ସିଓଲ: ଦୀର୍ଘ ଦୁଇ ସପ୍ତାହ ଧରି ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ ସାଧାରଣ ଲୋକଙ୍କ ଦୃଷ୍ଟିଗୋଚର ହେଉ ନଥିବାରୁ ତାଙ୍କ ସ୍ଥିତି ନେଇ କଳ୍ପନାଜଳ୍ପନା ଲାଗି ରହିଛି। କିମ୍ଙ୍କର ମୃତ୍ୟୁ ହୋଇଯାଇଛି ବୋଲି କେତେକ ଗଣମାଧ୍ୟମ ପ୍ରକାଶ କରିଥିବାବେଳେ କିମ୍ ବଞ୍ଚିଛନ୍ତି ବୋଲି ଆଉ କେତେକ ଗଣମାଧ୍ୟମ କହିଛନ୍ତି। ତେବେ ସିଓଲର ଏକ ନିଉଜ୍ ୱେବ୍ସାଇଟ୍ 'ଡେଲି ଏନ୍କେ' ଅନୁସାରେ, କିମ୍ଙ୍କ ହାର୍ଟ ସର୍ଜରି ପରେ ସେ ସୁସ୍ଥ ହୋଇ ନିଜ ଦେଶରେ ଅଛନ୍ତି। କିମ୍ଙ୍କୁ ଉତ୍ତର କୋରିଆର ଏକ ଗୁପ୍ତ ସ୍ଥାନରେ ସୁରକ୍ଷିତ ଭାବେ ରଖାଯାଇଛି ବୋଲି ଏହି ଖବର ସରବରାହ ସଂସ୍ଥା କହିଛି। ଅପରପକ୍ଷେ, କୋଭିଡ-୧୯ ସଂକ୍ରମଣକୁ ରୋକିବା ପାଇଁ ତାଙ୍କୁ ସାମାଜିକ ଦୂରତ୍ବରେ ରଖାଯାଇଛି ବୋଲି ଆଉ କେତେକ ଗଣମାଧ୍ୟମ ପ୍ରକାଶ କରିଛନ୍ତି। ମାତ୍ର, ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ କେଉଁଠି ଅଛନ୍ତି ତାହା ଦକ୍ଷିଣ କୋରିଆର ଜଣେ ମନ୍ତ୍ରୀ କହିଛନ୍ତି। କିମ୍ ଜଙ୍ଗ୍ ଉନ୍ ଉତ୍ତର କୋରିଆର ପୂର୍ବତଟର 'ଓନ୍ସାନ' ଅଞ୍ଚଳରେ ରହୁଛନ୍ତି ବୋଲି ଦକ୍ଷିଣ କୋରିଆର ମନ୍ତ୍ରୀ ୟୋନ୍ ଚୁଲ୍ ସଂସଦରେ ପ୍ରକାଶ କରିଛନ୍ତି।
କିମ୍ ଜଙ୍ଗ୍ ଉନ୍ଙ୍କ ସ୍ବାସ୍ଥ୍ୟ ନେଇ ମୁଁ ସବୁ ଜାଣିଛି, ଏବେ କିଛି କହିବି ନାହିଁ: ଟ୍ରମ୍ପ୍
ୱାସିଂଟନ: ଉତ୍ତର କୋରିଆ ରାଷ୍ଟ୍ରପତି କିମ୍ ଜଙ୍ଗ୍ ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ଏବେ ସସ୍ପେନ୍ସ ଜାରି ରହିଛି। କିମ୍ଙ୍କର ମୃତ୍ୟୁ ହୋଇଛି ବୋଲି କିଛି ଗଣମାଧ୍ୟମ ଖବର ପ୍ରକାଶ କରିଥିବା ବେଳେ ଆଉ କେତେକ କହିଛନ୍ତି ସେ ସୁସ୍ଥ ଅଛନ୍ତି। ମାତ୍ର ଦୁଇ ସପ୍ତାହରୁ ଊର୍ଦ୍ଧ୍ବ କାଳ ଧରି କିମ୍ ସାଧାରଣରେ ଦୃଶ୍ୟ ହେଉ ନଥିବାରୁ ତାଙ୍କୁ ନେଇ ସନ୍ଦେହ ପ୍ରକାଶ ପାଇଛି। ଏଭଳି ସ୍ଥିତିରେ କିମ୍ଙ୍କ ମୃତ୍ୟୁ ଗୁଜବକୁ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଖଣ୍ଡନ କରିଛନ୍ତି। ହ୍ବାଇଟ୍ ହାଉସ୍ରେ ସାମ୍ବାଦିକମାନଙ୍କ ପ୍ରଶ୍ନର ଉତ୍ତରରେ ଟ୍ରମ୍ପ୍ କହିଛନ୍ତି, କିମ୍ ଜଙ୍ଗ୍ ଉନ୍ଙ୍କ ସ୍ବାସ୍ଥ୍ୟାବସ୍ଥା ନେଇ ସେ ସବୁ ଜାଣିଛନ୍ତି, ମାତ୍ର ଏବେ କିଛି କହିବେ ନାହିଁ। ସମୟ ଆସିଲେ ସବୁ କିଛି କହିବେ ବୋଲି ଟ୍ରମ୍ପ୍ ସାମ୍ବାଦିକମାନଙ୍କୁ କହିଛନ୍ତି। ଟ୍ରମ୍ପ୍ ପୁଣି କହିଛନ୍ତି, ଏହା ସତ୍ୟ ଯେ, ଗତ ଏପ୍ରିଲ ୧୫ରେ କିମ୍ ନିଜ ଜେଜେବାପାଙ୍କ ଜନ୍ମଦିନ ପାଳନ ଉତ୍ସବରେ ଅନୁପସ୍ଥିତ ରହିଥିଲେ। ଏହାର ଅର୍ଥ ନୁହେଁ ଯେ, ସେ ମୃତ୍ୟୁବରଣ କରିଛନ୍ତି। କିମ୍ ଏବେ ସୁସ୍ଥ ଅଛନ୍ତି ବୋଲି ଟ୍ରମ୍ପ୍ କହିଛନ୍ତି। ଅପରପକ୍ଷେ, କିମ୍ଙ୍କ ସ୍ବାସ୍ଥ୍ୟ ସ୍ଥିତି ନେଇ ଉତ୍ତର କୋରିଆ ପକ୍ଷରୁ କୌଣସି ସ୍ପଷ୍ଟୀକରଣ ଦିଆଯାଉ ନଥିଲେ ମଧ୍ୟ ଦକ୍ଷିଣ କୋରିଆ କହିଛି, କିମ୍ ଏବେ ସୁସ୍ଥ ଅଛନ୍ତି ଏବଂ ବଞ୍ଚିଛନ୍ତି। ଟ୍ରମ୍ପ୍ କହିଛନ୍ତି, କିମ୍ଙ୍କ ସହ ତାଙ୍କର ଅତି ଉତ୍ତମ ସମ୍ପର୍କ ରହିଛି।