ଅଗ୍ରଣୀ ବୈଶ୍ୱିକ ଶକ୍ତି ଭାବେ ଭାରତର ଅଭ୍ୟୁଦୟକୁ ସ୍ୱାଗତ କରୁଛୁ: ଯୁକ୍ତରାଷ୍ଟ୍ର ଆମେରିକା

ଓ୍ଵାସିଂଟନ୍‌: ଯୁକ୍ତରାଷ୍ଟ୍ର ଆମେରିକା ଭାରତକୁ ମଙ୍ଗଳବାର ଦିନ ଭାରତ-ପ୍ରାଶାନ୍ତ ଅଞ୍ଚଳରେ ଅନ୍ୟତମ ବିଶିଷ୍ଟ ଅଂଶୀଦାର ଆଖ୍ୟା ଦେବା ସହ ଅଗ୍ରଣୀ ବୈଶ୍ୱିକ ଶକ୍ତିଭାବେ ଭାରତର ଅଭ୍ୟୁଦୟକୁ ସ୍ୱାଗତ କରିଛି।

ଏକ ସାମ୍ବାଦିକ ସମ୍ମିଳନୀରେ ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ବିଭାଗର ମୁଖପାତ୍ର ନେଡ୍‌ ପ୍ରାଇସ୍‌ କହିଛନ୍ତି, ଆମ ଲାଗି ଭାରତ ହେଉଛି, ଭାରତ-ପ୍ରଶାନ୍ତ ଅଞ୍ଚଳର ଅନ୍ୟତମ ବିଶିଷ୍ଟ ଅଂଶୀଦାର। ଅଗ୍ରଣୀ ବୈଶ୍ୱିକ ଶକ୍ତିଭାବେ ଭାରତର ଅଭ୍ୟୁଦୟକୁ ଏବଂ ସମ୍ପୃକ୍ତ ଅଞ୍ଚଳରେ ସାମଗ୍ରିକ ସୁରକ୍ଷା ପ୍ରଦାନକାରୀ ଭାବେ ତା’ର ଭୂମିକାକୁ ସ୍ୱାଗତ କରୁଛୁ।

ସେ ଆହୁରି ମଧ୍ୟ କହିଛନ୍ତି, ପ୍ରତିରକ୍ଷା, ଆଣବିକ ନିରସ୍ତ୍ରିକରଣ, ଭାରତ-ପ୍ରଶାନ୍ତ ଅଞ୍ଚଳରେ ଆଞ୍ଚଳିକ ସହଯୋଗ, ଆତଙ୍କବାଦ ମୁକାବିଲା, ଶାନ୍ତିରକ୍ଷା, ପରିବେଶ, ସ୍ୱାସ୍ଥ୍ୟ, ଶିକ୍ଷା, ପ୍ରଯୁକ୍ତିବିଦ୍ୟା, କୃଷି, ମହାକାଶ ଏବଂ ସମୁଦ୍ର ସମେତ କୂଟନୈତିକ ଓ ନିରାପତ୍ତା ଆଦି ବହୁବିଧ ତଥା ବ୍ୟାପକ କ୍ଷେତ୍ରରେ ଆମେ ସହଯୋଗ ବଜାୟ ରଖିଛୁ।

Image Courtesy of IndiaTimes

ଜାତିସଂଘ ନିରାପତ୍ତା ପରିଷଦ୍‌ରେ ଭାରତ ଜଣେ ଅସ୍ଥାୟୀ ସଦସ୍ୟ ହେବା କଥାକୁ ମଧ୍ୟ ପ୍ରାଇସ୍‌ ସ୍ୱାଗତ କରିଛନ୍ତି। ଏହା ସହ ସେ କହିଛନ୍ତି, ଯୁକ୍ତରାଷ୍ଟ୍ର ଆମେରିକା ଭାରତର ବୃହତ୍ତମ ବ୍ୟାବସାୟିକ ଅଂଶୀଦାର ହୋଇ ରହିଥିବାରୁ ୨୦୧୯ରେ ଦ୍ୱିପାକ୍ଷିକ ବାଣିଜ୍ୟ ୧୪୬ ବିଲିୟନ୍‌ ଡଲାର୍‌କୁ ବୃଦ୍ଧି ପାଇଛି।

ଯୁକ୍ତରାଷ୍ଟ୍ର ଆମେରିକାର ବୈଦେଶିକ ସଚିବ ଅଣ୍ଟୋନି ବ୍ଲିକେନ୍‌ ଏବଂ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍‌ ଜୟଶଙ୍କରଙ୍କ ମଧ୍ୟରେ ହୋଇଥିବା କଥୋପକଥନ ପ୍ରସଙ୍ଗ ମଧ୍ୟ ବୈଦେଶିକ ବିଭାଗ ମୁଖପାତ୍ର ଉଲ୍ଲେଖ କରିଛନ୍ତି।

ଭାରତ-ଚୀନ୍‌ ସୀମା ବିବାଦ ପ୍ରସଙ୍ଗରେ ସେ କହିଲେ ଯେ, ଆମେ ପରିସ୍ଥିତି ଉପରେ ତୀବ୍ର ଦୃଷ୍ଟି ରଖିଛୁ। ଭାରତ ଓ ଚୀନ୍‌ ସରକାରଙ୍କ ମଧ୍ୟରେ ଆଲୋଚନା ଚାଲିଥିବା କଥା ଆମେ ଜାଣିଛୁ। ସୀମା ବିବାଦ ଲାଗି ପ୍ରତ୍ୟକ୍ଷ ଆଲୋଚନା ଏବଂ ଶାନ୍ତିପୂର୍ଣ୍ଣ ସମାଧାନକୁ ଆମେ ସମର୍ଥନ କରୁ।

ସମ୍ବନ୍ଧିତ ଖବର