ୟ ଲହର ଆସିବା ନେଇ ଆଶଙ୍କା ବଢିଯାଇଛି । ଏହାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଓ ରାଜ୍ୟ ସରକାରମାନେ ବିଭିନ୍ନ କଟକଣା  ଲାଗୁ କରିଛନ୍ତି । ତେବେ ଦେଶର ଜଣାଶୁଣା ଭୂତାଣୁ ବିଶେଷଜ୍ଞ ଡ.ଗଗନଦୀପ କାଙ୍ଗ୍ ଏକ ଚିନ୍ତାଜନକ କଥା କହିଛନ୍ତି । ସେ କହିଛନ୍ତି ଯେ ଆଗକୁ କରୋନା ଭୁତାଣୁର ନୂଆ ନୂଆ ପ୍ରଜାତି ଆସିବ । ଏହା ଫଳରେ ଆହୁରି ଅନେକ ଲହର ଆସିବ । ଏଣୁ ଆମକୁ କରୋନା ସହିତ ଖାପ ଖୁଆଇବାକୁ ପଡ଼ିବ । ତେବେ ସେ କହିଛନ୍ତି ଯେ, ଆଶ୍ବସ୍ତିର କଥା ହେଉଛି ଅନ୍ୟ ଭାରିଆଣ୍ଟ ବା ପ୍ରଜାତିଗୁଡ଼ିକ ତୁଳନାରେ ଓମିକ୍ରନ ସେତେଟା ଗୁରୁତର ଅସୁସ୍ଥ କରେ ନାହିଁ । ଅନ୍ୟପକ୍ଷରେ ସେ କହିଛନ୍ତି ଯେ ଶିଶୁମାନଙ୍କ ଉପରେ କରୋନାର କମ୍ ପ୍ରଭାବ ପଡ଼ୁଛି । ଏଣୁ ସେମାନଙ୍କୁ ସ୍କୁଲକୁ ପଠାଯିବା ଉଚିତ ।

କେଉଁ ଟିକା ୩ୟ ଡୋଜ ପାଇଁ ବ୍ୟବହାର ହେବା ଉଚିତ ? ସେ ସମ୍ପର୍କରେ ସେ କହିଛନ୍ତି ଯେ, ଏ ସମ୍ପର୍କରେ ତଥ୍ୟ ବା ଡାଟା କମ ଥିବାରୁ ଏବେ ଠାରୁ କୁହାଯାଇପାରିବ ନାହିଁ ।

ସୂଚନାଯୋଗ୍ୟ ଯେ, ଭାରତରେ ଗତ ୨୪ ଘଣ୍ଟାରେ ପ୍ରାୟ ୧୬୭୬୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହିପରି ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୧୨୭୦କୁ ବୃଦ୍ଧି ପାଇଛି ।

ସମ୍ବନ୍ଧିତ ଖବର