ସୌରଭ ଗାଙ୍ଗୁଲିଙ୍କର ଆଉ ଦୁଇଟି ଧମନୀରେ ପୁନଃ ରକ୍ତସଞ୍ଚାଳନ କରାଯିବ: ଉଡ୍‌ଲ୍ୟାଣ୍ଡ୍‌ସ୍‌ ହସ୍ପିଟାଲ୍‌ ସିଇଓ

କୋଲକାତା: ଭାରତୀୟ କ୍ରିକେଟ୍‌ ଦଳର ପୂର୍ବତନ ଅଧିନାୟକ ସୌରଭ ଗାଙ୍ଗୁଲି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି ବୋଲି ରବିବାର ଦିନ ଉଡ୍‌ଲାଣ୍ଡ୍‌ସ୍‌ ହସ୍ପିଟାଲ୍‌ ସିଇଓ ରୂପାଲି ବସୁ କହିଛନ୍ତି। ଛାତିରେ ଯନ୍ତ୍ରଣା ଯୋଗୁଁ ଶନିବାର ଦିନ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯିବା ସହ ଛାତିର ଡାହାଣ ପାର୍ଶ୍ୱରେ କରୋନାରି ଆଞ୍ଜିଓପ୍ଲାଷ୍ଟି କରାଯାଇଥିଲା।

ତାଙ୍କର ତିନୋଟି କରୋନାରି ଧମନୀରେ ଅବରୋଧ ଥିବା କଥା ପରୀକ୍ଷାରୁ ଜଣାପଡ଼ିଛି। ମୁଖ୍ୟ ଅବରୋଧ ଥିବା ଧମନୀରେ ଆଞ୍ଜିଓପ୍ଲାଷ୍ଟି କରାଯାଇ ପୁନର୍ବାର ରକ୍ତସଞ୍ଚାଳନ କରାଯାଇଛି ବୋଲି ଡାକ୍ତର ବସୁ କହିଛନ୍ତି।

Image Courtesy of Dailyhunt

କିନ୍ତୁ, ତାଙ୍କର ଆଉ ଦୁଇଟି ଧମନୀରେ ମଧ୍ୟ ଅବରୋଧ ରହିଛି। ସେ ଦୁଇଟିରେ ମଧ୍ୟ ଷ୍ଟେଣ୍ଟ୍‌ ଲଗାଯାଇ ପୁନଃ ରକ୍ତସଞ୍ଚାଳନ କରାଯିବ।
ଏବେ ସୌରଭ ସମ୍ପୂର୍ଣ୍ଣ ଭଲ ଅଛନ୍ତି। ଆଜି ସକାଳେ ମୁଁ ତାଙ୍କୁ ଭେଟି କଥାବାର୍ତ୍ତା କରିଛି। ପାଖରେ ତାଙ୍କ ପତ୍ନୀ ଡୋନା ଏବଂ ଭାଇ ସ୍ନେହାଶିଷ ଏବଂ ତାଙ୍କ ପତ୍ନୀ ଉପସ୍ଥିତ ଥିଲେ। ମୁଁ ପହଞ୍ଚିବାର କିଛି ସମୟ ଆଗରୁ ସେ ସକାଳ ଜଳଖିଆ ଖାଇସାରିଥିଲେ।

ଏବେ ସେ ସାମାନ୍ୟ କ୍ଳାନ୍ତି ଅନୁଭବ କରୁଛନ୍ତି। ବାକି ଦୁଇଟି ଧମନୀରେ ପୁନଃ ରକ୍ତସଞ୍ଚାଳନ ହେଲେ ସେ ଆଗାମୀ ୩/୪ ସପ୍ତାହ ମଧ୍ୟରେ ସ୍ୱାଭାବିକ ଭାବେ ଜୀବନଯାପନ କରିବେ।

ତାଙ୍କର ବୟସ ମଧ୍ୟ ସେତେ ଅଧିକ ହୋଇ ନ ଥିବାରୁ ଏବଂ ଆଞ୍ଜିଓପ୍ଲାଷ୍ଟି କ୍ଷେତ୍ରରେ ଅଗ୍ରଗତି ହୋଇଥିବାରୁ ଅସ୍ତ୍ରୋପଚାର ଆବଶ୍ୟକ ହେବନାହିଁ ବୋଲି ଆମେ ବିଚାର କରୁଛୁ। କିନ୍ତୁ, ଏ ସଂକ୍ରାନ୍ତରେ ଆମେ ଦେଶ ଓ ବିଦେଶର ସର୍ବୋତ୍ତମ ହୃଦ୍‌ବିଶେଷଜ୍ଞମାନଙ୍କ ପରାମର୍ଶ ଗ୍ରହଣ କରିବୁ।

ସମ୍ବନ୍ଧିତ ଖବର