ନୂଆଦିଲ୍ଲୀ: ୨୨ ଦିନ ହେବ ଖଣି ଭିତରେ ଅଟକି ରହିଥିବା ୧୫ଜଣ ମେଘାଳୟ ଖଣି ଶ୍ରମିକଙ୍କୁ ଠାବ କରିବା ଲାଗି କରାଯାଉଥିବା ଉଦ୍ଧାର ଉଦ୍ୟମ ଉପରେ ଗୁରୁବାର ଦିନ ସୁପ୍ରିମ୍‌ କୋର୍ଟ ଅସନ୍ତୋଷ ପ୍ରକାଶ କରିଛନ୍ତି। ମେଘାଳୟର ପୂର୍ବ ଜୈନ୍ତିଆ ହିଲ୍‌ସ୍‌ସ୍ଥିତ ବେଆଇନ୍‌ ଖଣି ମଧ୍ୟରେ ପାଣି ପଶିଯିବାରୁ ଅଟକି ରହିଥିବା ଶ୍ରମିକମାନଙ୍କର ଉଦ୍ଧାର କାର୍ଯ୍ୟ ବୃହତ୍ତର କରିବାକୁ ସରକାର ଆଦେଶ ଦିଅନ୍ତୁ ବୋଲି ଆଗତ ଏକ ପିଟିସନ୍‌ ଉପରେ ଶୁଣାଣି କରି ସୁପ୍ରିମ୍‌ କୋର୍ଟ କହିଲେ: ଆମେ ଠାକୁରଙ୍କୁ ଡାକୁଛୁ ସମସ୍ତେ ବଞ୍ଚି ଥାଆନ୍ତୁ।

Advertisment

ଉଦ୍ଧାର ଅଭିଯାନରେ ଯୋଗ ଦେବାକୁ ସେନାବାହିନୀକୁ କାହିଁକି ସରକାର ଆଦେଶ ଦେଇ ନାହାନ୍ତି ବୋଲି ବିଚାରପତିମାନେ ପ୍ରଶ୍ନ କରିଥିଲେ। କିଛି ଦିନ ହେବ ସରକାରୀ ଆଦେଶ ଅମଲାତାନ୍ତ୍ରିକ ନାଲିଫିତାରେ ଲାଖି ରହିଛି ବୋଲି ଜଣାପଡ଼ିଛି।

ପ୍ରଧାନ ବିଚାରପତି ଜଷ୍ଟିସ ରଞ୍ଜନ ଗୋଗୋଇ ଓ ଜଷ୍ଟିସ ଏସ୍‌କେ କୌଲ୍‌ଙ୍କ ଖଣ୍ଡପୀଠ ଆବେଦନର ଶୁଣାଣି କରି କହିଛନ୍ତି: ମୃତ ବା ଜୀବନ୍ତ, ସେମାନଙ୍କୁ ବାହାର କରାଯିବା ଉଚିତ।

ପୂର୍ବରୁ ମେଘାଳୟ ସରକାର ଅଦାଲତଙ୍କୁ କହିଥିଲେ ଯେ ଡିସେମ୍ବର ୧୪ ତାରିଖ ଠାରୁ ରାଜ୍ୟ ବିଭିନ୍ନ ପଦକ୍ଷେପ ଗ୍ରହଣ କରୁଛି ଏବଂ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ, ନୌସେନା ଓ କୋଲ୍‌ ଇଣ୍ଡିଆକୁ ମୁତୟନ କରିଛି।

ଅଦାଲତ ପାଲଟା ପ୍ରଶ୍ନ କରିଥିଲେ: ତେବେ, ସେମାନେ ସଫଳ ହେଉ ନାହାନ୍ତି କାହିଁକି?