ଆମେରିକାରେ ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନଙ୍କ ଚାଞ୍ଚଲ୍ୟକର ଖୁଲାସା; ‘ପାକିସ୍ତାନରେ ଏବେ ବି ସକ୍ରିୟ ଅଛନ୍ତି ୪୦ଟି ସଂଗଠନର ୩୦ରୁ ୪୦ ହଜାର ତାଲିମପ୍ରାପ୍ତ ଆତଙ୍କବାଦୀ’

ଓ୍ଵାଶିଂଟନ: ସଂପ୍ରତି ତିନି ଦିନିଆ ଆମେରିକା ଗସ୍ତରେ ଯାଇଥିବା ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଆଜି ଓ୍ଵାଶିଂଟନ ଠାରେ ଏକ ବଡ଼ ଖୁଲାସା କରିଛନ୍ତି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ ସ୍ୱୀକାର କରି କହିଛନ୍ତି ଯେ ଏବେ ବି ପାକିସ୍ତାନ ମାଟିରେ ପ୍ରାୟ ୪୦ଟି ଆତଙ୍କବାଦୀ ସଂଗଠନ ସକ୍ରିୟ ଅଛନ୍ତି। ଏବଂ ଏହି ସମସ୍ତ ସଂଗଠନର ୩୦ ହଜାରରୁ ୪୦ ହଜାର ତାଲିମପ୍ରାପ୍ତ ଆତଙ୍କବାଦୀ ଆଫଗାନିସ୍ତାନରୁ ଆରମ୍ଭ କରି କଶ୍ମୀର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାରର ଆତଙ୍କବାଦୀ କାର୍ଯ୍ୟକଳାପରେ ଲିପ୍ତ ରହିଛନ୍ତି। ଖୋଦ୍‌ ପାକିସ୍ତାନ ମଧ୍ୟ ଏମାନଙ୍କ ଆତଙ୍କବାଦୀ କାର୍ଯ୍ୟକଳାପରୁ ବାଦ୍‌ ପଡ଼ିନାହିଁ। ଏବେ ପରିସ୍ଥିତି ଏପରି ହୋଇଛି ଯେ ପାକିସ୍ତାନୀ ସେନା ମଧ୍ୟ ଏହି ଆତଙ୍କବାଦୀ ସଂଗଠନ ଓ ଏହାର ଆତଙ୍କବାଦୀମାନଙ୍କ ଦ୍ୱାରା ପେଷି ହୋଇଗଲାଣି।

ୟୁଏସ୍‌ ଇନଷ୍ଟିଚ୍ୟୁଟ ଅଫ୍‌ ପିସ୍‌ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ଅବସରରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌ ଏହି ଚାଞ୍ଚଲ୍ୟକର ଖୁଲାସା କରିଛନ୍ତି। ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ କହିଛନ୍ତି ଯେ ତାଙ୍କ ପୂର୍ବରୁ ଯେଉଁମାନେ ପାକିସ୍ତାନର ଶାସନ କ୍ଷମତାରେ ରହିଥିଲେ, ସେମାନଙ୍କ ନିକଟରେ ଆତଙ୍କବାଦକୁ ଦମନ କରିବା ପାଇଁ ରାଜନୈତିକ ଇଚ୍ଛାଶକ୍ତି ନଥିଲା। ଯେଉଁ କାରଣ ପାଇଁ ୨୦୧୪ରେ ପାକିସ୍ତାନୀ ତାଲିବାନମାନେ ଏକ ସେନା ବିଦ୍ୟାଳୟରେ ପ୍ରବେଶ କରି ୧୫୦ ସ୍କୁଲ ଛାତ୍ରଛାତ୍ରୀଙ୍କୁ ଅତ୍ୟନ୍ତ ନିର୍ମମ ଭାବେ ହତ୍ୟା କରିଥିଲେ।

ପାକିସ୍ତାନରେ ଆତଙ୍କବାଦ ଏକ ପ୍ରମୁଖ ସମସ୍ୟା ରୂପେ ଉଭା ହୋଇଥିଲେ ମଧ୍ୟ ପୂର୍ବ ସରକାରମାନେ ଆମେରିକାକୁ ପ୍ରକୃତ ତଥ୍ୟ ଜଣାଉ ନଥିଲେ। ଯାହାର ସୁଯୋଗ ନେଇ ବିଗତ ୧୫ ବର୍ଷ ମଧ୍ୟରେ ପାକିସ୍ତାନରେ ଆତଙ୍କବାଦୀ ସଂଗଠନଗୁଡ଼ିକ ନିଜ ନିଜର କାୟା ବିସ୍ତାର କରିବା ସହ ପାକିସ୍ତାନକୁ ନିଜ କବ୍‌ଜାକୁ ନେଇ ଯିବାରେ ସଫଳ ହୋଇଥିଲେ। ହେଲେ, ଏବେ ପାକିସ୍ତାନରେ ପାକିସ୍ତାନ୍‌- ତେହେରିକ୍‌- ଇ ଇନ୍‌ସାଫ୍‌ ଶାସନ କ୍ଷମତାକୁ ଆସିବା ପରେ ଏବେ ପାକିସ୍ତାନ ମାଟିରେ କାୟା ବିସ୍ତାର କରିଥିବା ଆତଙ୍କବାଦୀ ସଂଗଠନ ଓ ପାକିସ୍ତାନରେ ଥିବା ତାଲିମ୍‌ ପ୍ରାପ୍ତ ଆତଙ୍କବାଦୀମାନଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଆରମ୍ଭ ସହ ସେମାନଙ୍କୁ ନିରସ୍ତ୍ରୀକରଣ କରାଇବା ପ୍ରକ୍ରିୟା ଆରମ୍ଭ କରିଛି ବୋଲି କହିଛନ୍ତି ପାକ୍‌ ପ୍ରଧାନମନ୍ତ୍ରୀ ଇମ୍ରାନ୍‌ ଖାନ୍‌।

ସମ୍ବନ୍ଧିତ ଖବର